ହତ୍ୟା ଧମକ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୨ ଅଭିଯୁକ୍ତ

3

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜମିବାଡି ବିବାଦକୁ ନେଇ ଦିନକୁ ଦିନ ସମାଜରେ ବିଭିନ୍ନ ମାମଲା ଦେଖିବାକୁ ମିଳୁଛି। ସେଇଭଳି ଏକ ମାମଲା ଅଡ଼ବା ଥାନା ଅନ୍ତର୍ଗତ ଆଲିଗଣ୍ଡା ଗ୍ରାମରେ ୨୦୨୩ ମସିହାରେ ଘଟିଯାଇଥିଲା ; ଯେଉଁ ମାମଲାର ଶୁଣାଣି କରି ଆଜି (ମଙ୍ଗଳବାର) ମୋହନା ଜେଏମ୍ଏଫସି ଶ୍ରୀ ଶୁଭଜିତ ବେହେରା ଦୁଇ ଜଣ ଅଭିଯୁକ୍ତ ଆଲିଗଣ୍ଡା ଗ୍ରାମ ନିବାସୀ ଶ୍ରୀ ବିଶ୍ଵନାଥ ନାୟକ ଓ ତାଙ୍କ ସ୍ତ୍ରୀ ଶ୍ରୀମତୀ ବିରଜା ରଣଜିତଙ୍କୁ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୨୯୪ (ଅଭଦ୍ର ଭାଷାରେ ଗାଳି ଦେବା) ଓ ୫୦୬ (ହତ୍ୟା ଧମକ ଦେବା) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ପ୍ରବେଶନ ଅଫ ଅଫେଣ୍ଡର୍ସ ଆକ୍ଟର ଧାରା ୩ ଅନୁଯାୟୀ ଚେତାବନୀ ଦେଇ ଭବିଷ୍ୟତରେ ଏଭଳି କାର୍ଯ୍ୟରୁ ବିରତ ରହିବା ନିମନ୍ତେ ଆଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ଶ୍ରୀ ଏସ. ବୈଦ୍ୟନାଥ ସିଂ ଏହି ମାମଲାକୁ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୨୩ ମସିହା ମାର୍ଚ୍ଚ ୨୪ ତାରିଖ ଦିନ ଅଭିଯୋଗକାରୀ ଅଡ଼ବା ଥାନା ଅନ୍ତର୍ଗତ ସ୍ଥାନୀୟ ଆଲିଗଣ୍ଡା ଗ୍ରାମର ରାଜେନ୍ଦ୍ର ସଭାପତି ନିଜର ଓ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଏକ ଅଭିଯୋଗ ଅଡ଼ବା ଥାନାରେ କରିଥିଲେ। ଅଭିଯୋଗ ମୁତାବକ ଜାଗାବାଡିକୁ କେନ୍ଦ୍ର କରି ଥରକୁ ଥର ଅଭିଯୁକ୍ତମାନେ ଅଭଦ୍ର ଭାଷାରେ ଗାଳି କରିବା ସହ ନକ୍ସଲ ଲଗେଇ ହତ୍ୟା କରିବା ପର୍ଯ୍ୟନ୍ତ ଧମକ ମଧ୍ୟ ଦେଇ ଆସୁଥିଲେ ଓ ପରେ ଯେତେବେଳେ ଏହି କଥା ଅସହ୍ୟ ହେଲା ଶେଷରେ ବାଧ୍ୟ ହୋଇ ଅଭିଯୋଗକାରୀ ଥାନାରେ ତା ୨୪-୦୩-୨୦୨୩ରିଖରେ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ କରିଥିଲେ, ଯାହାକି ମୋହନା ଜେଏମ୍ଏଫସି କୋର୍ଟରେ ବିଚାରାଧୀନ ରହିଥିଲା। ଅଡ଼ବା ଥାନାର ଏସଆଇ ବି ନୀଳମାଧବ ରେଡ୍ଡୀ ଏହି ମାମଲାର ତଦନ୍ତକାରୀ ଅଧିକାରୀ ରହିଥିଲେ। ଆଜି ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ମାନ୍ୟବର ନ୍ୟାୟାଧୀଶ ଅଭିଯୁକ୍ତମାନଙ୍କୁ ଉକ୍ତ ଘଟଣାରେ ଦୋଷୀ ସାବ୍ୟସ୍ତ କରିବା ସହ ଏଭଳି କାର୍ଯ୍ୟରୁ ଭବିଷ୍ୟତରେ ବିରତ ରହିବାକୁ ଚେତାଇ କଡ଼ା ଭାଷାରେ ଭର୍ତ୍ସନା କରିବା ସହ ନିଜର ରାୟ ଶୁଣାଇଥିଲେ।

Leave A Reply

Your email address will not be published.