ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ହୃଦଘାତରେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନାର ଜଣେ କର୍ତ୍ତବ୍ୟରତ ପୋଲିସ୍ ଏଏସ୍ଆଇଙ୍କ ଅକାଳ ବିୟୋଗ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି I ମୃତ ପୋଲିସ୍ କର୍ମଚାରୀ ଜଣଙ୍କ ହେଲେ ଗାଙ୍ଗପୁର ଥାନାର ଏଏସ୍ଆଇ ପ୍ରଭାକର ଗାଣ୍ଟା (୫୩) I ସୂଚନା ପ୍ରକାରେ ଆଜି ସ୍ଵର୍ଗତ ଗାଣ୍ଟା ପାଇଲିପଡ଼ା ପଂଚାୟତରେ ଅନୁଷ୍ଠିତ ଯୁଗ୍ମ ଜନ ଶୁଣାଣି ଶିବିରକୁ ଯାଇଥିଲେ I ସେଠାରୁ ଦିନ ଗୋଟାଏରେ ଥାନା ଫେରି ସେଠାରେ କାର୍ଯ୍ୟରତ ଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହିତ ବାନ୍ତି କରିଥିଲେ I ଏନେଇ ଥାନା ତରଫରୁ ତାଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ତାଙ୍କ ସ୍ତ୍ରୀ ଏବଂ ସାନ ପୁଅ ଥାନାରେ ପହଞ୍ଚିଥିଲେ I ସେଠାରୁ ଥାନାର ଏକ ଗାଡି ଯୋଗେ ପରିବାର ଲୋକ ଏବଂ ପୋଲିସ୍ କର୍ମାଚରୀ ତାଙ୍କୁ ଗୋବରା ମେଡ଼ିକାଲ୍ ରେ ଭର୍ତ୍ତି କରିଥିଲେ I ସେଠାରୁ ଡ଼ାକ୍ତର ତାଙ୍କୁ ବ୍ରହ୍ମପୁର ନେଇଯିବା ପାଇଁ ପରାମର୍ଶ ଦେଇଥିଲେ I ବ୍ରହ୍ମପୁର ବଡ଼ ମେଡିକାଲ୍ ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା I ଖବର ପାଇ ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନ ବ୍ରହ୍ମପୁର ବଡ଼ ମେଡିକାଲ୍ ରେ ପହଞ୍ଚିଥିଲେ I ସେଠାରେ ସ୍ଵର୍ଗତ ଗାଣ୍ଟାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା I ସ୍ଵର୍ଗତ ଗାଣ୍ଟାଙ୍କ ଶେଷ କୃତ୍ୟ ତାଙ୍କ ପୈତୃକ ଗ୍ରାମ ଗଜପତି ଜିଲ୍ଲା କାଶୀନଗର ବ୍ଳକ୍ ଅନ୍ତର୍ଗତ ଖଣ୍ଡବା ଗ୍ରାମରେ ସମ୍ପନ୍ନ ହେବ ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି I ପ୍ରକାଶ ଥାଉକି ସ୍ଵର୍ଗତ ଗାଣ୍ଟା ଗାଙ୍ଗପୁର ଥାନାରେ ଦେଢ଼ ବର୍ଷ ହେବ ଏଏସ୍ଆଇ ଭାବେ କାର୍ଯ୍ୟରତ ଥିଲେ I ଏହା ପୂର୍ବରୁ ସେ ଖଲ୍ଲିକୋଟ ଥାନାରେ କାର୍ଯ୍ୟରତ ଥିଲେ I ସେ ଜଣେ ମେଳାପି, ଅମାୟିକ ବ୍ୟକ୍ତି, ମିଷ୍ଠଭାଷୀ ଏବଂ କର୍ତ୍ତବ୍ୟ ନିଷ୍ଠ ପୋଲିସ୍ କର୍ମଚାରୀ ଭାବେ ଅଞ୍ଚଳରେ ସମସ୍ତଙ୍କର ପ୍ରିୟ ପାତ୍ର ଥିଲେ I ତାଙ୍କ ଅକାଳ ବିୟୋଗରେ ଥାନା ଅଧିକାରୀ ଶ୍ରୀ ପ୍ରଧାନଙ୍କ ସମେତ ଏସ୍ଆଇ ଆର୍ତ୍ତତ୍ରାଣ ଦାନୀ, ଅଜୟ କୁମାର ମଲ୍ଲିକ, ଏଏସ୍ଆଇ ସୁଷମା ବେହେରା, ୱାଇ.ବି ନାଇଡୁଙ୍କ ସମେତ ସମସ୍ତ ପୋଲିସ୍ କର୍ମଚାରୀ ମର୍ମାହତ ହୋଇପଡିଛନ୍ତି I ତାଙ୍କ ମୃତ୍ୟୁ ଖବର ପାଇ ସୋରଡା ବିଧାୟକ ନୀଳମଣି ବିଷୋୟୀ, ଗାଙ୍ଗପୁର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ, ଖଇରପୁଟୀ ସରପଞ୍ଚ ସତ୍ୟବାନ ସ୍ୱାଇଁ, ଗୋବରା ସମିତିସଭ୍ୟ ବିଭୂପାଦ ଜେନା, ଆଇନଜୀବୀ ସୀମାଞ୍ଚଳ ପୃଷ୍ଟି,ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀ,ବନପାଳ ଶଙ୍କର୍ଷଣ ଗୌଡ଼ଙ୍କ ସମେତ ଅଞ୍ଚଳର ବହୁ ସମାଜସେବୀ, ବୁଦ୍ଧିଜୀବୀ, ଜନ ପ୍ରତିନିଧି ଗଭୀର ଶୋକ ବ୍ୟକ୍ତ କରିବା ସହିତ ସ୍ଵର୍ଗତ ଗାଣ୍ଟାଙ୍କର ଆତ୍ମାର ସଦ୍ଗତି କାମନା କରିଛନ୍ତି I
Sign in
Sign in
Recover your password.
A password will be e-mailed to you.