ବଳ ସାଉଁଟୁଛି କଂଗ୍ରେସ, ସଙ୍ଗଠନ ସୃଜନ ଅଭିଯାନ ଆରମ୍ଭ

3

ସୁନ୍ଦରଗଡ଼, ୦୫-୦୯-୨୫. ଏକଦା କଂଗ୍ରେସର ଗଡ଼ ଥିଲା ସୁନ୍ଦରଗଡ଼ ଜିଲା। ଏହି ଜିଲାର ୭ଟି ଯାକ ବିଧାନସଭା ଓ ଗୋଟିଏ ଲୋକସଭା ଆସନ କଂଗ୍ରେସର ଦଖଲରେ ଥିଲା । କିନ୍ତୁ ବିଜେଡିର ଅଭ୍ୟୁତଥାନ ପରେ ସୁନ୍ଦରଗଡ଼ ଜିଲାରେ ଦଳୀୟ ସଙ୍ଗଠନ କ୍ରମଶଃ ଦୁର୍ବଳ ହୋଇ ଚାଲିଥିଲା।

ସଙ୍ଗଠନ ଭୁଶିଡ଼ିଯିବା ସ‌ହ କଂଗ୍ରେସର ଗଡ଼ ବୋଲାଉଥିବା ସୁନ୍ଦରଗଡ଼ର ଅଧିକାଂଶ ଆସନ ହାତରୁ ଖସି ଯାଇଥିଲା। କେବଳ ରାଜଗାଙ୍ଗପୁର ଆସନ ଏବେ କଂଗ୍ରେସ ହାତରେ ଅଛି। ତେବେ, ୨୪ ବର୍ଷ ପରେ ବିଜେଡିର ନିର୍ବାଚନ ବିପର୍ଯ୍ୟୟ ଓ ତୀବ୍ର ଗୋଷ୍ଠୀ କନ୍ଦଳ କଂଗ୍ରେସକୁ ଆଶାବାଦୀ କରି ପକାଇଛି। କଂଗ୍ରେସ ପୁଣି ସମ୍ଭାବନା ଖୋଜୁଛି। ସଙ୍ଗଠନକୁ ମଜବୁତ କରି ହୃତଗୌରବ ଫେରାଇ

ଆଣିବାକୁ ଅଣ୍ଟା ଭିଡ଼ିଛି କଂଗ୍ରେସ। ପୁଣି ବଳ ଗୋଟାଇ ନିଜକୁ ମଜବୁତ କରିବାକୁ ପ୍ରୟାସ ଆରମ୍ଭ କରିଛି କଂଗ୍ରେସ। ତେଣୁ ଜିଲାରେ ଆରମ୍ଭ ହୋଇଛି ସଙ୍ଗଠନ ସୃଜନ ଅଭିଯାନ। ଏହି ଅଭିଯାନରେ କଂଗ୍ରେସର ଜିଲା ସଭାପତି ଚୟନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଯାଇଛି।

ସ୍ଥାନୀୟ ବିକାଶ ଭବନରେ ଜିଲା ସଂଯୋଜକ ନିର୍ମଳ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ଅଳ ଭାରତୀୟ ଅଖେଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ କଂଗ୍ରେସ ନେତା ତଥା ଏ.ଆଇ.ସି.ସି.ର ପୂର୍ବତନ ସମ୍ପାଦକ ତଥା ଉତ୍ତରପ୍ରଦେଶ ବିଳାସପୁରର ପୂର୍ବତନ ବିଧାୟକ ସଞ୍ଜୟ କପୁର, ଓଡ଼ିଶା ପ୍ରଦେଶ

କଂଗ୍ରେସ କମିଟି ତରଫରୁ କେନ୍ଦୁଝରର ପୂର୍ବତନ ସାଂସଦ ଶକୁନ୍ତଳା ଲାଗୁରୀ, କଟକର ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ କୁମାର ଭୋଳ, ପି. ସି. ସି ତରଫରୁ ଲଜିଷ୍ଟିକ ଦାୟିତ୍ବରେ ଥ‌ିବା ଅଭିଷେକ ଦଳବେହେରା, ପି.ସି.ସି ସମ୍ପାଦିକା ଅନିମା ମିଞ୍ଜ, ପୂର୍ବତନ ପି.ସି.ସି ସାଧାରଣ ସମ୍ପାଦକ ରାଜକିଶୋର ଷଡ଼ଙ୍ଗୀ, ପୂର୍ବତନ ଜିଲା ସଭାପତି ବେଣୁମାଧବ ତ୍ରିପାଠୀ, ଜିଲା ସେବାଦଳ ଓ ଏସ.ଟି ସେଲ ସଭାପତି ଭୀଷ୍ମଦେବ ସିଂ ଓ ଅଛୋନୀ କୁଲୁ, ଜିଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ଦଳୀୟ ପ୍ରାର୍ଥୀ ହୋଇଥିବା ଦେବେନ୍ଦ୍ର ଭିତ୍ରିୟା, ସୁଧାରାଣୀ ରାଉଡ଼ିଆ, ଗୋପାଳ ଦାଶ, ସୁଶୀଳ କିଣ୍ଡୋ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ଅତିଥ୍‌ ଶ୍ରୀ କପୁର ‘ସଂଗଠନ ସୃଜନ ଅଭିଯାନ’ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରି ସେ କହିଛନ୍ତି ଯେ ଜିଲା ସଭାପତି ଚୟନ ପାଇଁ ସୁପାରିଶ ଦରକାର ନାହିଁ । ବରଂ ସେଥ‌ିପାଇଁ ପ୍ରତ୍ୟେକ ଦଳୀୟ କର୍ମୀଙ୍କ ସାମୂହିକ ସୁପାରିଶ ଆବଶ୍ୟକ । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନିର୍ଦେରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଫଳରେ ଜିଲା ସଭାପତିଙ୍କୁ କଂଗ୍ରେସ କର୍ମୀଙ୍କ ସୁପାରିଶ ମୁତାବକ ମନୋନୀତ କରାଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.