କ୍ରାଇମ ଓ କ୍ରିମିନାଲଙ୍କ ଉପରେ କଡା ନଜର ରହିବ :ଏସପି ପ୍ରତୀକ ସିଂ

0

ପୁରୀ, ୨୬/୮ (ଅନିମେଶ ପଟ୍ଟନାୟକ): ପୁରୀର ନୂଆ ଏସପି ପ୍ରତୀକ ସିଂ ମଙ୍ଗଳବାର ବିଧିବଦ୍ଧ ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି। ସେ ପ୍ରଥମ ଦିନରୁ ହିଁ ସାମ୍ବାଦିକମାନଙ୍କ ସହ ପରିଚୟ ସଭାରେ ସ୍ପଷ୍ଟ କରିଛନ୍ତି, ଯେ ପୁରୀରେ ଅପରାଧ, ଅପରାଧୀ, ନିଶା ବେପାର ଓ ସମୁଦ୍ରକୂଳରେ ହେଉଥିବା ଅସାମାଜିକ କାର୍ଯ୍ୟକଳାପ ଉପରେ ପୋଲିସର କଡା ନଜର ରହିବ ।

ଏହି ଅବସରରେ ସେ କହିଛନ୍ତି “ପୁରୀ ଏକ ଐତିହାସିକ ଓ ଧାର୍ମିକ ସହର । ରାଜ୍ୟ ଭିତରୁ ଓ ବାହାରୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନେ ପ୍ରତ୍ୟେକ ଦିନ ଆସନ୍ତି । ସେମାନଙ୍କ ସୁରକ୍ଷା ଆମର ପ୍ରାଥମିକ କର୍ତ୍ତବ୍ୟ । ଶ୍ରୀମନ୍ଦିର ଓ ଭକ୍ତମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ” ।ଶ୍ରୀମନ୍ଦିରରେ ଶାନ୍ତି-ଶୃଙ୍ଖଳା ରକ୍ଷା ପାଇଁ ସେବାୟତ, ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସମ୍ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ନୂଆ ଏସପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୋମବାର ସେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଲୋଡ଼ିଥିଲେ। ମଙ୍ଗଳବାର ପୂର୍ବତନ ଏସପି ପିନାକ ମିଶ୍ରଙ୍କଠାରୁ ଆନୁଷ୍ଠାନିକ ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି । ଦାଇତ୍ୱ ଗ୍ରହଣ ପରେ, ସେ ବୈଠକ ହଲରେ ସାମ୍ବାଦିକମାନଙ୍କ ସହ ପରିଚିତ ହେବା ସହ ଅନେକ ପ୍ରସଙ୍ଗରେ ସମ୍ୟକ ଆଲୋଚନା କରିଥିଲେ । ପରେ ଜିଲ୍ଲାର ବିଭିନ୍ନ ଥାନାର ଅଧିକାରୀମାନଙ୍କୁ ସାକ୍ଷାତ କରିଥିଲେ । ଥାନା ଅଧିକାରୀମାନେ ଫୁଲତୋଡ଼ା ଦେଇ ନୂଆ ଏସପିଙ୍କୁ ସ୍ୱାଗତ କରିଥିଲେ । ପରେ, ଜିଲ୍ଲାର ଆଇନ-ଶୃଙ୍ଖଳା ପରିସ୍ଥିତି, ଅପରାଧ ଓ ଅପରାଧୀ ହ୍ରାସ ପାଇଁ ବିସ୍ତୃତ ଆଲୋଚନା କରାଯାଇଥିବା ସୂଚନା ରହିଛି ।

Leave A Reply

Your email address will not be published.