ଅକ୍ଓ୍ବାନ୍ ବାତ୍ୟା ମୁକାବିଲା ପାଇଁ ଓଡ଼ଗାଁ ବ୍ଳକ ପ୍ରଶାସନ ଓ ଏନ୍ଏସିର ତତ୍ପରତା,

128


୩୧ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ସ୍ଥାନାନ୍ତର, ୫୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ଆଶ୍ରୟ



ଓଡ଼ଗାଁ, ୧୯।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ସମ୍ଭାବ୍ୟ ଆକଓ୍ବାନ୍ ବାତ୍ୟାର ମୁକାବିଲା ଏବଂ ଜନଜୀବନର ସୁରକ୍ଷାକୁ ପ୍ରାଥମିକତା ଦେଇ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବାତ୍ୟା ପୂର୍ବରୁ ବିପଦସଂକୁଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ସହ ଖାଦ୍ୟ, ପାନୀୟ ଓ ଆଶ୍ରୟ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ଓଡ଼ଗାଁ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରୁ ୩୧ ଜଣ ଆସନ୍ନ ପ୍ରସବା ଗର୍ଭବତୀ ମହିଳାଙ୍କୁ ଅଙ୍ଗନବାଡ଼ି କର୍ମୀଙ୍କ ସହାୟତାରେ ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ୫୦୦ରୁ ଊର୍ଦ୍ଧ୍ୱ ପୁରୁଷ, ମହିଳା ଓ ଶିଶୁଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ନିଆଯାଇଛି। ବିଶେଷକରି ରୋହିବାଙ୍କ, ସୁନାମୁହିଁ, ସରଧାପୁର, ଡିମିସର, କଜଳାଇପଲ୍ଲୀର ଗୋଚ୍ଛା ଓ ବଡ଼ଗୋରଡ଼ା ଆଦି ଅଞ୍ଚଳରେ ଝାଟିମାଟି ଓ ବିପଦସଂକୁଳ କଚ୍ଚା ଘରେ ରହୁଥିବା ପରିବାରଗୁଡ଼ିକୁ ଆଗୁଆ ସ୍ଥାନାନ୍ତର କରାଯାଇଛି। ଓଡ଼ଗାଁ ବିଡିଓ ପ୍ରୀତିବାଳା ରଣା ଓ ତହସିଲଦାର ଡ. ମାନସ ରଞ୍ଜନ ଭୋଇ ବିଭିନ୍ନ ପଞ୍ଚାୟତ ପରିଦର୍ଶନ କରି ଲୋକଙ୍କୁ ବୁଝାସୁଝା କରି ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦେଉଛନ୍ତି। ଅନ୍ୟପକ୍ଷରେ ପଞ୍ଚାୟତ ଅଧିକାରୀମାନେ ସ୍ଥାନୀୟ ସରପଞ୍ଚଙ୍କ ସହଯୋଗରେ ଆଶ୍ରୟସ୍ଥଳରେ ରହୁଥିବା ଲୋକଙ୍କ ପାଇଁ ରହିବା, ରନ୍ଧାଖାଦ୍ୟ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିଛନ୍ତି। ସମଗ୍ର ସ୍ଥାନାନ୍ତର ଓ ରିଲିଫ୍ କାର୍ଯ୍ୟକୁ ବିଡିଓ ଓ ତହସିଲଦାର ତଦାରଖ କରୁଥିବା ବେଳେ ଖବର ଲେଖାଯିବା ସୁଦ୍ଧା ଏହି ପ୍ରକ୍ରିୟା ଜାରି ରହିଥିଲା। ବ୍ଲକ୍‌ର କେତେକ ପଞ୍ଚାୟତରେ ମାଟିଆ କେଳା ଓ ମୁଣ୍ଡପୋତା କେଳା ସମ୍ପ୍ରଦାୟର ଲୋକେ ଝାଟିମାଟି ଓ ଚାଳଛପର ଘରେ ଅସ୍ଥାୟୀ ଭାବେ ବସବାସ କରୁଥିବାରୁ ସେମାନଙ୍କ ସୁରକ୍ଷା ପ୍ରତି ବ୍ଲକ୍ ପ୍ରଶାସନ ବିଶେଷ ଗୁରୁତ୍ୱ ଦେଇଛି। ଅନ୍ୟପଟେ ଓଡ଼ଗାଁ ଏନ୍‌ଏସି ପକ୍ଷରୁ ମଧ୍ୟ ବାତ୍ୟା ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି କରାଯାଇଛି। ୯ ନମ୍ବର ୱାର୍ଡ ଅନ୍ତର୍ଗତ ମଠଖଜୁରିଆ ଓ କୁମ୍ଭିଆପଲ୍ଲୀ ସମେତ ଆଖପାଖ ଅଞ୍ଚଳର ଲୋକଙ୍କୁ ସତର୍କ ଓ ସଚେତନ ରହିବାକୁ ଏନ୍‌ଏସି ପକ୍ଷରୁ ନିବେଦନ କରାଯାଇଛି। ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ୩୬ ଜଣଙ୍କୁ ସ୍ଥାନୀୟ ପିମିଟ କଲେଜ ପରିସରରେ ଥିବା ସୁରକ୍ଷିତ ଆଶ୍ରୟସ୍ଥଳକୁ ନିଆଯାଇଛି। ସେଠାରେ ସେମାନଙ୍କ ପାଇଁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟନର ବ୍ୟବସ୍ଥା କରାଯାଇଛି। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଏନ୍‌ଏସି କାର୍ଯ୍ୟାଳୟରେ ପାଣି ଟ୍ୟାଙ୍କର, ଟ୍ରାକ୍ଟର, ଜେନେରେଟର ଓ ଉଦ୍ଧାରକାରୀ ଦଳକୁ ପ୍ରସ୍ତୁତ ରଖାଯାଇଛି। ଏଥିସହ ଜନସାଧାରଣଙ୍କୁ ବିପଦସଂକୁଳ ଓ ଜରାଜୀର୍ଣ୍ଣ ଘର ଛାଡ଼ି ନିକଟସ୍ଥ ସୁରକ୍ଷିତ ଆଶ୍ରୟସ୍ଥଳକୁ ଯିବା, ବିଦ୍ୟୁତ୍ ଖୁଣ୍ଟ ଓ ଛିଣ୍ଡା ତାରଠାରୁ ଦୂରେଇ ରହିବା, ବଡ଼ ଗଛ ଓ ବିଜ୍ଞାପନ ଫଳକ ତଳେ ଆଶ୍ରୟ ନ ନେବାକୁ ପରାମର୍ଶ ଦିଆଯାଇଛି। ଏଥିସହ ଆବଶ୍ୟକ ଶୁଖିଲା ଖାଦ୍ୟ, ପାନୀୟ ଜଳ, ଔଷଧ, ଟର୍ଚ୍ଚ ଓ ଜରୁରୀ କାଗଜପତ୍ର ପ୍ରସ୍ତୁତ ରଖିବାକୁ ମଧ୍ୟ ସଚେତନ କରାଯାଇଛି। ବିଶେଷକରି ଶିଶୁ, ବୟସ୍କ, ଦିବ୍ୟାଙ୍ଗ ଓ ଅସହାୟ ବ୍ୟକ୍ତିଙ୍କ ପ୍ରତି ଯତ୍ନବାନ ହେବା ସହ ପ୍ରଶାସନର ନିର୍ଦ୍ଦେଶକୁ ପାଳନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ବାତ୍ୟାକୁ ରୋକିବା ସମ୍ଭବ ନ ହେଲେ ମଧ୍ୟ ଆଗୁଆ ସତର୍କତା, ସଚେତନତା ଓ ପ୍ରଶାସନର ସମନ୍ୱିତ ପଦକ୍ଷେପ ଦ୍ୱାରା ଧନଜୀବନର କ୍ଷୟକ୍ଷତିକୁ ଯଥେଷ୍ଟ ହ୍ରାସ କରାଯାଇପାରିବ। ଏହି ଲକ୍ଷ୍ୟ ନେଇ ଓଡ଼ଗାଁ ବ୍ଲକ୍ ପ୍ରଶାସନ ଓ ଏନ୍‌ଏସି ପକ୍ଷରୁ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଜାରି ରହିଛି।

Leave A Reply

Your email address will not be published.