ବ୍ରହ୍ମପୁର, ନଭେମ୍ବର: ବାତ୍ୟା ଅକ୍ୱାନ ପରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିବା ସହ ବିଦ୍ୟୁତ ଯୋଗାଣ ପୁନଃସ୍ଥାପନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍)ର ସିଇଓ ଶ୍ରୀ ଅମିତ କୁମାର ଗର୍ଗ। ଏହି ଗସ୍ତ ସମୟରେ ସେ ନରେନ୍ଦ୍ରପୁର ସେକ୍ସନ୍ ଅନ୍ତର୍ଗତ ତଳ ପୁଟବାଗଡ଼ ଗ୍ରାମ ସମେତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ ଏବଂ ଜନପ୍ରତିନିଧି, ସରପଞ୍ଚ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ।
ଏହି ଆଲୋଚନା ସମୟରେ ଶ୍ରୀ ଗର୍ଗ ବିଭିନ୍ନ ଅଞ୍ଚଳରେ ହୋଇଥିବା ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ବାତ୍ୟା ପରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବା ପାଇଁ ନିରନ୍ତର ପରିଶ୍ରମ କରିଥିବା କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ। ଏଥିସହ ସ୍ଥାନୀୟ ଜନପ୍ରତିନିଧି ଓ ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ବାତ୍ୟାର ପ୍ରଭାବ ଏବଂ ପୁନରୁଦ୍ଧାର କାର୍ଯ୍ୟ ଦ୍ୱାରା ସେମାନଙ୍କୁ ମିଳିଥିବା ସହାୟତା ସମ୍ପର୍କରେ ମତାମତ ନେଇଥିଲେ।
ବାତ୍ୟା ଯୋଗୁଁ ଟିପିଏସ୍ଓଡିଏଲ୍ର କାର୍ଯ୍ୟକ୍ଷେତ୍ରରେ ମୋଟ ୧୦,୮୩,୩୪୮ ଜଣ ଉପଭୋକ୍ତା ପ୍ରଭାବିତ ହୋଇଥିଲେ । ଏଥିମଧ୍ୟରେ ଗଞ୍ଜାମ ଜିଲ୍ଲାର ୫,୩୪,୩୬୧ ଜଣ ଏବଂ ନବରଙ୍ଗପୁର ଜିଲ୍ଲାର ୧,୨୩,୨୫୨ ଜଣ ଉପଭୋକ୍ତା ସାମିଲ ଥିଲେ। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାର କ୍ଷତିଗ୍ରସ୍ତ ଭିତ୍ତିଭୂମିର ମରାମତି ଏବଂ ବିଦ୍ୟୁତ ଯୋଗାଣ ପୁନଃସ୍ଥାପନ ପାଇଁ ଟିପିଏସ୍ଓଡିଏଲ୍ ବ୍ୟାପକ ପଦକ୍ଷେପ ନେଇଥିଲା । କର୍ମଚାରୀ ଓ ପୁନରୁଦ୍ଧାର ଟିମ୍ଗୁଡ଼ିକ ନିରନ୍ତର କାର୍ଯ୍ୟ କରି କ୍ଷତିଗ୍ରସ୍ତ ବିଦ୍ୟୁତ ଭିତ୍ତିଭୂମିର ମରାମତି ସହ ଉପଭୋକ୍ତାଙ୍କୁ ବିଦ୍ୟୁତ ସେବା ଯୋଗାଇବାରେ ନିୟୋଜିତ ଥିଲେ।
ଏହି ପରିଦର୍ଶନ ସମୟରେ ଶ୍ରୀ ଗର୍ଗଙ୍କ ସହ ଟିପିଏସ୍ଓଡିଏଲ୍ର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଯେଉଁଥିରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଗସ୍ତ କରି କ୍ଷେତ୍ରସ୍ତରରେ ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ଜନପ୍ରତିନିଧି ଓ ଅଞ୍ଚଳବାସୀଙ୍କ ସହ ଯୋଗାଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବାତ୍ୟା ଅକ୍ୱାନ ପରବର୍ତ୍ତୀ ସମୟରେ ସ୍ଥାନୀୟ ସମୁଦାୟ ଓ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ସହ ନିରନ୍ତର ଯୋଗାଯୋଗ ରଖି ପୁନରୁଦ୍ଧାର କାର୍ଯ୍ୟକୁ ଆଗେଇ ନେବା ପ୍ରତି ଟିପିଏସ୍ଓଡିଏଲ୍ର ପ୍ରତିବଦ୍ଧତାକୁ ସିଇଓଙ୍କ ଏହି ଗସ୍ତ ପ୍ରତିଫଳିତ କରୁଛି । ଦକ୍ଷିଣ ଓଡ଼ିଶାରେ ସୁରକ୍ଷିତ ଓ ଭରସାଯୋଗ୍ୟ ବିଜୁଳି ସେବା ଯୋଗାଇବା ସହ ବିଦ୍ୟୁତ ବଣ୍ଟନ ନେଟୱର୍କକୁ ଅଧିକ ସୁଦୃଢ଼ କରିବା ଦିଗରେ କମ୍ପାନୀ ନିରନ୍ତର ପ୍ରୟାସ ଜାରି ରଖିଛି।