“ଗଡ଼ଖାଇରେ ବୁଡ଼ିଯାଉଥିବା କାର୍ରୁ ୩ ଯୁବକ ଓ ୩ ଯୁବତୀଙ୍କୁ ଉଦ୍ଧାର; ସାହସିକତା ଓ ମାନବିକତାର ପରିଚୟ”
କଟକ, ୧୯ ନଭେମ୍ବର: ନିଜ ଜୀବନକୁ ଖାତିର ନକରି ମୃତ୍ୟୁ ସହ ସଂଘର୍ଷ କରୁଥିବା ୬ ଜଣଙ୍କ ଜୀବନ ବଞ୍ଚାଇ ମାନବିକତା ଓ ଅସାଧାରଣ ସାହସିକତାର ପରିଚୟ ଦେଇଛନ୍ତି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସେକ୍ସନ ଅଧିକାରୀ ଶ୍ରୀ ନରେଶ ଚନ୍ଦ୍ର ମହାପାତ୍ର। ଗଡ଼ଖାଇରେ ବୁଡ଼ିଯାଉଥିବା ଏକ କାର୍ରୁ ୩ ଜଣ ଯୁବକ ଓ ୩ ଜଣ ଯୁବତୀଙ୍କୁ ସେ ଉଦ୍ଧାର କରିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୫ଟା ସମୟରେ ୬ ଜଣ ଯୁବକ-ଯୁବତୀ ଏକ କାର୍ରେ ଯାଉଥିବା ବେଳେ କୌଣସି କାରଣବଶତଃ କାର୍ଟି ଗଡ଼ଖାଇ ମଧ୍ୟକୁ ଖସିପଡ଼ିଥିଲା। ହଠାତ୍ ଘଟିଥିବା ଏହି ଅଘଟଣରେ କାର୍ ଭିତରେ ଥିବା ୬ ଜଣ ପାଣିରେ ପଡି ଯାଇଥିଲେ। ଭୋର ସମୟରେ ଏଭଳି ଏକ ଦୁର୍ଘଟଣା ଘଟିବା ପରେ ସେମାନଙ୍କ ଜୀବନ ଗଭୀର ସଙ୍କଟରେ ପଡ଼ିଯାଇଥିଲା।
ଏହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ନରେଶ ମହାପାତ୍ର ପରିସ୍ଥିତିର ଗମ୍ଭୀରତାକୁ ହୃଦୟଙ୍ଗମ କରି ମୁହୂର୍ତ୍ତକ ପାଇଁ ମଧ୍ୟ ବିଳମ୍ବ ନକରି ଗଡ଼ଖାଇକୁ ଡେଇଁ ପଡ଼ିଥିଲେ। ନିଜ ଜୀବନକୁ ବାଜି ଲଗାଇ ସେ ଜଣକ ପରେ ଜଣଙ୍କୁ ଉଦ୍ଧାର କରିବାରେ ଲାଗିଥିଲେ। ଶେଷରେ କାର୍ ଭିତରେ ଫସିଥିବା ସମସ୍ତ ୬ ଜଣଙ୍କୁ ସେ ସୁରକ୍ଷିତ ଭାବେ ବାହାରକୁ ଆଣିବାରେ ସଫଳ ହୋଇଥିଲେ।
ନରେଶ ମହାପାତ୍ରଙ୍କ ଏହି ତତ୍ପରତା ଓ ସାହସିକତା ଯୋଗୁଁ ୬ଟି ଅମୂଲ୍ୟ ଜୀବନ ରକ୍ଷା ପାଇପାରିଛି। ଜଣେ ସରକାରୀ କର୍ମଚାରୀ ଭାବେ ନିଜ କର୍ତ୍ତବ୍ୟ ପାଳନ ସହ ଜଣେ ସଚେତନ ନାଗରିକ ଓ ମାନବିକ ମୂଲ୍ୟବୋଧର ଅଧିକାରୀ ଭାବେ ସେ ଯେଉଁ ଉଦାହରଣ ସୃଷ୍ଟି କରିଛନ୍ତି, ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ। ସୂଚନାଯୋଗ୍ୟ ଶ୍ରୀ ମହାପାତ୍ର କଟକ ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ଷ୍ଟାଫ୍ କମିଟି ସଭାପତି ମଧ୍ୟ ଅଛନ୍ତି।