ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁରର ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ “ଏଣ୍ଟି ରେଗିଙ୍ଗ ସପ୍ତାହ” ପାଳନ କରାଯାଇଛି । ଏହା ସହିତ, ନାରୀ ନିର୍ଯାତନାକୁ କିପରି ରୋକାଯାଇପାରିବ ବିଷୟରେ ଏକ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା ।
ଅନୁଷ୍ଠାନରେ ପ୍ରିନ୍ସିପାଲ ଡଃ. କାହ୍ନୁଚରଣ ପାଣିଗ୍ରାହୀ ଏଥିରେ ଅଧ୍ୟକ୍ଷତା କରିଥିଲେ ଓ ମୁଖ୍ୟ ଅତିଥି ଭାବେ ରୋଲାଣ୍ଡ ଫାର୍ମାସି କଲେଜର ପ୍ରଫେସର ଡଃ.ଗୌତମ କୁମାର ଜେନା ଯୋଗଦେଇଥିଲେ । ରେଗିଙ୍ଗ କରିବା ଏକ ଗୁରୁତର ଅପରାଧ ଓ ଏହାଠାରୁ ଛାତ୍ରଛାତ୍ରୀମାନେ ଦୂରେଇ ରହିବା ଉଚିତ ବୋଲି ନିଜ ବକ୍ତବ୍ୟ ଅତିଥି ମାନେ କହିଥିଲେ ।
ଭାରତର ସର୍ବୋଚ୍ଚ ନ୍ୟାୟାଳୟ ରେଗିଙ୍ଗକୁ ଅପରାଧ ଘୋଷଣା କରି, ଏହା ପାଇଁ କାନୁନୀ ଦଣ୍ଡର ବ୍ୟବସ୍ଥା କରିଛନ୍ତି, ଯାହା ଜେଲ ଦଣ୍ଡ ପର୍ଯ୍ୟନ୍ତ ହୋଇପାରେ । ୟୁ.ଜି.ସି ମଧ୍ୟ ସୂଚନା ଦେଇଛି ଯଦି କେହି ରେଗିଙ୍ଗର ଶିକାର ହୁଅନ୍ତି, ସେମାନେ ଏଣ୍ଟି ରେଗିଙ୍ଗ ହେଲ୍ପଲାଇନ ୧୮୦୦ ୧୮୦ ୫୫୨୨ କୁ ଫୋନ କରି ଅଭିଯୋଗ କରିପାରିବେ ।
ପ୍ରଶାସନିକ ଅଧିକାରୀ ପି.ଭି. କୋଟେଶ୍ୱର ରାଓ କହିଥିଲେ ଆବଶ୍ୟକ ହେଲେ, ରେଗିଙ୍ଗ କରିଥିବା ଓ ଶିକାର ହୋଇଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ସାମ୍ନାରେ ମହାବିଦ୍ୟାଳୟର କତୃପକ୍ଷ କଡ଼ା କାର୍ଯ୍ୟାନୁଷ୍ଠାନ ନେଇପାଇବେ ।
ରେଗିଙ୍ଗ ଠାରୁ ଦୂରେଇ ରହି, ଶିକ୍ଷାକୁ ଗୁରୁତ୍ୱ ଦେଇ, ଭଲ ମଣିଷ ରୂପେ ନିଜକୁ ଗଢ଼ିବା ପାଇଁ ଚେୟାରମ୍ୟାନ ଶ୍ରୀଯୁକ୍ତ ଅକ୍ଷୟ ଦାସ ଓ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞୟ ସାହୁ ଛାତ୍ରଛାତ୍ରୀଙ୍କୁ ନିଜ ବାର୍ତ୍ତା ମାଧ୍ୟମରେ ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମଟିର ପରିଚାଳନା ରାଜୀବ ପଣ୍ଡା କରିଥିଲେ ।