ରାୟଗଡା ରୁ ବୈକୁଣ୍ଠ ଦୁରିଆ -କଦଳୀ ତନ୍ତୁରୁ ହସ୍ତଶିଳ୍ପ ସାମଗ୍ରୀ ତିଆରି କରି ମହିଳାମାନେ କିପରି ନିଜର ବ୍ୟବସାୟ ଆରମ୍ଭ କରିବେ ଓ ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବେ, ସେଥିପାଇଁ ରାୟଗଡ଼ା ଜିଲ୍ଲାର କାରୁବାଇଠାରେ ୨୬ ଦିନିଆ ନିଃଶୁଳ୍କ ତାଲିମ ଦିଆଯାଇଥିଲା। ଆକ୍ସେଞ୍ଚରର ସହଯୋଗରେ ଭାରତୀୟ ଉଦ୍ୟମିତା ବିକାଶ ପ୍ରତିଷ୍ଠାନ (ଇଡିଆଇଆଇ) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୫୦ ଜଣ ମହିଳା ଭାଗ ନେଇଥିଲେ।
ତାଲିମରେ ମହିଳାମାନେ କଦଳୀ ତନ୍ତୁରୁ ଫୁଲ ଝୁଡ଼ି, ଫଳ ଝୁଡ଼ି, କଲମଦାନି ଓ ବ୍ୟାଗ୍ ସମେତ ବିଭିନ୍ନ ହସ୍ତଶିଳ୍ପ ଓ ଗୃହସଜ୍ଜା ସାମଗ୍ରୀ ପ୍ରସ୍ତୁତ କରିବା ଶିଖିଥିଲେ। ଏଥି ସହ ଉତ୍ପାଦର ବଜାରୀକରଣ, ବ୍ୟାଙ୍କ ଋଣ ପାଇଁ ଆବେଦନ ଏବଂ ଉଦ୍ୟମ ପଞ୍ଜୀକରଣ ସହ ଜଡ଼ିତ ବ୍ୟବସାୟିକ ଦସ୍ତାବିଜ ପ୍ରସ୍ତୁତି ବିଷୟରେ ମଧ୍ୟ ସେମାନଙ୍କୁ ମାର୍ଗଦର୍ଶନ ଦିଆଯାଇଥିଲା।

୨୮ ନଭେମ୍ବରରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ତାଲିମାର୍ଥୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। ଏଥିରେ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ଅଧୀନ ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଶଙ୍କର ଚାଲାନ, କାରୁବାଇ ପଞ୍ଚାୟତ ସମିତି ସଭ୍ୟ ସୁଖଦେବ ସରକା, ଇଡିଆଇଆଇର ପ୍ରକଳ୍ପ ସଂଯୋଜକ ଅମିତ କୁମାର ଜେନା, ରାମଚଣ୍ଡୀ ଫାଉଣ୍ଡେସନର ମୁଖ୍ୟ ପ୍ରଶିକ୍ଷକ ନାରାୟଣ ସାହୁ, ଅନ୍ୟ ପଞ୍ଚାୟତିରାଜ ପ୍ରତିନିଧି ଓ ଓଡ଼ିଶା ଜୀବିକା ମିଶନର କର୍ମୀମାନେ ଉପସ୍ଥିତ ଥିଲେ।