ଡ. ସତ୍ୟନାରାୟଣ ରାଜଗୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସରେ ସ୍ୱତନ୍ତ୍ର ପ୍ରାଥମିକ ସଂସ୍କାର ଓ ବୌଦ୍ଧିକ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ
– ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଡ. ସତ୍ୟନାରାୟଣ ରାଜଗୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସ ପରିସରରେ ଆଜି ପବିତ୍ର ମାର୍ଗଶୀର କୃଷ୍ଣ ଷଷ୍ଠୀ ତିଥି ଅବସରରେ ବାଳ-ମୁକୁନ୍ଦ କେନ୍ଦ୍ର , ପାରଳାଖେମୁଣ୍ଡି ପକ୍ଷରୁ ଅନ୍ତେବାସୀ ଶିଶୁମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରାଥମିକ ସଂସ୍କାର ଓ ବୌଦ୍ଧିକ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ପରିଚାଳନାରେ ଆୟୋଜିତ ଏହି ଶିବିରରେ ଛାତ୍ରାବାସର ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ପିଲାମାନଙ୍କୁ ସୂର୍ଯ୍ୟ ନମସ୍କାର , ପ୍ରାଣାୟାମ ଓ ଧ୍ୟାନ ଅଭ୍ୟାସ କରାଯିବା ସହିତ ଶୀତଦିନିଆ ସ୍ୱାସ୍ଥ୍ୟ ରକ୍ଷା ଓ ବ୍ୟକ୍ତିଗତ ସ୍ୱଚ୍ଛତା (ନଖ, ଦାନ୍ତ ଓ ପୋଷାକ ପରିଷ୍କାର ରଖିବା) ସମ୍ପର୍କରେ ସଚେତନ କରାଯାଇଥିଲା। ଏହାପରେ ଗତ ସପ୍ତାହରେ ପାଳିତ ହୋଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ , ଭାରତୀୟ ସମ୍ବିଧାନ ଦିବସ , ଜାତୀୟ ଦୁଗ୍ଧ ଦିବସ ଏବଂ ମଙ୍ଗଳଯାନ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ପିଲାମାନଙ୍କୁ ସରଳ ଭାଷାରେ ବୁଝାଯିବା ସହ ପ୍ରଶ୍ନୋତ୍ତର ଏବଂ ମଜାଦାର ଗଣିତ ଖେଳ (ଫିବୋନାଚି କ୍ରମ) ମାଧ୍ୟମରେ ସେମାନଙ୍କ ବୌଦ୍ଧିକ ବିକାଶ କରାଯାଇଥିଲା।
ଏହି ଅବସରରେ ଶ୍ରୀ ଚୌଧୁରୀ ଚାରୋଟି ମହାନ ଆଧ୍ୟାତ୍ମିକ ଓ ନୈତିକ ସ୍ତମ୍ଭ— ଶ୍ରୀଜଗନ୍ନାଥ ସଂସ୍କୃତିର ସାମ୍ୟବାଦ , ଶ୍ରୀମଦ୍ ଭଗବଦ୍ ଗୀତାର କର୍ମଯୋଗ , ଜଗଦ୍ଗୁରୁ ଶ୍ରୀ କୃପାଳୁଜୀ ମହାରାଜଙ୍କ ଦର୍ଶନ ଏବଂ ସ୍ୱାମୀ ମୁକୁନ୍ଦାନନ୍ଦ ଜୀଙ୍କ ମନୋନିୟନ୍ତ୍ରଣ ଓ ଚରିତ୍ର ଗଠନ ବାର୍ତ୍ତା ଆଧାରରେ ପ୍ରେରଣାଦାୟୀ ଗଳ୍ପ ଓ ଶିଶୁ କବିତା ମାଧ୍ୟମରେ ପିଲାମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।
କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଆଗାମୀ ସପ୍ତାହରେ ପଡ଼ୁଥିବା ପ୍ରଥମାଷ୍ଟମୀ , ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ , ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ , ଭାରତୀୟ ନୌସେନା ଦିବସ , ବିଶ୍ୱ ମୃତ୍ତିକା ଦିବସ ଏବଂ ଡ. ବି. ଆର୍. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସକୁ ଦୃଷ୍ଟିରେ ରଖି ଅନ୍ତେବାସୀ ପିଲାମାନଙ୍କୁ ପ୍ଲାଷ୍ଟିକ୍ ବର୍ଜନ , ବଡ଼ମାନଙ୍କୁ ସମ୍ମାନ , ଭିନ୍ନକ୍ଷମ ସହପାଠୀଙ୍କୁ ସହଯୋଗ ତଥା ନିୟମିତ ଅଧ୍ୟୟନ କରିବାର ସାମୂହିକ ସଂକଳ୍ପ ଗ୍ରହଣ କରାଯାଇଥିଲା। ପରିଶେଷରେ ସାମୂହିକ ଭଜନ-କୀର୍ତ୍ତନ ଓ ସାତ୍ତ୍ୱିକ ପ୍ରସାଦ ବଣ୍ଟନ ସହ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।