ନୟାଗଡ଼, ୨୯।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ନଟରାଜ କଳାକ୍ଷେତ୍ରର ୨୭ତମ ବାର୍ଷିକ ଉତ୍ସବ ଆଡ଼ମ୍ବରରେ ପାଳିତ ହୋଇଛି। କଳା ଓ ସଂସ୍କୃତିର ସୁରକ୍ଷା ସହ ନୂତନ ପିଢ଼ି ମଧ୍ୟରେ ନୃତ୍ୟକଳା ପ୍ରତି ଆଗ୍ରହ ସୃଷ୍ଟି ଓ ପ୍ରତିଭାର ବିକାଶ ଲକ୍ଷ୍ୟରେ ଆୟୋଜିତ ଏହି ଉତ୍ସବ ଅନୁଷ୍ଠାନର ସଭାପତି ଭାରତୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ଏଥିରେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକନୃତ୍ୟ ଓ ଶାସ୍ତ୍ରୀୟ ନୃତ୍ୟର ସାଂସ୍କୃତିକ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ନୃତ୍ୟକଳା ଆଜି ବିଶ୍ୱସ୍ତରରେ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ଦେଇଥିବା ବେଳେ ଏହି ପରମ୍ପରାକୁ ଆଗାମୀ ପିଢ଼ି ଯାଏଁ ପହଞ୍ଚାଇବା ଓ ନିଜ ପ୍ରତିଭାର ବିକାଶ ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ବନଲତା ବେହେରା, ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ଓ ସାହିତ୍ୟିକ ଅଲେଖ ଚରଣ ମଲ୍ଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ କଳା ଓ ସଂସ୍କୃତିର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର ଉପରେ ମତ ରଖିଥିଲେ।

ଗଞ୍ଜାମ ଜିଲ୍ଲା ପୋଲସରା ଓ ନୟାଗଡ଼ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଉତ୍ସବରେ ୭୫ ଜଣ ଛାତ୍ରଛାତ୍ରୀ ବିଭିନ୍ନ ଲୋକନୃତ୍ୟ ଓ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ। ନୃତ୍ୟର ତାଳେ ତାଳେ ମଞ୍ଚରେ ଝଲସି ଉଠିଥିଲା । ଏହି ଅବସରରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ତଥା ନୃତ୍ୟଗୁରୁ ଦୁର୍ଗା ପ୍ରସାଦ ପଣ୍ଡା ସମ୍ପାଦକୀୟ ବିବରଣୀ ପାଠ କରି ୨୭ ବର୍ଷର କଳା ଯାତ୍ରା, ସଫଳତା ଓ ଭବିଷ୍ୟତର ଲକ୍ଷ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଦୀର୍ଘ ୨୭ ବର୍ଷ ଧରି ନୃତ୍ୟକଳାର ପ୍ରଚାର ପ୍ରସାର ଓ ନୂତନ ପ୍ରତିଭାଙ୍କୁ ମଞ୍ଚ ଯୋଗାଇ ଆସୁଥିବା ଏହି ଅନୁଷ୍ଠାନ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ କଳା ପ୍ରଦର୍ଶନ କରି ସୁନାମ ଅର୍ଜନ କରିଛି। ଅଧ୍ୟାପକ ସତ୍ୟନାରାୟଣ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ।