ଶ୍ୱେତପଦ୍ମା ସାହିତ୍ୟ ସଂସଦର ତୃତୀୟ ବାର୍ଷିକ ଉତ୍ସବ ସହ ଉନ୍ମୋଚିତ ହେଲା ଇଂ ବିଜୟ ଚନ୍ଦ୍ର ମିଶ୍ରଙ୍କ ‘ପ୍ରୀତି

14


ସୁଧା” ଓ ଆରତୀ ରଥଙ୍କ ‘ଭିନ୍ନ ଆକାଶ’

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଶ୍ଵେତପଦ୍ମା ସାହିତ୍ୟ ସଂସଦର ବାର୍ଷିକୋତ୍ସବ–୨୦୨୬ ଓ ସାରସ୍ଵତ ମିଳନ ବ୍ରହ୍ମପୁରସ୍ଥିତ ଶଶିଭୂଷଣ ରଥ ସରକାରୀ ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟ ପରିସରରେ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି ।
ଶ୍ଵେତପଦ୍ମା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ଇଂ. ବିଜୟ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ସାରସ୍ଵତ ସମାରୋହ ଅନୁଷ୍ଠିତ ହୋଇଥିଲା। ​ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ବାଲାଜୀ ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରାକ୍ତନ ପ୍ରାଧ୍ୟାପକ ତଥା ସୁସାହିତ୍ୟିକ ଡ. ସୁରେନ୍ଦ୍ରନାଥ ପାଣିଗ୍ରାହୀ ମୁଖ୍ୟ ଅତିଥି , କୋରାପୁଟର ବିଶିଷ୍ଟ ସାହିତ୍ୟିକ ତଥା ଲୋକସଂସ୍କୃତି ଗବେଷକ ଡ. ରାଜେନ୍ଦ୍ର ପାଢ଼ୀ ବିଶିଷ୍ଟ ଅତିଥି ଏବଂ ବାଲେଶ୍ୱରର ବିଶିଷ୍ଟ ସାହିତ୍ୟିକ , ପ୍ରକାଶକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଡ. କାଳୀପଦ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ସେହିପରି ବିଶିଷ୍ଟ କବି , ସଂଗଠକ , ସମ୍ପାଦକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ସୁଶାନ୍ତ ଦାଶ , ବିଶିଷ୍ଟ କବି ପ୍ରଫେସର ଡା. ରାଜେନ୍ଦ୍ର କୁମାର ବେହେରା ଏବଂ ଶଶିଭୂଷଣ ରଥ , ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ କେ. ନାରାୟଣ ରାଓ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ।
ଏହି ସାରସ୍ଵତ ଉତ୍ସବରେ ସଂସଦର ମୁଖପତ୍ର ‘ସୁମନା ଶ୍ଵେତପଦ୍ମା’ର ଶୁଭ ଉନ୍ମୋଚନ କରାଯାଇଥିଲା । ଏଥିସହ କବି ଇଂ. ବିଜୟ ଚନ୍ଦ୍ର ମିଶ୍ରଙ୍କ କବିତା ସଂକଳନ ‘ପ୍ରୀତିସୁଧା’ ଓ କବି ଆରତୀ ରଥଙ୍କ ‘ଭିନ୍ନ ଏକ ଆକାଶ’ ପୁସ୍ତକ ଲୋକାର୍ପିତ ହୋଇଥିଲା । ଏହି ଅବସରରେ ଡ. ରାଜେନ୍ଦ୍ର ପାଢ଼ୀଙ୍କୁ ‘ସୁଦର୍ଶନ ଆଚାର୍ଯ୍ୟ ସ୍ମୃତି ସମ୍ମାନ–୨୦୨୬’, ଡ. ସଂଘମିତ୍ରା ରାଏଗୁରୁଙ୍କୁ ‘ଶ୍ଵେତପଦ୍ମା ଅନୁବାଦ ସାହିତ୍ୟ ସମ୍ମାନ–୨୦୨୬’, ଶ୍ରୀଯୁକ୍ତ ସୁଶାନ୍ତ ଦାଶଙ୍କୁ ‘ଶ୍ଵେତପଦ୍ମା କବିତା ସମ୍ମାନ–୨୦୨୬’, ଡ. ତାନଶ୍ରୀ ପାଣିଗ୍ରାହୀଙ୍କୁ ‘ଶ୍ଵେତପଦ୍ମା କବିତା ସମ୍ମାନ–୨୦୨୬’, ସୁଶ୍ରୀ ଭାଗ୍ୟଲକ୍ଷ୍ମୀ ମହାରଣାଙ୍କୁ ‘ଶ୍ଵେତପଦ୍ମା ଗଳ୍ପ ସମ୍ମାନ–୨୦୨୬’ ଓ ସୁଶ୍ରୀ ଅଞ୍ଜନା ପଟ୍ଟନାୟକଙ୍କୁ ‘ଶ୍ଵେତପଦ୍ମା ଯୁବ ପ୍ରତିଭା ସମ୍ମାନ–୨୦୨୬’ ରେ ସମ୍ବର୍ଦ୍ଧିତ କରାଯାଇଥିଲା ।
​ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଶତାଧିକ କବି ଓ କବୟିତ୍ରୀ ଯୋଗଦାନ କରି ସ୍ଵରଚିତ କବିତା ପାଠ କରିଥିଲେ । ଏଥିରେ ଡ. ଲକ୍ଷ୍ମୀନାରାୟଣ ଦାଶ , ଡ. ସଂଘମିତ୍ରା ରାଏଗୁରୁ ଓ ଶ୍ରୀଯୁକ୍ତ ଲଳିତ କୁମାର ସ୍ଵାଇଁ ବରେଣ୍ୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଡ. ତାନଶ୍ରୀ ପାଣିଗ୍ରାହୀ ଓ ସୁଶ୍ରୀ ସ୍ମୃତି ଶ୍ଵେତା ଜେନା କବିତା ପାଠ ଆସରକୁ ସଂଯୋଜନା କରିଥିଲେ । ପ୍ରତିଷ୍ଠାତା ସଭାପତି ତଥା କବି ଓ ଆଇନଜୀବୀ ଇଂ. ବିଜୟ ଚନ୍ଦ୍ର ମିଶ୍ର ଏଥିରେ ସଭାପତିତ୍ଵ କରିଥିଲେ ।
ସାଧାରଣ ସମ୍ପାଦିକା ଶ୍ରୀମତୀ ମଧୁଛନ୍ଦା ମିଶ୍ର , କାର୍ଯ୍ୟକାରୀ ସମ୍ପାଦିକା ଶ୍ରୀମତୀ ସସ୍ମିତା ମିଶ୍ର , ଉପ-ସଭାପତି ଶ୍ରୀଯୁକ୍ତ ବଂଶୀଧର ସେଠୀ ଓ ଉପ-ସଭାପତି ଶ୍ରୀମତୀ ସୌଦାମିନୀ ମିଶ୍ର ଦକ୍ଷତାର ସହ କାର୍ଯ୍ୟକ୍ରମକୁ ପରିଚାଳନା କରି ଏହି ସାହିତ୍ୟ ଉତ୍ସବକୁ ଆଶାତୀତ ସଫଳ କରାଇଥିଲେ । ପରିଶେଷରେ ଉପ-ସଭାପତି ଶ୍ରୀମତୀ ସୌଦାମିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.