-
କେହି ନୂଆ ରୋଗୀ ଚିହ୍ନଟ ହୋଇନାହାନ୍ତି
-
୧୦ ଆକ୍ରାନ୍ତଙ୍କ ମଧ୍ୟରୁ କାହାରି ହସ୍ପିଟାଲ ଆଡ଼ମିଶନ ଦରକାର ହୋଇନାହିଁ
ଭୁବନେଶ୍ୱର ୧୧/୦୮: ଭୁବନେଶ୍ୱର ପୌର ନିଗମ ଅନ୍ତର୍ଗତ ବି.ଜେ.ବି ନଗର ସ୍ଥିତ ମଇଁଷିଖାଲ ବସ୍ତି ରାଜୀବ ଆବାସ ଆପର୍ଟମେଣ୍ଟରେ ଜଣ୍ଡିସ ଦେଖାଦେଇଥିବା ଖବର ମିଳିବା ମାତ୍ରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଟିମ୍ (ରାପିଡ୍ ରେସ୍ପନସ୍ ଟିମ୍) ତରଫରୁ ତତକ୍ଷଣାତ୍ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଇତି ମଧ୍ୟରେ ସଂପୃକ୍ତ ବସ୍ତିରେ ହେଲଥ୍ ଟିମ୍ ପହଞ୍ଚି ସ୍ଥାନୀୟ ସ୍ଵାସ୍ଥ୍ୟ କର୍ମୀମାନଙ୍କ ସହ ମିଳିତ ଭାବେ କ୍ଷେତ୍ରସ୍ତରୀୟ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଛି । ଆବଶ୍ୟକୀୟ ଚିକିତ୍ସା ଓ ପରାମର୍ଶ ଦିଆଯାଇଛି । କୌଣସି ସଂକ୍ରମିତ ରୋଗୀ ଗୁରୁତର ହୋଇନାହାନ୍ତି କିମ୍ବା କେହି ହସ୍ପିଟାଲରେ ଆଡମିସନ୍ ହୋଇନାହାନ୍ତି ।
ପ୍ରାପ୍ତ ସୂଚନା ଅନୁସାରେ ସେହି ବସ୍ତି ଓ ଆପାର୍ଟମେଣ୍ଟର ୩ ଟି ସ୍ଥାନରୁ ପାଣି ନମୁନା ଏବଂ ୫ ଟି ରକ୍ତ ନମୁନା ସଂଗ୍ରହ କରାଯାଇଛି । ସଂଗୃହିତ ରକ୍ତ ନମୁନାରୁ ୪ ଟିରେ ହେପାଟାଇଟିସ୍ ଏ ଭାଇରସ୍ ଚିହ୍ନଟ କରାଯାଇଛି । ପାଣି ନମୁନା ପରୀକ୍ଷା ପାଇଁ ପଠାଯାଇଛି । ସୂଚନାଯୋଗ୍ୟ, ଏଠାରେ ଗଭୀର ନଳକୂପ ପାଣି ପ୍ରକ୍ରିୟା କରଣ କରି ୱାଟକୋ ମାଧ୍ୟମରେ ଯୋଗାଇ ଦିଆଯାଏ । ତେଣୁ ପାଣି ମାଧ୍ୟମରେ ସଂକ୍ରମଣର ସମ୍ଭାବନା ବହୁତ କମ୍ । ସ୍ଵତନ୍ତ୍ର ଖାଦ୍ୟ ନିରାପତ୍ତା ଟିମ୍ ମଧ୍ୟ ବସ୍ତି ଓ ଆଖପାଖ ଅଞ୍ଚଳରେ ଯାଞ୍ଚ୍ କାମ ଜାରି ରଖିଛନ୍ତି ।
ସ୍ଵାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଜଣ୍ଡିସ୍ ସଂକ୍ରମଣ ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି । ଆଉ ଅଧିକ ବ୍ୟକ୍ତି ବା ବସ୍ତି ସଂକ୍ରମିତ ହୋଇନାହାନ୍ତି । ନିଜର ପରିବାରର ସୁରକ୍ଷା ପାଇଁ ବାହାରର ଖାଦ୍ୟ ନ ଖାଇବା ଏବଂ ନିରାପଦ ପାଣି ପିଇବା ନିମନ୍ତେ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।