ଓଡ଼ଗାଁ,୨୪।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରୁ ଏକ ନାବାଳିକା ଅପହରଣ ମାମଲାରେ ଓଡ଼ଗାଁ ପୋଲିସ ରାବରା ପଞ୍ଚାୟତ ରାବରା ସ୍କୁଲ ସାହିର ନବ କୁମାର ସାମଲ (୨୫)କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଥିଲେ । ସେଠାରେ ତାଙ୍କର ଜାମିନ ଖାରଜ ହେବାରୁ ଅଭିଯୁକ୍ତ ନବକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।ଗତ ଜୁନ୍ ମାସ ୧୮ ତାରିଖ ଅପରାହ୍ନରେ ଆରଡ଼ା ପଞ୍ଚାୟତ ଅଞ୍ଚଳର ଜଣେ ନାବାଳିକାକୁ ଗାଁ ମୁଣ୍ଡରୁ କେହି ଅପହରଣ କରିନେଇଥିବା ନେଇ ନାବାଳିକାଙ୍କ ମା’ ୧୯.୬.୨୦୨୫ ତାରିଖରେ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିଲେ । ଓଡ଼ଗାଁ ପୋଲିସ ୧୮୧/୨୦୨୫ରେ ମାମଲା ରୁଜୁ କରି ଏସ୍ଆଇ ଚକ୍ରଧର ସିଂ ତଦନ୍ତ ଦାୟିତ୍ୱ ଗ୍ରହଣ କରିଥିଲେ । ତଦନ୍ତ ଅଧିକାରୀ ନାବାଳିକାର ଫୋନ୍ ଟ୍ରାକିଙ୍ଗ କରିବା ସମୟରେ ନାବାଳିକା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅଧୀନରେ ଥିବା ଡିହ ପାହାଡ଼ ହିଞ୍ଜିଳିକାଟୁ ରେ ଥିବା ଜଣାପଡିଥିଲା । ଓଡ଼ଗାଁ ଥାନା ଇନ୍ସପେକ୍ଟର ଅଭୟ ବେହେରା ଏସ୍ଆଇ ସିଂଙ୍କ ନେତୃତ୍ୱରେ ଏକ ତଦନ୍ତକାରୀ ଦଳ ଗଠନ କରି ପୀଡ଼ିତାକୁ ଉଦ୍ଧାର କରିବା ପାଇଁ ହିଞ୍ଜିଳିକାଟୁ ପଠାଇଥିଲେ । ଓଡ଼ଗାଁ ପୋଲିସ ୨୨ ତାରିଖରେ ହିଞ୍ଜିଳିକାଟୁରେ ପହଞ୍ଚି ସ୍ଥାନୀୟ ପୋଲିସ ସହାୟତାରେ ଗୋଟିଏ ବଖରିକିଆ ଆଜବେଷ୍ଟ ଘରୁ ନାବାଳିକାକୁ ଉଦ୍ଧାର କରିବା ସହିତ ଅପହରଣକାରୀ ନବକୁ ନିଜ ହେପାଜତକୁ ଆଣିଥିଲେ । ଓଡ଼ଗାଁରେ ପହଞ୍ଚିବା ପରେ ପଚରାଉଚରା ବେଳେ ବିବାହର ପ୍ରତିଶୃତି ଦେଇ ନବ ଅପହରଣ କରି ନେଇଯାଇଥିବା ପୀଡ଼ିତା ତାଙ୍କ ବୟାନ ରେକର୍ଡ ସମୟରେ ପୋଲିସକୁ କହିଥିଲେ ।
Sign in
Sign in
Recover your password.
A password will be e-mailed to you.