କୁରାଳରେ ମାଗଣା ଚକ୍ଷୁଚିକିତ୍ସା ଶିବିର, ଅସ୍ତ୍ରୋପଚାର ପାଇଁ ୩ ଜଣ ଭୁବନେଶ୍ୱର ଗଲେ

0 2

ଓଡ଼ଗାଁ,୧୮।୭(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ଅନ୍ତର୍ଗତ କୁରାଳ ମେଡିକାଲ ଛକ ସ୍ଥିତ କଲ୍ୟାଣ ମଣ୍ଡପଠାରେ ବ୍ଲିଜ୍ ଫାଉଣ୍ଡେସନ ଏବଂ କର ଆଇ ହସ୍ପିଟାଲ ଭୁବନେଶ୍ୱର ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପରିଷଦ କୁରାଳର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁଚିକିତ୍ସା ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ୩୮ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର ନିମନ୍ତେ ଆଜି ଅପରାହ୍ନରେ ଭୁବନେଶ୍ଵର କର ଆଇ ହସ୍ପିଟାଲକୁ ନିଆଯାଇଛି । ରାତିରେ ଅସ୍ତ୍ରୋପଚାର କରାଯାଇ ଶନିବାର ସକାଳେ ସେମାନଙ୍କୁ ଘରେ ପହଞ୍ଚାଇ ଦିଆଯିବ । ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଂପାଦକ ମନୋଜ କୁମାର ନାୟକ ଏବଂ ଉପ ସଭାପତି ରଜତ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ସ୍ଥାନୀୟ ସରପଞ୍ଚ ବିଜନ ପାଇକରାୟଙ୍କ ସମେତ ସଙ୍ଘର ବରିଷ୍ଠ ସଦସ୍ୟ ପବିତ୍ର ମୋହନ ମିଶ୍ର, ଶିବ ପ୍ରସାଦ ଖଟେଇ, ନିରଞ୍ଜନ ମହାପାତ୍ର, ସୁରେଶ ଚନ୍ଦ୍ର ଶତପଥୀ, ଅର୍ଜୁନ ସମନ୍ତାରା, ବୈରାଗୀ ସାହୁ, ଚନ୍ଦ୍ରମଣି ନାୟକ, ନାରାୟଣ ଚୌଧୁରୀ, ଭାଗିରଥି ମହାରଣା, ରବିଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତରହି ସମସ୍ତଙ୍କୁ ଉତ୍ସାହିତ କରିବା ସହିତ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । କର ଆଇ ହସ୍ପିଟାଲର ଡାକ୍ତର ପ୍ରବୀଣ କୁମାର ଦାସ ଓ ସୁବ୍ରତ କୁମାର ବିଶ୍ଵାଳ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିବା ସହିତ ଆଖିର ଯତ୍ନ ବିଷୟରେ ଉପସ୍ଥିତ ଶିବିରାର୍ଥୀଙ୍କୁ ପରାମର୍ଶ ଦେଇଥିଲେ । ସୁନାମୁହିଁ, ଗିରିଡିପଲ୍ଲି, କୁରାଳ ଓ କୋମଣ୍ଡ ପଞ୍ଚାୟତରୁ ଯୋଗଦେଇଥିବା ୩୮ଜଣ ଶିବିରାର୍ଥୀଙ୍କ ଚକ୍ଷୁପରୀକ୍ଷା କରି ଔଷଧ ବିତରଣ ସହିତ ଆବଶ୍ୟକ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମରେ କୁରାଳ ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.