ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର:ସୋଲାର ପ୍ରକଳ୍ପ ଅଚଳ, ଅନ୍ଧାରରେ ଚାଲିଛି ରୋଗୀ ଚିକିତ୍ସା

0 1

ଜମନକିରା(ଲିପନ ନାଏକ ): ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର। ହେଲେ ସ୍ବାସ୍ଥ୍ୟ ବିଭାଗର କଛପଗତି ଓ ଖାମଖିଆଲି ନୀତି ସଂପ୍ରତି ଓଡ଼ିଶା ଶାସନ କଳକୁ ବଦନାମ କରାଉଛି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହେଉଛି । ବିଶେଷ କରି ରାଜଧାନୀ ଓ କିଛି ଜିଲ୍ଲା ସଦର ମହକୁମାରେ ସ୍ବାସ୍ଥ୍ୟ ବିଭାଗ ଚଳଚଞ୍ଚଳ ହେଉଥିବା ବେଳେ ଦୁର୍ଗମ ଓ ଗ୍ରାମାଞ୍ଚଳ ଗୁଡିକରେ ସ୍ବାସ୍ଥ୍ୟସେବାର ଉଲଗ୍ନ ବିକଳ ଚିତ୍ର ଦେଖିବାକୁ ମିଳୁଛି । ପଶ୍ଚିମ ଓଡ଼ିଶାର ରାଜଧାନୀ କୁହାଯାଉଥିବା ସମ୍ବଲପୁର ଜିଲ୍ଲାର ଜମନକିରା ବ୍ଲକରେ ସମ୍ପୂର୍ଣ୍ଣ ଅନ୍ଧାରରେ ଚାଲିଛି ରୋଗୀ ସେବା । ଡାକ୍ତରଖାନାର ଜନୈକ ସୁଇପର ମୋବାଇଲ ଲାଇଟ ଦେଖାଇବା ସହାୟତାରେ ରୋଗୀଙ୍କୁ ଇଞ୍ଜେକସନ ଦିଆଯିବା ଦୃଶ୍ୟ କେବଳ ବିରୋଧୀଙ୍କୁ ନୁହେଁ ସର୍ବସାଧାରଣଙ୍କ ପାଇଁ ପ୍ରଶ୍ନବାଚୀ ହୋଇଛି।

ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅବସ୍ଥା ଦିନକୁ ଦିନ ବିପର୍ଯ୍ୟସ୍ତ ମୁହାଁ ହେଉଥିବା ଦେଖାଯାଉଛି। କେତେବେଳେ ଏମବିବିଏସ ଡାକ୍ତର ଆସୁ ନାହାନ୍ତି ତ କେତେବେଳେ ଫାର୍ମାସିଷ୍ଟ ଡାକ୍ତର ସାଜି ଗର୍ଭବତୀ ମହିଳାଙ୍କୁ ଚିକିତ୍ସା କରୁଛନ୍ତି। କେତେବେଳେ ସୁଇପର ବିପି ଚେକ କରୁଛନ୍ତି। ଆଉ କେତେବେଳେ ସିକ୍ୟୁରିଟି ଗାର୍ଡ ରୋଗୀଙ୍କ ଚିକିତ୍ସା କରୁଥିବା ଭଳି ଅଭାବନୀୟ ଦୃଶ୍ୟ ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ନିତିଦିନିଆ ଘଟଣାରେ ପରିଣତ ହୋଇଛି ।

ଅନ୍ଧାରରେ ଜନୈକ ରୋଗୀଙ୍କୁ ଡାକ୍ତର ଚିକିତ୍ସା କରୁଛନ୍ତି, ଯେତେବେଳେ ପଛରୁ ଜଣେ ମୋବାଇଲ ଲାଇଟ ପକାଉଛି । ସେହି ଆଲୋକ ମଧ୍ୟରେ ନର୍ସ ରୋଗୀଙ୍କୁ ଔଷଧ ଏବଂ ଇଞ୍ଜେକ୍ସନ ଦେବା ଭଳି ସମ୍ବେଦନଶୀଳ ସେବା ଯୋଗାଇବାକୁ ବାଧ୍ୟ ହେଉଛି । ଏହି ଦୃଶ୍ୟ କୌଣସି ବିଳମ୍ବିତ ରାତିର ନୁହେଁ, ବାହାରେ ପ୍ରବଳ ବର୍ଷା ଓ ସ୍ପଷ୍ଟ ଦିବାଲୋକ ରହିଛି । ଯଦି ଦିନ ବେଳେ ଏଭଳି ଅବ୍ଯବସ୍ଥା ତେବେ ରାତିରେ ଡାକ୍ତରଖାନାରେ କେଉଁ ପରିସ୍ଥିତିରେ ରୋଗୀ ସେବା ଚାଲିଛି ତାହା ସ୍ପଷ୍ଟ ଅନୁମେୟ । ଅବଶ୍ୟ ଗତ କିଛି ଦିନ ଧରି ପ୍ରବଳ ବର୍ଷା, ଘଡଘଡି ସହ ବଜ୍ରପାତ ହେଉଥିବାରୁ ବିଦ୍ୟୁତ୍ ସେବା ବ୍ୟାଘାତ ହୋଇଛି । ରୋଗୀସେବା ଭଳି ସମ୍ବେଦନଶୀଳ ସ୍ଥାନ ଡାକ୍ତରଖାନାରେ ଆଲୋକୀକରଣର ବିକଳ୍ପ ବ୍ୟବସ୍ଥା ରଖାନଯିବା ସମ୍ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସମ୍ପୂର୍ଣ୍ଣ ଦାୟୀତ୍ବହୀନତା ବୋଲି ଅଭିଯୋଗ ହେଉଛି । ଆରୋପ ପ୍ରତ୍ଯାରୋପର ସଫେଇରେ ଶୁଣିବାକୁ ମିଳୁଛି ଯେ’ ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ରର ସୋଲାର ପ୍ରକଳ୍ପ ଦୀର୍ଘ ଦିନ ଧରି ଅଚଳ ରହିଛି । ହେଲେ ଅଚଳ ସୋଲାର ପ୍ରକଳ୍ପକୁ ସଚଳ କରିବ କିଏ ଓ କାହିକି ଏତେ ଦିନ ଧରି ସଚଳ ହୋଇନାହିଁ ଏଭଳି ପ୍ରଶ୍ନ ପାଇଁ କେହି ବି ଉତ୍ତରଦାୟୀ ନଥିବା ବିଭାଗୀୟ ଖାମଖିଆଲି ନୀତିକୁ ସ୍ପଷ୍ଟ କରାଇଛି ।ଡାକ୍ତରଖାନାରେ ଆବଶ୍ୟକ ବିଦ୍ୟୁତ ସଂଯୋଗରେ ବ୍ୟାଘାତ ହେଲେ ବିଭାଗ କାହିଁକି ସୋଲାର ସିଷ୍ଟମ ବା ଇନଭର୍ଟର ସୁବିଧା ଯୋଗାଇ ନାହାଁନ୍ତି ତାହା ତଦନ୍ତ ସାପେକ୍ଷ । ସେହିପରି ଏହି ସ୍ବାସ୍ଥ୍ୟକେନ୍ଦ୍ରରେ କେବଳ ଜନୈକ ଡାକ୍ତରଙ୍କ ଚ୍ଯାମ୍ବରରେ କୁଆଡେ଼ ଇନଭର୍ଟର ସଂଯୋଗ ଅଛି, ମାତ୍ର ସମ୍ପୃକ୍ତ ଡାକ୍ତର ଜଣକ ଗତ ୪ ମାସରୁ ଉର୍ଦ୍ଧ୍ଵ ସମୟ ଧରି ଅନୁପସ୍ଥିତ ରହିଛନ୍ତି । ଏବେ ଷ୍ଟାଫ ନର୍ସଙ୍କ ଚ୍ଯାମ୍ବର, ଫାର୍ମାସିଷ୍ଟ, ରୋଗୀଙ୍କୁ ଇଞ୍ଜେକସନ ଦିଆଯାଉଥିବା କୋଠରୀ, ଡ୍ରେସିଂଙ୍ଗ ରୁମ୍ ଓ ପରୀକ୍ଷାଗାର ସହ ଆୟୁଷ ଡାକ୍ତରଙ୍କ ଚ୍ଯାମ୍ବର ସମ୍ପୂର୍ଣ ଅନ୍ଧାରରେ ଥିବା ଦେଖାଯାଇଛି । ଅନ୍ଧାରରେ ଭୁଲ ଇଞ୍ଜେକସନ, ଭୁଲ ଔଷଧ ପ୍ରଦାନ ଯୋଗୁଁ ଯଦି କୌଣସି ରୋଗୀର ଜୀବନହାନୀ ଘଟେ ତେବେ ସେଥିପାଇଁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ସମ୍ପୂର୍ଣ ଦାୟୀ ବୋଲି ବରିଷ୍ଠ ସମାଜସେବୀ ରବୀନ୍ଦ୍ର ପାଣିଗ୍ରାହୀ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଜିଲ୍ଲାରେ ଏଭଳି ଅବ୍ଯବସ୍ଥାରେ ଚାଲିଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ତୁରନ୍ତ କିଭଳି ପୁନରୁଦ୍ଧାର କରାଯାଇ ପାରିବ ଏ ଦିଗରେ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତୁରନ୍ତ ଅନୁଧ୍ୟାନ କରି ବିହିତ ପଦକ୍ଷେପ ନେବା ଜରୁରୀ ହୋଇପଡିଛି । ଏପରିକି ଏ ଦିଗରେ ପ୍ରଶାସନିକ ଅବହେଳା ହେଲେ ସ୍ଥାନୀୟ ବିଧାୟକ ତଥା ପଞ୍ଚାୟତି ରାଜ ମନ୍ତ୍ରୀ ରବିନାରାୟଣ ନାଏକ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି।

Leave A Reply

Your email address will not be published.