କେନ୍ଦୁଝର,ତା୨୦/୧୦: କେନ୍ଦୁଝର ଜିଲ୍ଲାର କଳା, ସଂସ୍କୃତି ଓ ଲୋକ ପରମ୍ପରାକୁ ଲୋକଲୋଚନକୁ ଆଣିବା ସହ ଜିଲ୍ଲାର କଳାକାରମାନଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ କେନ୍ଦୁଝର ଜିଲ୍ଲାର ପୁରାତନ ସାଂସ୍କୃତିକ ଅନୁଷ୍ଠାନ “ସାଂସ୍କୃତିକୀ” ପକ୍ଷରୁ ଚଳିତ ଅକ୍ଟୋବର ୨୪ ଓ ୨୫ ତାରିଖ ଦୁଇ ଦିନ ଧରି ଡି . ଏନ. ହାଇସ୍କୁଲ କେନ୍ଦୁଝରଗଡଠାରେ ସପ୍ତଦଶ କେନ୍ଦୁଝର କଳା ଉତ୍ସବ-୨୦୨୬ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଦୁଇଦିନିଆ କଳା ଉତ୍ସବରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ କଳାକାର, ସାହିତ୍ୟିକ, ସଂସ୍କୃତିପ୍ରେମୀ ଓ କଳାନୁରାଗୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଉତ୍ସବର ପ୍ରଥମ ଦିନ ଅକ୍ଟୋବର ୨୪, ଶନିବାର ପୂର୍ବାହ୍ନ ୧୧ଟାରୁ ଚିତ୍ରାଙ୍କନ ପ୍ରତିଯୋଗିତା, ଅପରାହ୍ନ ୨ଟାରୁ ଲୋକନୃତ୍ୟ ପ୍ରତିଯୋଗିତା, ଅପରାହ୍ନ ୩ଟାରୁ ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତା ଏବଂ ସନ୍ଧ୍ୟା ୪ଟାରୁ ସଙ୍ଗୀତ ଆସର ଅନୁଷ୍ଠିତ ହେବା ସହିତ ଚିତ୍ରାଙ୍କନ ପ୍ରତିଯୋଗିତା ପାଇଁ ମଧ୍ୟ ଅଂଶଗ୍ରହଣର ସୁଯୋଗ ରହିଛି । ଦ୍ୱିତୀୟ ଦିନ ଅର୍ଥାତ ଅକ୍ଟୋବର ୨୫, ରବିବାର ପୂର୍ବାହ୍ନ ୧୦ଟାରୁ କେନ୍ଦୁଝର ଇତିହାସ ଓ ଐତିହ୍ୟକୁ ନେଇ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୧ଟା ୩୦ରୁ ହସ୍ତକଳା କର୍ମଶାଳା ଏବଂ ଅପରାହ୍ନ ୨ଟାରୁ “ଇନଟାକ” ପକ୍ଷରୁ ଐତିହ୍ୟ ଓ ସଂରକ୍ଷଣ ସମ୍ପର୍କିତ ଏକ ସଚେତନତାମୂଳକ ଅଧିବେଶନ ଆୟୋଜିତ ହେବ । ଏହାପରେ ଅପରାହ୍ନ ୪ଟାରୁ ଉଦ୍ଯାପନୀ ସମାରୋହ ଏବଂ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ବୋଲି ସାଂସ୍କୃତିକୀ ର ସମ୍ପାଦକ ତଥା ଉତ୍ସବର ଆବାହକ ଶ୍ରୀ ଶ୍ୟାମହରି ଚକ୍ର ସୂଚନା ଦେଇଛନ୍ତି । ଉଲ୍ଲେଖ ଯୋଗ୍ୟ କି ଅକ୍ଟୋବର ୨୪, ଶନିବାର ପୂର୍ବାହ୍ନ ୧୦ଟାରେ କେନ୍ଦୁଝର କଳା ଉତ୍ସବର ଉଦ୍ଘାଟନୀ କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଶ୍ରୀଯୁକ୍ତ ଅନନ୍ତ ଚରଣ ନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ୨୫ ତାରିଖ ଉଦଯାପନୀ ସନ୍ଧ୍ୟାରେ ଜିଲାପାଳ ବିଶାଳ ସିଂ ଯୋଗ ଦେବାପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି ବୋଲି ଉତ୍ସବ କମିଟି ତରଫରୁ ସୂଚନା ପ୍ରଦାନ କରାଯାଇଛି। କେନ୍ଦୁଝରର ସମୃଦ୍ଧ ଲୋକକଳା, ନୃତ୍ୟ, ସଙ୍ଗୀତ, ହସ୍ତଶିଳ୍ପ ଓ ଐତିହ୍ୟକୁ ନୂତନ ପିଢ଼ି ସହ ଯୋଡ଼ିବା ସହିତ ସ୍ଥାନୀୟ କଳାକାରଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଏହି ଉତ୍ସବ ଏକ ଉଲ୍ଲେଖନୀୟ ମଞ୍ଚ ସୃଷ୍ଟି କରିବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି । କେନ୍ଦୁଝରର କଳା ଓ ସଂସ୍କୃତିକୁ ଭଲପାଉଥିବା ସମସ୍ତ କଳାକାର, ଯୁବପିଢ଼ି ଓ ସଂସ୍କୃତି ପ୍ରେମୀଙ୍କୁ ଏହି ଉତ୍ସବରେ ସପରିବାର ଯୋଗଦେବା ପାଇଁ ‘ସାଂସ୍କୃତିକୀ’ ପକ୍ଷରୁ ଆହ୍ୱାନ କରାଯାଇଛି । ଉତ୍ସବ ସମ୍ପର୍କରେ ଅଧିକ ଜାଣିବା ପାଇଁ ୮୭୬୩୮୬୫୮୫୫ ନମ୍ବରରେ ଯୋଗାଯୋଗ କରିବା ପାଇଁ ଆବାହକଙ୍କ ପକ୍ଷରୁ ମଧ୍ୟ ଅନୁରୋଧ କରାଯାଇଛି ।