ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଶିକ୍ଷକଙ୍କ ବଦଳି ପ୍ରତିବାଦ ଏବଂ ନୂତନ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ ଏବଂ ଛାତ୍ରଛାତ୍ରୀ I ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରତିଶୃ୍ତି ପରେ ବିଦ୍ୟାଳୟ କାର୍ଯ୍ୟକ୍ରମ ସ୍ଵାଭାବିକ ହୋଇଛି I ଏହିଭଳି ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ପଂଚାୟତ ଅନ୍ତର୍ଗତ ବିଞ୍ଚଣା ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ I ସୂଚନା ପ୍ରକାରେ ବିଞ୍ଚଣା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୂର୍ବରୁ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ପାଞ୍ଚ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିଲେ I ଦୁଇ ବର୍ଷ ତଳେ ଜଣେ ଶିକ୍ଷକ ସିଆରସିସି ହୋଇ ଚାଲି ଯାଇଥିଲେ I ଚଳିତ ବର୍ଷ ବିଦ୍ୟାଳୟରେ ଶିଶୁ ବାଟିକାକୁ ଯୋଗ କରାଯାଇଥିବା ବେଳେ ନଅଟି ଶ୍ରେଣୀର ନବେ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଚାରି ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନ କରିବାରେ ସମସ୍ୟା ସୃଷ୍ଟି ହେଉଥିଲା I ଏଥିରେ ପୁଣି ବର୍ତ୍ତମାନ ଏକ ନୁଆଁ ସମସ୍ୟା ଯୋଡ଼ି ହୋଇଯାଇଛି I ଗତ ଶୁକ୍ରବାରଦିନ ଏଠାରେ କାର୍ଯ୍ୟରତ ଶିକ୍ଷକ ନରେଶ ବ୍ରହ୍ମାଙ୍କ ରଙ୍ଗେଇଲୁଣ୍ଡା ବ୍ଳକ୍ କୁ ବଦଳି ହୋଇଯିବା ପରେ ବିଦ୍ୟାଳୟରେ ଏକ ପ୍ରକାର ଶିକ୍ଷକ ମରୁଡ଼ି ଅବସ୍ଥା ସୃଷ୍ଟି ହୋଇଛି I ଆଜି ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ପାଞ୍ଚ ଦିନିଆ ତାଲିମ୍ ଗ୍ରହଣ ପାଇଁ ଚାଲି ଯାଇଥିବା ବେଳେ ଆଉ ମାତ୍ର ଦୁଇ ଜଣ ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ଆସିଥିଲେ I ଶିକ୍ଷକ ଅଭାବରୁ ନିଜ ଗ୍ରାମର ଶିକ୍ଷା ବ୍ୟବସ୍ଥା ଭୁଶୁଡିବାକୁ ବସିଥିବାରୁ ଆଜି ବିଦ୍ୟାଳୟ ଖୋଲିବା ପୂର୍ବରୁ ସାଢେ ନଅ ଘଣ୍ଟା ସମୟରେ ବିଦ୍ୟାଳୟ ଫାଟକ ଆଗରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସଂଗ୍ରାମ କେଶରୀ ନାୟକଙ୍କ ନେତୃତ୍ୱରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ମାନେ ଧାରଣାରେ ବସିଥିଲେ I ବିଦ୍ୟାଳୟର ଶିକ୍ଷକଙ୍କୁ ଫେରାଇ ଆଣିବା ଏବଂ ବିଦ୍ୟାଳୟରେ ଗଣିତ, ବିଜ୍ଞାନ ଶିକ୍ଷକ ନିଯୁକ୍ତି ପାଇଁ ଅଭିଭାବକମାନେ ଅଡ଼ି ବସିଥିଲେ I ଖବର ପାଇ ବେଲଗୁଣ୍ଠା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ ଏବଂ ସ୍ଥାନୀୟ ସିଆରସିସି ବିଦ୍ୟାଳୟରେ ପହଞ୍ଚି ଅଭିଭାବକ ମାନଙ୍କୁ ବୁଝାସୁଝା କରିଥିଲେ I ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ତାଲିମ୍ ରୁ ଫେରାଇ ଆଣିବା ସହିତ ଆସନ୍ତା ଦଶ ଦିନ ମଧ୍ୟରେ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦେବାପାଇଁ କର୍ତ୍ତୃପକ୍ଷ ପ୍ରତିଶୃ୍ତି ଦେବା ପରେ ଅଭିଭାବକ ମାନେ ଫାଟକ ଖୋଲିଥିଲେ ଏବଂ ବିଦ୍ୟାଳୟ କାର୍ଯ୍ୟକ୍ରମ ସ୍ଵାଭାବିକ ହୋଇଥିଲା I ଏହି ଅବସରରେ ଉପସ୍ଥିତ ଅଭିଵାବକ ମାନେ ପିଲାଙ୍କୁ ଯୋଗେଇଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଅତିନିମ୍ନ ମାନର ମିଳୁଥିବା ଏବଂ ପିଲାଙ୍କ ପାଇଁ ଆସୁଥିବା ଖାଦ୍ୟକୁ ଖୋଲାରେ ନ ଆଣି ଘୋଡାଇ ଆଣିବାକୁ ଦାବି କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post