ଫକୀର ମୋହନ ସ୍ୱୟଂଶାସିତ କଲେଜ ଛାତ୍ରୀଙ୍କ ଆତ୍ମଦାହ ପାଇଁ କଲେଜ କର୍ତ୍ତୃପକ୍ଷ ଏବଂ ସରକାର ଦାୟୀ : ଯୁବ ଛାତ୍ର କ୍ରାନ୍ତି ସେନା

2
  • • “ବେଟୀ ପଢାଓ, ବେଟୀ ବଚାଓ” ସ୍ଲୋଗାନ ବିଫଳ

  • • ସରକାରଙ୍କ ସୋସିଆଲ ମିଡ଼ିଆ ଭିତ୍ତିଭୂମି ଭୁଷୁଡ଼ି ପଡ଼ିଛି

ଭୁବନେଶ୍ୱର, ୧୩.୭ : ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ଼ ବି.ଇଡ଼ି ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଦୁଃଖଦାୟକ ଆତ୍ମଦାହ ଉଦ୍ୟମ ପାଇଁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାର ଦାୟୀ ବୋଲି ଯୁବ ଛାତ୍ର କ୍ରାନ୍ତି ସେନାର ଆବାହକ ତଥା ଯୁବନେତା ପାର୍ଥସାରଥୀ ମୁଦୁଲି ଅଭିଯୋଗ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଅଧ୍ୟାପକଙ୍କ ଦ୍ୱାରା ବାରମ୍ବାର ଶାରୀରିକ ଓ ମାନସିକ ଯନ୍ତ୍ରଣା ପାଇ ଅସହାୟ ହୋଇପଡ଼ିଥିଲେ ପୀଡ଼ିତା । ନ୍ୟାୟ ପାଇବା ପାଇଁ ସବୁଠି ଗୁହାରି କରିଥିଲେ ମଧ୍ୟ ତାଙ୍କ ଗୁହାରି କେହି ଶୁଣିନଥିଲେ । ଫଳରେ ମାନସିକ ଭାରସାମ୍ୟ ହରାଇ ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହୁତି ଉଦ୍ୟମ କରିଥିଲେ । ପୀଡ଼ିତା ଛାତ୍ରୀ ଆତ୍ମଦାହ କରିବା ପୂର୍ବରୁ କଲେଜ କର୍ତ୍ତୃପକ୍ଷ, ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷାମନ୍ତ୍ରୀ, କେନ୍ଦ୍ରଶିକ୍ଷା ମନ୍ତ୍ରୀ, ବାଲେଶ୍ୱର ସାଂସଦ, ଉଚ୍ଚଶିକ୍ଷା ବିଭାଗଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ମାତ୍ର ପରିତାପର ବିଷୟ ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ କେହି ତତ୍ପରତା ପ୍ରକାଶ କରିନଥିଲେ । ବରଂ ଅଧ୍ୟକ୍ଷ ଓ ଏଚ୍ଓଡି ଛାତ୍ରୀଜଣଙ୍କୁ ଧମକ ଦେଇଥିଲେ । ‘ବେଟୀ ପଢାଓ, ବେଢୀ ବଚାଓ’ର ନାରା ଦେଉଥିବା ବିଜେପି ସରକାରର ଏହି ଘଟଣା ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ଅତ୍ୟନ୍ତ ଲଜ୍ଜାଜନକ ଓ ଦୁଃଖଦାୟକ ବୋଲି ଶ୍ରୀଯୁକ୍ତ ମୁଦୁଲି ଅଭିଯୋଗ କରିଛନ୍ତି ।
ଭାରତର ପ୍ରଧାନମନ୍ତ୍ରୀ ଡିଜିଟାଲ କଥା କହୁଥିବା ବେଳେ ଓଡ଼ିଶାର ସରକାର ଲୋକଙ୍କ ସରକାର କହୁଥିବା ବେଳେ ବାଲେଶ୍ୱର ମହାବିଦ୍ୟାଳୟ ପୀଡ଼ିତା ଛାତ୍ରୀଙ୍କ ଅଭିଯୋଗକୁ କିଭଳି ଅଣଦେଖା କରାଯାଉଛି ଓ ସରକାରଙ୍କ ସାମାଜିକ ଭତ୍ତିଭୂମି କିପରି ଭୁଷୁଡ଼ି ପଡ଼ିଛି ଏହା ତାର ଜ୍ୱଳନ୍ତ ଉଦାହରଣ । ଛାତ୍ରଛାତ୍ରୀମାନଙ୍କ ସମ୍ମାନ, ସ୍ୱାଭିମାନର ଓ ଅଧିକାର ଦେବା ସରକାରଙ୍କ ନୈତିକ କର୍ତ୍ତବ୍ୟ ଓ ଦାୟିତ୍ୱ ମଧ୍ୟ । ପୂର୍ବରୁ ସମସ୍ତ ଅଭିଯୋଗ ବିଷୟରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଅବଗତ ଥିଲେ ମଧ୍ୟ ଛାତ୍ରୀଙ୍କ ଅଭିଯୋଗକୁ ଗମ୍ଭିରତାର ସହ ନେଇନଥିଲେ । ଯାହାଫଳରେ ଛାତ୍ରୀଜଣକ ଆତ୍ମହତ୍ୟା କରିବା ପାଇଁ ଚରମ ନିଷ୍ପତ୍ତି ନେଇଥିଲେ । ଏହି ଘଟଣା ପରେ ମହାବିଦ୍ୟାଳୟ ଅଧ୍ୟକ୍ଷକଙ୍କୁ ନିଲମ୍ବିତ କରାଯିବା ସହ ଅଭିଯୁକ୍ତ ଏଚ୍ଓଡ଼ି ସମୀର ସାହୁଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଏହି ସମ୍ବେଦନଶୀଳ ଘଟଣା ପଛରେ ଲୁଚି ରହିଥିବା ସମସ୍ତ ତଥ୍ୟକୁ ସାମ୍ନାକୁ ଆଣିବା ଦରକାର । କେବଳ ଲୋକ ଦେଖାଣିଆ ଗିରଫ ନକରି ସରକାର ଏଥିପାଇଁ ଏକ କଡ଼ା ଆଇନ ପ୍ରଣୟନ କଲେ ଭବିଷ୍ୟତରେ କୌଣସି ଶିକ୍ଷାନୁଷ୍ଠାନରେ ଏଭଳି ଅଭାବନୀୟ ଘଟଣାର ପୁନରାବୃତ୍ତି ନହେବା ସହ ଛାତ୍ରଛାତ୍ରୀମାନେ ଶାରୀରିକ ଓ ମାନସିକ ଯନ୍ତ୍ରଣାରୁ ମୁକ୍ତ ରହି ଶିକ୍ଷାଗ୍ରହଣ କ୍ଷେତ୍ରରେ ଆଗ୍ରହ ପ୍ରକାଶ କରିବେ ।

Leave A Reply

Your email address will not be published.