ବାହୁଡ଼ିଲେ କଳା ସାଆନ୍ତ ; ପରମ୍ପରା ଓ ସଂସ୍କୃତିର ଅନନ୍ୟ ନିଦର୍ଶନ

3

ବେଲଗୁଣ୍ଠା ବାହୁଡ଼ା ଯାତ୍ରାରେ ଠାକୁରଙ୍କ ବିରଳ ଟାହିଆ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଡ଼ପ ମଣ୍ଡପରେ ନବଦିନାତ୍ମକ ଲୀଳା ସାରି ରତ୍ନ ସିଂହାସନ ଅଭିମୁଖେ ବାହୁଡ଼ିଛନ୍ତି ମହାବାହୁ I ମନ୍ଦିରମାଳିନୀ ସହର ବେଲଗୁଣ୍ଠା ସହରର ବଡ଼ଦାଣ୍ଡସାହି ଓ ବାଲିଡ଼ି ସାହିରେ ମହାପ୍ରଭୁ ଜଗନ୍ନାଥ ଦଧିବାମନଙ୍କ ବାହୁଡ଼ା ଯାତ୍ରା ପାଳିତ ହୋଇଯାଇଛି । ଦୁଇ ମନ୍ଦିରର ଇତିହାସ ପ୍ରାୟ ୧୦୦ବର୍ଷ ପୁରୁଣା । ଏଠାକାର ବାହୁଡ଼ା ଯାତ୍ରା ସ୍ଵତନ୍ତ୍ରତା ହେଉଛି ଜଗନ୍ନାଥ ମସ୍ତକରେ ଧାରଣ କରାଯାଇଥିବା ଆକର୍ଷଣୀୟ ଟାହିଆ ବା ଝରା ।କେହି କେହିଏହାକୁ ଚଳନ୍ତି ଟାହିଆ ବା ଝରା ମଧ୍ୟ କହନ୍ତି । ଦଶନ୍ଧି ଦଶନ୍ଧି ଧରି ଗମ୍ଭାରୀ କାଠର ଖାଡ଼ି ଗଭାରେ ବାଉଁଶ ଖାଡ଼ି ଯୋଡ଼ି ସେଥିରେ ବିଭିନ୍ନ ପ୍ରକାରର ସୁଗନ୍ଧିତ ଫୁଲ, କିଆ ଫୁଲ, ଚମ୍ପାଫୁଲ, ତୁଳସୀ ଗୁମ୍ଫା, ଜରି ଲଗା ଫୁଲ, କାଗଜ ଫୁଲ, ଲଗାଯାଇ ଦୀର୍ଘ ଆଠ ଦଶ ଘଣ୍ଟାର ପରିଶ୍ରମ ପରେ ବେଲଗୁଣ୍ଠା ସହରର କୁଶଳୀ କାରୀଗରମାନେ ପହଣ୍ଡି ପୂର୍ବରୁ ତିଆରି କରି ଦିଅନ୍ତି ଏକ ସାତ ଆଠ ଫୁଟ ଉଚ୍ଚତା ବିଶିଷ୍ଟା ସୁନ୍ଦର ଟାହିଆ ବା ଝରା ।ଆଗରୁ କେବଳ ବିଭିନ୍ନ ପ୍ରକାରର ଫୁଲ, ତୁଳସୀ ବ୍ୟବହୃତ ହେଉଥିଲେ ମଧ୍ୟ ଝରାକୁ ଆକର୍ଷଣୀୟ କରିବାପାଇଁ ବର୍ତ୍ତମାନ ବିଭିନ୍ନ ଆଧୁନିକ କୌଶଳ ପ୍ରୟୋଗ କରାଯାଉଛି ବୋଲି କହନ୍ତି ବାଲିଡ଼ିସାହି ଜଗନ୍ନାଥ ମନ୍ଦିର ମୁଖ୍ୟ ବରିଷ୍ଠ ଆଇନଜୀବି ସନ୍ତୋଷ କୁମାର ପଣ୍ଡା। ପୂର୍ବ ପୁରୁଷ ରୁ ଚାଲି ଆସିଥିବା ଏହିପରମ୍ପରା ବର୍ତ୍ତମାନ ମଧ୍ୟ ବଜାୟ ରହିଛି ଏବଂ ଆଗକୁ ମଧ୍ୟ ବିରାଟ ଟାହିଆ ଜଗନ୍ନାଥ ସଂସ୍କୃତିକୁ ଋଦ୍ଧିମନ୍ତ କରିବ ବୋଲି ମହାପ୍ରଭୁଙ୍କ ସେବକ ପବିତ୍ର ମୋହନ ପଣ୍ଡା, ରାଧା ମୋହନ ଦାସ ପ୍ରକାଶ କରିଛନ୍ତି । ବେଲଗୁଣ୍ଠା ବାହୁଡ଼ା ଯାତ୍ରାରେ ତହସିଲଦାର କଳାକୃଷ୍ଣ ପ୍ରଧାନ, ବିଡ଼ିଓ ବିଜୟ କୁମାର ପ୍ରଧାନ, ଥାନା ଅଧିକାରୀ ରେବତୀ ଶବର ଏବଂ ମନ୍ଦିର ପରିଚାଳନା କମିଟି ଯାତ୍ରାକୁ ଶୃଙ୍ଖଳିତ କରିବାରେ ସହଯୋଗ କରିଥିଲେ I
ସେହିପରି ବ୍ଳକ୍ ଗୋଵରା,ଜୟନ୍ତୀଗଡ଼ ଏବଂ ପାଇଲି ପଡ଼ାରେ ମଧ୍ୟ ଶ୍ରୀଜିଉଜଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି I ଗାଙ୍ଗପୁର ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମରେ ମଧ୍ୟ ଆନନ୍ଦ ଉଦ୍ଦୀପନାର ସହିତ ମହାବାହୁଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଛି I ବନ୍ଥପଲ୍ଲୀରେ ବାହୁଡ଼ା ଯାତ୍ରା ଦେଖିବାକୁ ଆସିଥିବା ସମସ୍ତ ଭକ୍ତଙ୍କ ପାଇଁ ଗ୍ରାମବାସୀଙ୍କ ତରଫରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା I ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥିବା ସମସ୍ତ ଗ୍ରାମରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା I ଗୋବରା, ଜୟନ୍ତୀଗଡ,ପାଇଲିପଡ଼ା ଏବଂ ବନ୍ଥପଲ୍ଲୀରେ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ପୋଲିସ୍ ବାହିନୀ ଶୃଙ୍ଖଳା ରକ୍ଷା କରିଥିଲେ I ରବିବାର ଏକାଦଶୀ ଏବଂ ସୁନାବେଶ ପାଇଁ ମଧ୍ୟ ରଥ ଗୁଡ଼ିକ ନିକଟରେ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା I

Leave A Reply

Your email address will not be published.