ଶିଶୁ ଶ୍ରମିକ ବିରୋଧ ଦିବସ ପାଳନ

0 2

ଜଗତସିଂହପୁର,ତା-୧୪.୦୬.୨୦୨୫/ସୁମନ୍ତ କୁମାର ଦାସ: ନାଉଗାଁ ବ୍ଲକ ଅନ୍ତର୍ଗତ ବଚ୍ଛାଳୋ ପଞ୍ଚାୟତ କାର୍ଯ୍ୟଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ଵ ଶିଶୁ ଶ୍ରମିକ ବିରୋଧ ଦିବସ ପାଳନ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିଡିଡି ଚନ୍ଦନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହକାରୀ ଶ୍ରମ ଅଧିକାରୀ ଦେବାଶିଷ ମିଶ୍ର, ସରପଞ୍ଚ ପ୍ରିୟଦର୍ଶିନୀ ଲେଙ୍କା,ପାରା ଲିଗାଲ ସ୍ଵେଚ୍ଛାସେବୀ ଅଜୟ ରାଉତ ଏବଂ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ପାରା ଲିଗାଲ ସ୍ଵେଚ୍ଛାସେବୀ ଶ୍ରୀ ରାଉତ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ଵାଗତ ଭାଷଣ ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଏହି ଦିବସର ଉଦ୍ଦେଶ୍ୟ ହେଉଛି ଶିଶୁ ଶ୍ରମିକ ପ୍ରଥାକୁ ବନ୍ଦ କରିବା ଏବଂ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରଦାନ କରିବା। ଶିଶୁ ଶ୍ରମିକ ହେବାର ଅନେକ କାରଣ ଅଛି। କିଛି ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇ ପାରନ୍ତି ନାହିଁ। କିଛି ଲୋକ ନିଜର ସୁବିଧା ପାଇଁ ପିଲାମାନଙ୍କୁ କମ କିମ୍ବା ବିନା ଟଙ୍କାରେ କାମ କରାନ୍ତି। ଅଭିଭାବକମାନେ ଅନୁଭବ କରନ୍ତି ନାହିଁ ଯେ ପିଲାମାନଙ୍କୁ ଶ୍ରମରେ ନିୟୋଜିତ କରିବା ଶାରୀରିକ ଓ ମାନସିକ କ୍ଷେତ୍ରରେ କ୍ଷତିକାରକ। ଏଥିପାଇଁ ସଚେତନତା ଗୁରୁତ୍ୱପୂର୍ଣ୍ଣ । ଶିଶୁ ଶ୍ରମିକ ଏକ ଦଣ୍ଡନୀୟ ଅପରାଧ I ଶିଶୁଙ୍କୁ ଶ୍ରମିକ ପରି ନିୟୋଜିତ କରୁଥିବା ବ୍ୟକ୍ତିଙ୍କୁ ଭାରତୀୟ ନ୍ୟାୟ ସଂହିତା ଅନୁଯାଇ ଜେଲ ଦଣ୍ଡ ସହ ଜୋରିମାନା ବ୍ୟବସ୍ଥା ମଧ୍ୟ ଅଛି। ଶିଶୁ ଶ୍ରମିକ ପ୍ରଥା ବନ୍ଦ କରାଯାଇ ସମସ୍ତ ଶିଶୁଙ୍କୁ ପାଠ ପଢ଼ାଇବାକୁ ସଚିବ ଆହ୍ଵାନ କରିଛନ୍ତି I ଯଦି ଜିଲ୍ଲାର କୌଣସି ସ୍ଥାନରେ ଶିଶୁଙ୍କୁ ଶ୍ରମିକ ଭାବେ ନିୟୋଜିତ କରାଯାଇଥାଏ ତେବେ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ସହ ଯୋଗାଯୋଗ କରିବାକୁ ସଚିବ ସଚେତନ କରାଇବା ସହ ଶ୍ରମ ଆଇନରେ ଅନ୍ତର୍ଭୁକ୍ତ ଥିବା ବିଭିନ୍ନ ବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ I ସହକାରୀ ଶ୍ରମ ଅଧିକାରୀ ଶ୍ରୀ ମିଶ୍ର ଏହି ଦିବସର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବା ସହ ଶିଶୁ ଶ୍ରମିକ ଆଇନ କିପରି କଡା କଡି ଭାବେ ପାଳନ କରାଯାଇ ଶିଶୁଙ୍କୁ ଶ୍ରମିକ ଭାବେ ନିୟୋଜିତ ନକରାଯିବ ଏହି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ I ଶେଷରେ ସରପଞ୍ଚ ପ୍ରିୟଦର୍ଶିନୀ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.