ନୟାଗଡ଼ (ବିଶ୍ୱଜିତ ନାୟକ):- ନୟାଗଡ଼ ପୁରୁଣା ସହରରେ ଅଧିଷ୍ଠିତ ଶ୍ରୀ ଜଗନ୍ନାଥ ମହାପ୍ରଭୂଙ୍କ ପବିତ୍ର ରଥଯାତ୍ରା ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ ତଥା ଦେବୋତ୍ତର ନିର୍ବାହୀ ଅଧିକାରୀ କର୍ଣ୍ଣଦେବା ସମାଦ୍ଦାର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସନାତନ କାଲୋ, ନୟାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଜ୍ୟୋତି ରଞ୍ଜନ ସାମନ୍ତରାୟ ପ୍ରମୂଖ ଉପସ୍ଥିତ ରହିଥିଲେ । ଚଳିତ ବର୍ଷ ଜୁନ ୨୭ ତାରିଖ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ଏହା ସହିତ ରଥଯାତ୍ରାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ । ପ୍ରତ୍ୟେକ ବର୍ଷ ଭଳି ରଥଯାତ୍ରା ପାଳନ କରାଯିବାକୁ ଆଲୋଚନା ହୋଇଥିଲା । ରଥଯାତ୍ରା ସମୟରେ ଟ୍ରାଫିକ ବ୍ୟବସ୍ଥା ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ବିଭାଗକୁ ଦାୟିତ୍ୱ ଦିଆଯାଇଥିଲା । ରଥ ନିର୍ମାଣ, ନୀତି ପରମ୍ପରା ପାଳନକୁ ଦାୟିତ୍ୱର ସହ ସମାପନ କରିବାକୁ ନିଷ୍ପତ୍ତି ହୋଇଛି । ରଥଯାତ୍ରା ସମୟରେ ସୂଚନା କେନ୍ଦ୍ର ବ୍ୟବସ୍ଥା, ପରିଷ୍କାର ପରିଚ୍ଛନତା ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସୁପରିଚାଳନା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଖରାରୁ ଭକ୍ତଙ୍କୁ ମୁକ୍ତି ଦେବା ପାଇଁ ଅଗ୍ନିଶମ ବିଭାଗ ଦ୍ୱାରା ଜଳ ସିଞ୍ଚନ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ କହିଥିଲେ । ବଡ଼ଦାଣ୍ଡରେ ରଥରେ ଠାକୁର ଅବସ୍ଥାନ କରିବା ସମୟରେ ରଥରେ ଠାକୁର ଅନ୍ଧାରରେ ରହୁଥିବା ନେଇ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଉପସ୍ଥାପନ କରିଥିଲେ । ଏହାର ଚାରିପାଖରେ ଆଲୋକିକରଣ ବ୍ୟବସ୍ଥା ଏବଂ ରଥରେ ଆଲୋକିରଣ ବ୍ୟବସ୍ଥା କରାଇବାକୁ ଟିପିସିଓଡିଏଲ୍କୁ ଦାୟିତ୍ୱ ଦିଆଯାଇଛି । ରଥଯାତ୍ରା ପାଇଁ ଆର୍ଥିକ ଅନୁଦାନ ପାଇଁ ବିଭିନ୍ନ ବଦାନ୍ୟ ବ୍ୟକ୍ତି ଏବଂ ବିଭିନ୍ନ ବ୍ୟାଙ୍କ ଗୁଡ଼ିକୁ ସହଯୋଗ ମାଗିବାକୁ ଆଲୋଚନା ହୋଇଛି । ପୁଲିସ କର୍ମଚାରୀଙ୍କୁ ସହଯୋଗ କରିବା ପାଇଁ ଏନସିସି କ୍ୟାଡେଡ୍, ବିଭିନ୍ନ ଯୁବଗୋଷ୍ଠୀ ଓ ନେହୁରୁ ଯୁବ କେନ୍ଦ୍ରକୁ ଅବଗତ କରାଯିବାକୁ ନିଷ୍ପତ୍ତି ହୋଇଛି । ରଥଯାତ୍ରା ସମୟରେ ସଫେଇକୁ ପୈାର ପରିଷଦ ଭଲ ଭାବେ ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଗୁଣ୍ଡିଚା ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ, ରଥଯାତ୍ରା ପାଇଁ ଆବଶ୍ୟକ ସୁବିଧା ଯୋଗାଇ ଦେବାକୁ ପୂର୍ତ୍ତ ବିଭାଗକୁ କୁହାଯାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପୂର୍ବବର୍ଷ ଭଳି ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି । ଆଜିର ବୈଠକରେ ପୈାର ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ, ବିଡିଓ ଐଶୋର୍ଯ୍ୟା ଭୂୟାଁ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୀବ କୁମାର ବେହେରା, ଟାଉନଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସାମୟୀ ଆଚାର୍ଯ୍ୟ, ଦେବୋତ୍ତର ପରିଚାଳକ ତାପସ କୁମାର ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଭାଗ ଅଧିକାରୀ, ସେବାୟତ, ସାମ୍ବାଦିକ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post