ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ବଡ଼ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ ହଜାର ହଜାର କର୍ମୀଙ୍କ ବିପୁଳ ସମ୍ବର୍ଦ୍ଧନା

0

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ନିକଟରେ ଦୀର୍ଘ ୩୦ବର୍ଷ ଧରି ବିଭିନ୍ନ ଦାବି କରିଆସୁଥିବା ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ଦାବିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଚାରକୁ ନେଇ ବଡ଼ ଘୋଷଣା ଜରିଆରେ ୬ ହଜାର ଟଙ୍କାରୁ ଭତ୍ତା ବୃଦ୍ଧି କରି ୭୫୦୦ ଟଙ୍କା ଘୋଷଣା, ଚାକିରିରେ ଅବସର ବୟସସୀମା ୬୦ରୁ ୬୨କୁ ବୃଦ୍ଧି କରିବା, ପଦୋନ୍ନତି ୩୦ ଭାଗରୁ ୫୦ ଭାଗକୁ ବୃଦ୍ଧି କରିବା, ଅବସର ସମୟରେ ୨୦ ହଜାର ଟଙ୍କା ପ୍ରଦାନ କରିବା, ୧୫ଦିନ ଗ୍ରୀଷ୍ମକାଳୀନ ଛୁଟି ପ୍ରଦାନ ଆଦି ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ୬ମାସ ମଧ୍ୟରେ ରାଜ୍ୟ ସରକାର ଦୁଇଥର ଭତ୍ତା ବୃଦ୍ଧି କରିବା ଭାରତବର୍ଷରେ ଏକ ବିରଳ ପଦକ୍ଷେପ ସ୍ୱରୂପ ପ୍ରତିପାଦିତ ହୋଇଛି ।

ଆଜି ଅଲ୍‍ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସାମ୍ମୁଖ୍ୟ ପକ୍ଷରୁ ୟୁନିଟ୍‍-୬ ଠାରୁ ଏକ ବିଶାଳ ଶୋଭାଯାତ୍ରା ରାଜ୍ୟ ସଭାନେତ୍ରୀ ନନ୍ଦିନୀ ପଣ୍ଡା ଓ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ମହାସଚିବ ଶ୍ରୀ ସୁବାସ ସିଂହ, ପଶ୍ଚିମ ଓଡ଼ିଶା ଅଙ୍ଗନବାଡ଼ି ସଂଘ ସଭାପତି ପ୍ରଶାନ୍ତ ପାଢ଼ୀ, ସଂପାଦିକା ମଞ୍ଜୁଲତା ଦାସ, କୋଷାଧ୍ୟକ୍ଷ ସୁଶ୍ରୀ ସଂଗୀତା ମହାପାତ୍ର, ମହିଳା ସମବାୟ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ବିଜୁ ମହିଳା ଜନତା ଦଳ ଉପ-ସଭାନେତ୍ରୀ ସଂଯୁକ୍ତା ମହଲ, ସାଧାରଣ ସଂପାଦିକା ସୁଲତା ଦେଓଙ୍କ ନେତୃତ୍ୱରେ ନବୀନ ନିବାସ ସମ୍ମୁଖରେ ପହଞ୍ଚôଥିଲା । ଏଥିରେ ୩୦ଟି ଜିଲ୍ଲାରୁ ହଜାର ହଜାର କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସାମିଲ ହୋଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିବା ସଂଗେ ସଂଗେ କୃତଜ୍ଞତା ଜ୍ଞାପନ ଜଣାଇବା ପାଇଁ ଜିନ୍ଦାବାଦ ଓ ହୁଳହୁଳିରେ ନବୀନ ନିବାସ ପରିବେଶ ପ୍ରକମ୍ପିତ ହୋଇଥିଲା ।

ଶିଶୁ ଖାଦ୍ୟ ପ୍ରଦାନ ଓ ଅନ୍ୟାନ୍ୟ କ୍ଷେତ୍ରରେ କେନ୍ଦ୍ରର ଅବିଚାରକୁ ସାମ୍ମୁଖ୍ୟ ତୀବ୍ର ସମାଲୋଚନା କରି କହିଛି, କେନ୍ଦ୍ର ସରକାର ମହିଳା ଓ ଶିଶୁବିକାଶ ବିଭାଗରୁ ବ୍ୟୟବରାଦ କମାଇବା, ୬୦:୪୦ ଅନୁପାତରେ ଅର୍ଥ ରାଜ୍ୟକୁ ପ୍ରଦାନ ନକରିବା, କର୍ମୀ ଓ ସହାୟିକାମାନଙ୍କୁ ସରକାରୀ ଓ ଶ୍ରମିକର ମାନ୍ୟତା ପ୍ରଦାନ ନକରିବା, କେନ୍ଦ୍ର ସରକାର ନିର୍ଦ୍ଧାରଣ କରୁଥିôବା ସର୍ବନିମ୍ନ ମଜୁରୀ ୧୮ ହଜାର ଟଙ୍କା ପ୍ରଦାନ ନକରିବା ସହ ଦେଶର ୨୫ଲକ୍ଷ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାକୁ ପ୍ରତାରିତ କରିଆସୁଛନ୍ତି । ଓଡ଼ିଶା ସରକାର ୭୫୦୦ ଟଙ୍କା ମଧ୍ୟରୁ ୪୮୦୦ ଟଙ୍କା ପ୍ରଦାନ କରୁଛନ୍ତି । କେନ୍ଦ୍ର ସରକାର ମାତ୍ର ୨୭୦୦ ଟଙ୍କା ତାଙ୍କ ଅଂଶ ବାବଦରେ ପ୍ରଦାନ କରୁଛନ୍ତି । ଯଦି କେନ୍ଦ୍ର ସରକାର ୬୦:୪୦ ଅନୁପାତରେ ଅର୍ଥ ପ୍ରଦାନ କରୁଥାନ୍ତେ ତେବେ ଏହି ଭତ୍ତା ରାଶି ୧୦ ହଜାର ଟଙ୍କାରେ ପହଂଚିପାରନ୍ତା । ମିନି ଅଙ୍ଗନବାଡ଼ି କର୍ମୀଙ୍କୁ ସମାନ ଦରମା ଓ ଭତ୍ତା ପ୍ରଦାନ କରିବାକୁ ଦାବି କରାଯାଇଛି । ରାଜ୍ୟ ସରକାର ଅବସରକାଳୀନ ଭତ୍ତା ନିଜସ୍ୱ ପାଣ୍ଠିରୁ ପ୍ରଦାନ କରୁଛନ୍ତି, କେନ୍ଦ୍ର ସରକାର କୌଣସି ଅଂଶ ଦେଉନାହାନ୍ତି । ସେହିପରି ଖାଦ୍ୟ ଦେବାରେ କେନ୍ଦ୍ର ସରକାର ଯେଉଁ ମୂଲ୍ୟ ନିର୍ଦ୍ଧାରଣ କରୁଛନ୍ତି, ବଜାର ଦର ସହିତ ତା’ର କୌଣସି ସାମଞ୍ଜସ୍ୟ ନାହିଁ । ଏହାର ତୁରନ୍ତ ପ୍ରତିକାର ହେବା ନିହାତି ଜରୁରୀ ।

ଆଜିର ଏହି ବିଶାଳ ଶୋଭାଯାତ୍ରା ଓ ସମ୍ବର୍ଦ୍ଧନାରେ ବୈଷୟିକ ଶିକ୍ଷାମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ମହିଳା ଶିଶୁ ବିକାଶ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅନନ୍ତ ଦାସ, ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଶ୍ରୀକାନ୍ତ ସାହୁ, ଅଶ୍ୱିନୀ କୁମାର ପାତ୍ର, ବିଜୁ ଶ୍ରମିକ ସାମ୍ମୁଖ୍ୟ ପ୍ରଭାରୀ ବିମ୍ବାଧର କୁଅଁର, ଉପ-ସଭାପତି ଅନନ୍ତ ନାରାୟଣ ଜେନା, ସଂପାଦକ ସୁରେନ୍ଦ୍ର ସ୍ୱାଇଁ, ଶିବ ମଲ୍ଲିକ, ରଶ୍ମୀବାଳା ମହାନ୍ତି, ସୌଭାଗ୍ୟ ମଞ୍ଜରୀ କରଣ, ନନ୍ଦିତା ଦତ୍ତ, ଜ୍ୟୋତ୍ସ୍ନା ମିଶ୍ର, ବନଜା ଦାସ, ବିନୋଦୀନି ଷଡ଼ଙ୍ଗୀ, ଲକ୍ଷ୍ମୀପ୍ରିୟା ପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ ।

 

 

 

 

 

 

 

 

 

 

 

 

 

Leave A Reply

Your email address will not be published.