ପ୍ରଭାତ ତ୍ରିପାଠୀ ବିଜେଡ଼ିର ସଦସ୍ୟ ନୁହନ୍ତି : ନବୀନ
ଭୁବନେଶ୍ୱର : ନିର୍ବାଚନ ପରାଜୟ ପରେ ଦଳର ନିର୍ବାଚନ ମଙ୍ଗ ଧରିଥିବା ଭି କେ ପାଣ୍ଡିଆନଙ୍କୁ କ୍ଲିନ ଚିଟ ଦେଲାପରି ୱାକଫ ପ୍ରସଙ୍ଗରେ ପାଣ୍ଡିଆଙ୍କ ଆଡକୁ ଉଠିଥିବା ଆଙ୍ଗୁଳି ପରିପ୍ରେକ୍ଷୀରେ ଅସନ୍ତୁଷ୍ଟଙ୍କ ମୁହଁ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ | ପାଣ୍ଡିଆନଙ୍କୁ ଏ ପ୍ରସଙ୍ଗରେ କ୍ଲିନ ଚିଟ ଦେବା ସହ ସମସ୍ତ ନିଷ୍ପତ୍ତି ତାଙ୍କର ବୋଲି ପରୋକ୍ଷ ଉତ୍ତର ରଖିଛନ୍ତି ସଂଖପତି | ଏହା ସହିତ ଦଳର ନେତାମାନେ କରୁଥିବା ମେଳିକୁ ନାପସନ୍ଦ କରି ତାଗିଦ କରିଛନ୍ତି ଯେ ଯଦି ବୈଠକ କରିବା କଥା ତେବେ ହୋଟେଲରେ ନକରି ଶଙ୍ଖ ଭବନରେ କର |
ଆଜି ଗଣମାଧ୍ୟମକୁ ବିବୃତି ଦେଇ ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଗଣମାଧ୍ୟମକୁ କହିଛନ୍ତି ଯେ ସେ ସ୍ପଷ୍ଟ କରିଦେବାକୁ ଚାହାଁନ୍ତି ଯେ “ଶ୍ରୀ କାର୍ତ୍ତିକେୟ ପାଣ୍ଡିଆନ ଅତୀତରେ ରାଜ୍ୟ ଓ ଦଳ ପାଇଁ ବହୁତ ଭଲ କାମ କରିଛନ୍ତି। ସେ ଗତ ଦଶ ମାସରୁ ଅଧିକ ସମୟ ହେଲାଣି ଦଳ ଛାଡିଲେଣି ଏବଂ ଏଵେ ସେ ଦଳର କୌଣସି କାମରେ ସମ୍ପୃକ୍ତ ନାହାନ୍ତି। ତେଣୁ ଦଳର, କୌଣସି ନିଷ୍ପତ୍ତି ପାଇଁ ତାଙ୍କୁ ସମାଲୋଚନା ବା ବଦନାମ କରାଯିବା ଉଚିତ ନୁହେଁ।”
ଶ୍ରୀ ପ୍ରଭାତ ତ୍ରିପାଠୀଙ୍କ ସମ୍ପର୍କରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ “ମୁଁ ଏଠାରେ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ପୂର୍ବତନ ବିଧାୟକ ଶ୍ରୀ ତ୍ରିପାଠୀ ଚିଟଫଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ଜେଲରେ କିଛି ବର୍ଷ କାଟି ଆସିଛନ୍ତି। ତେଣୁ କିଛି ବର୍ଷ ତଳେ ସେ ଦଳରୁ ବହିଷ୍କୃତ ହୋଇଥିଲେ। ମୁଁ ଆହୁରି ସ୍ପଷ୍ଟ କରିଦେବାକୁ ଚାହେଁ ଯେ ଶ୍ରୀ ତ୍ରିପାଠୀ ଏଵେ ବିଜେଡ଼ିର ସଦସ୍ୟ ମଧ୍ୟ ନୁହନ୍ତି।”
ଏତଦବ୍ୟତୀତ ବଡ଼ ବଡ଼ ହୋଟେଲରେ ବିଜେଡ଼ି ନେତା ମାନଙ୍କ ବୈଠକକୁ ନାପସନ୍ଦ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ “ଦଳର ମୁଖ୍ୟାଳୟ ଶଙ୍ଖ ଭବନ ବହୁତ ବଡ଼ ଓ ଅନେକ ସୁବିଧା ମଧ୍ୟ ରହିଛି। ତେଣୁ ସେଠାରେ ବୈଠକ ନ କରି ହୋଟେଲରେ ବୈଠକ କରିବା ଘଟଣାକୁ ଉଚିତ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ଶଙ୍ଖ ଭବନରେ ବୈଠକ କରିବା ପାଇଁ ପରାମର୍ଶ ଦେଇଥିଲେ।