ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଦିବାସୀଙ୍କୁ ଜଙ୍ଗଲ ଜମିର ଅଧିକାର ପ୍ରଦାନ ପାଇଁ ସରକାରଙ୍କ ପ୍ରାବଧାନ ରହିଛି। ହେଲେ ଦୀର୍ଘଦିନ ଧରି ନିଜ ଅଧିକାରରୁ ବଞ୍ଚିତ ହୋଇଛନ୍ତି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଲାଇଲାଇ ପଞ୍ଚାୟତର ସାନଲବା ଗ୍ରାମର ୮୫ ଆଦିବାସୀ ପରିବାର। ବିଭିନ୍ନ ସ୍ତରରେ ଅଭିଯୋଗ ଜଣାଇବା ସତ୍ତ୍ୱେ ଏଯାଏଁ ସେମାନଙ୍କୁ ଜଙ୍ଗଲ ଜମି ପଟ୍ଟା ମିଳିନଥିବା ଅଭିଯୋଗ ହୋଇଛି। ଜଙ୍ଗଲ ଜମିରେ ପିଢ଼ି ପିଢ଼ି ଧରି ଚାଷବାସ କରି ଜୀବନଜୀବିକା ନିର୍ବାହ କରୁଥିବା ଗ୍ରାମବାସୀ ନିଜ ଅଧିକାରର ସ୍ୱୀକୃତି ପାଇଁ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ସମ୍ପୃକ୍ତ ବିଭାଗ ସମେତ ବିଭିନ୍ନ ପ୍ରଶାସନିକ ସ୍ତରରେ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ସେମାନେ କହିଛନ୍ତି।
ଶେଷରେ ବାଧ୍ୟ ହୋଇ ସାନଲବା ଗ୍ରାମରୁ ଶତାଧିକ ମହିଳା ଓ ପୁରୁଷ ପାରଳାଖେମୁଣ୍ଡି ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଥିଲେ। ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା ସହ ସେମାନଙ୍କ ଦାବି ଉପରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ। ଆଦିବାସୀଙ୍କ ଅଧିକାର ସୁରକ୍ଷା ଏବଂ ସେମାନଙ୍କୁ ସରକାରୀ ଯୋଜନାର ସୁଫଳ ଦେବା ନେଇ ସରକାର ବାରମ୍ବାର କହୁଥିବା ବେଳେ ସାନଲବାର ୮୫ ପରିବାର ଏଯାଏଁ ଜଙ୍ଗଲ ଜମି ପଟ୍ଟାରୁ ବଞ୍ଚିତ ରହିବାକୁ ନେଇ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ସରକାର ଓ ‘ଲୋକଙ୍କ ସରକାର’ ବୋଲି କୁହାଯାଉଥିବା ସମୟରେ ନିଜ ଅଧିକାର ପାଇଁ ଗ୍ରାମରୁ ଜିଲ୍ଲା ସଦରମହକୁମା ଆସି ଧାରଣା ଦେବାକୁ ପଡ଼ୁଥିବା ନେଇ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.