ମଦ ଦୋକାନ ସ୍ଥାନାନ୍ତର ପାଇଁ ମହିଳାଙ୍କ ଦାବି

2

ରାୟଗଡ଼ା – ରାୟଗଡ଼ା ସହରର ନ୍ୟୁକୋଲୋନୀ ଠାରେ ଥିବା ଦୁଇଟି ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ପାଇଁ ଦାବି ହୋଇଛି। ସେହି ଅଞ୍ଚଳର ମହିଳାମାନେ ଆଜି ଜିଲ୍ଲାପାଳ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଏହି ଦାବି କରିଛନ୍ତି। ଲିଖିତ ଭାବେ ଦାବି ଜଣାଇବା ସହ ତୁରନ୍ତ ଜନବସତି ଅଞ୍ଚଳରେ ଥିବା ଦୁଇଟି ବିଦେଶୀ ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଜିଲ୍ଲାପାଳ ପାରୁଲ ପଟାୱରିଙ୍କୁ ନିବେଦନ କରିଛନ୍ତି। ଜିଲ୍ଲାପାଳ ମହିଳାଙ୍କ ଦାବି ଗ୍ରହଣ କରି ସମସ୍ୟା ସମାଧାନ ପାଇଁ ଅବକାରୀ ଅଧିକ୍ଷକ ସନ୍ତୋଷ ଧଳସାମନ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମହିଳାମାନେ ଅଭିଯୋଗ କରିଛନ୍ତି ଯେ, ଉକ୍ତ ଦୁଇଟି ମଦ ଦୋକାନ ସକାଳ ୮ ଟାରେ‌ ଖୋଲା ହୋଇ ରାତି ୧୧ ଟା ସମୟରେ‌ ବନ୍ଦ ହେଉଛି। ସେହି ଅଞ୍ଚଳରେ ଅନେକ ବିଦ୍ୟାଳୟ ଓ ମନ୍ଦିର ରହିଛି। ମଦ ଦୋକାନ ୧୬ ରୁ ୧୭ ଘଣ୍ଟା ଖୋଲାଯିବା ଯୋଗୁଁ ଲୋକଙ୍କ ଯାତାୟାତ ବେଳେ ସମସ୍ୟା ସୃଷ୍ଟି ହେଉଛି। ମଦ୍ୟପ ମାନେ ରାସ୍ତା ଉପରେ ମଦ୍ୟପାନ କରୁଛନ୍ତି। ଯାହାର କୁପ୍ରଭାବ ପିଲାଙ୍କ ଉପରେ ପଡୁଛି। ନିଶାସକ୍ତ ଅବସ୍ଥାରେ ସର୍ବଦା ଗଣ୍ଡଗୋଳ ମଧ୍ୟ ଘଟୁଛି। ଏଭଳିକି ଲଗାତାର ଦୁଇଟି ଲୁଟ୍ ମଧ୍ୟ ସେହି ରାସ୍ତାରେ ଘଟିଲାଣି। ତଥାପି ମଦ ଦୋକାନ ଆରାମରେ ଚାଲିଛି। ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ପାଇଁ ପୂର୍ବରୁ ଅବକାରୀ ବିଭାଗକୁ ଅଭିଯୋଗ ଦାଖଲ ହୋଇଛି। କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ ହୋଇନାହିଁ। ତେଣୁ ବର୍ତ୍ତମାନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରିଥିଲେ। ସେହି ଅଞ୍ଚଳର ବିଜୟଲକ୍ଷ୍ମୀ ସାହୁ, ପ୍ରତିଭା ମିଶ୍ର, କେ. ଦିବ୍ୟଶ୍ରୀ, ଗୌରୀ ଜେନା ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିଥିଲେ।

Leave A Reply

Your email address will not be published.