ଭୁବନେଶ୍ବର: ଲୋକଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଟିପିସିଓଡିଏଲ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ କଟକ ବ୍ରଜବିହାରୀପୁର ଓପିଟିସିଏଲ ଗ୍ରିଡ୍ ଠାରୁ ନୂଆପାଟଣା ପର୍ଯ୍ୟନ୍ତ ଦୀର୍ଘ ୫.୪ କିମି ଲମ୍ବର ୩୩ କେଭି ଫିଡର୍ ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ହୋଇଛି। ନୂତନ ଫିଡର୍ କାର୍ଯ୍ୟକ୍ଷମ ହେବା ଦ୍ବାରା ସର୍ପେଶ୍ଵର, ଖୁଣ୍ଟୁଣି, ଆଠଗଡ ଓ ଗୁରୁଡ଼ିଝାଟିଆ ପ୍ରାଇମେରୀ ସବ୍-ଷ୍ଟେସନ୍ ଅନ୍ତର୍ଗତ ଅଞ୍ଚଳର ୩୦ ହଜାରରୁ ଉର୍ଦ୍ଧ୍ବ ଉପଭୋକ୍ତା ଉନ୍ନତ ବିଦ୍ୟୁତ୍ ସେବା ପାଇପାରିବେ। ଗ୍ରାମାଞ୍ଚଳର ଉପଭୋକ୍ତାଙ୍କ ସମେତ ଅନେକ ଶିଳ୍ପାନୁଷ୍ଠାନ ଏହା ଦ୍ବାରା ଉପକୃତ ହେବେ। ସେହିପରି ଏହି ଫିଡର୍ କାର୍ଯ୍ୟକ୍ଷମ ହେବା ଦ୍ବାରା ଅଞ୍ଚଳର ଭୋଲ୍ଟେଜ୍ ସମସ୍ୟାର ସମାଧାନ ହୋଇ ପାରିବ। ଏହି ଫିଡର୍ ନିର୍ମାଣରେ ଅନେକ ପ୍ରତିବନ୍ଧକ ଥିଲା। ମହାନଦୀ ଉପରେ ନିର୍ମାଣ କାର୍ଯ୍ୟ କରିବାକୁ ପଡିଥିଲା। ଦୀର୍ଘ ୫.୪ କିମି ମଧ୍ୟରୁ କେବଳ ମହାନଦୀ ମଧୁସୂଦନ ପୋଲର ଏକ ପର୍ଶ୍ୱକୁ ଲାଗି ୨.୬ କିମି ଲମ୍ବର ଏହି ଫିଡର୍ ନିର୍ମାଣ କରାଯାଇଛି। ବେଶ୍ କଠିନ ପରିସ୍ଥିତିରେ ମଧୁସୂଦନ ପୋଲରେ ଏହି ନିର୍ମାଣ କାର୍ଯ୍ୟ କରାଯାଇଛି ଓ ଏଥି ପାଇଁ ସ୍ବତନ୍ତ୍ର ବନ୍ଦୋବସ୍ତ କରାଯାଇଥିଲା। ନିର୍ମାଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷାକୁ ବିଶେଷ ଗୁରୁତ୍ବ ଦେଇ ଟିପିସିଓଡିଏଲ୍ ପକ୍ଷରୁ ନିର୍ମାଣ ସମୟରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ଏକ ସ୍ବତନ୍ତ୍ର ବୋଟର ବ୍ୟବସ୍ଥା କରାଯାଇଥିଲା। ଗ୍ରୀଷ୍ମ ଋତୁରେ ଉପଭୋକ୍ତାଙ୍କ ବର୍ଦ୍ଧିତ ବିଦ୍ୟୁତ୍ ଚାହିଦାକୁ ଦୃଷ୍ଟିରେ ରଖି ଟିପିସିଓଡିଏଲ୍ ପକ୍ଷରୁ ବିଦ୍ୟୁତ୍ ଭିତ୍ତିଭୂମିର ବିକାଶକୁ ପ୍ରାଥମିକତା ଦିଆଯାଉଛି। ଏହି ଭିତ୍ତିଭୂମି ବିକାଶ ଦ୍ଵାରା ସ୍ଥାନୀୟ ଅଞ୍ଚଳରେ ବର୍ଷ ବର୍ଷ ଧରି ଲାଗି ରହିଥିବା ବିଦ୍ୟୁତ୍ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇଛି।
Sign in
Sign in
Recover your password.
A password will be e-mailed to you.