ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ପ୍ରତିବର୍ଷ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ୟୁ- ଡାଇସ୍ ତଥ୍ୟ ପୂରଣ ଏବଂ ପରିଚୟ ପତ୍ର ପ୍ରସ୍ତୁତ ବେଳେ ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ୍ଣ ବିବରଣୀ ସହିତ ସେମାନଙ୍କର ରକ୍ତ ବର୍ଗ ମଧ୍ୟ ଆବଶ୍ୟକ ପଡ଼ିଥାଏ I କିନ୍ତୁ ଗ୍ରାମାଞ୍ଚଳ ଗୁଡ଼ିକରେ ଛାତ୍ରଛାତ୍ରୀ ବିଭିନ୍ନ କାରଣରୁ ରକ୍ତ ପରୀକ୍ଷା କରି ନପାରି ସଠିକ୍ ସମୟରେ ତଥ୍ୟ ଦେଇ ପାରୁନଥିବାରୁ ପ୍ରଧାନ ଶିକ୍ଷକ ମାନେ ୟୁ- ଡାଇସ୍ ତଥ୍ୟ ପୂରଣ ବେଳେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି I ଏହି ସମସ୍ୟାର ସମାଧାନ ନିମନ୍ତେ ବେଲଗୁଣ୍ଠା ବ୍ଳକ୍ ଗୋପନଗର ଏବଂ କୁମୁଣ୍ଡି ବିଦ୍ୟାଳୟ କର୍ତ୍ତୃପକ୍ଷ ଏକ ଅଭିନବ ଉପାୟ ହାତକୁ ନେଇଛନ୍ତି I ଉଭୟ ଗୋପନଗର ଏବଂ କୁମୁଣ୍ଡି ବେଲଗୁଣ୍ଠା ବ୍ଳକ୍ ର ଉପାନ୍ତ ଅଞ୍ଚଳ ହୋଇଥିବା ବେଳେ ଏହି ଗ୍ରାମ ଗୁଡ଼ିକରେ ଆର୍ଥିକ ଅନଗ୍ରସର ଏବଂ ଗରୀବ ଶ୍ରେଣୀର ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିଥାନ୍ତି I ଛାତ୍ରଛାତ୍ରୀ ମାନଙ୍କର ପୂର୍ବରୁ ରକ୍ତ ବର୍ଗ ତଥ୍ୟ ନଥିବା ବେଳେ ଉଭୟ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଦ୍ୟାଳୟ ପରିଚାଳନା କମିଟିର ସହମତିରେ ବିଦ୍ୟାଳୟରେ ଏକ ସ୍ଵତନ୍ତ୍ର ରକ୍ତ ପରୀକ୍ଷା ଶିବିର ଆୟୋଜନ କରି ଉଭୟ ବିଦ୍ୟାଳୟରେ ପଢୁଥିବା ଏବଂ ନୂତନ ଭାବେ ବିଦ୍ୟାଳୟରେ ନାମ ଲେଖାଇବାକୁ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ମାଗଣା ରକ୍ତ ପରୀକ୍ଷା କରାଇଛନ୍ତି I ଲାବ୍ ଟେକ୍ନିସିଆନ୍ ସନ୍ତୋଷ କୁମାର ତ୍ରିପାଠି ଛାତ୍ରଛାତ୍ରୀଙ୍କ ରକ୍ତ ପରୀକ୍ଷା କରିଥିଲେ I ଖୁବ୍ ଶୀଘ୍ର ନୂତନ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ରକ୍ତ ପରୀକ୍ଷା ଦ୍ୱାରା ସମସ୍ତ ଛାତ୍ରଛାତ୍ରୀଙ୍କ ରକ୍ତ ବର୍ଗ ହସ୍ତଗତ ହୋଇଛି ଏବଂ ଏହା ୟୁ-ଡାଇସ୍ ତଥ୍ୟ ପୂରଣ ଏବଂ ପରିଚୟ ପତ୍ର ପ୍ରସ୍ତୁତିରେ ସହାୟକ ହେବ ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି I ଶିବିରକୁ ଉଭୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୀତଳ ପ୍ରସାଦ ଜେନା, ଶିଶିର କୁମାର ସ୍ୱାଇଁ, ସହକାରୀ ଶିକ୍ଷୟିତ୍ରୀ ସିପ୍ରାସିନ୍ଧୁ ସ୍ୱାଇଁ ଏବଂ ଜଗନ୍ନାଥ ପାଇକ ପରିଚାଳନା କରିଥିଲେ I ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହିଭଳି ଅଭିନବ ପ୍ରୟାସକୁ ଅଭିଭାବକ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି I
Sign in
Sign in
Recover your password.
A password will be e-mailed to you.