ଓଡ଼ଗାଁ ୨୫।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକର ୮ମ ସାଧାରଣ ଅଧିବେଶନ ବ୍ଳକ ସଭାଗୃହରେ ମଙ୍ଗଳବାର ଅପରାହ୍ନରେ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ଗାଁ ବିଡିଓଙ୍କ ସହିତ ପୁରୀ ସାଂସଦଙ୍କ ପ୍ରତିନିଧି କବିସୂର୍ଯ୍ୟ ନଗରରୁ ବିଶ୍ବଜିତ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ବିରଜା ଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ ପ୍ରମୁଖ ଯୋଗଦେଇଥିବା ବେଳେ ଉପସ୍ଥିତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ଅନ୍ୟ ଜନପ୍ରତିନିଧି ମାନେ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଆଗାମୀ ଶିକ୍ଷା ବର୍ଷରୁ ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା କକ୍ଷରେ ୫ବର୍ଷର ଶିଶୁମାନେ ପ୍ରବେଶ କରିବେ। ବୟସ ୬+ ହେଲେ ଯାଇ ସେମାନେ ପ୍ରଥମ ଶ୍ରେଣୀରେ ଆଡମିଶନ୍ କରିବେ ବୋଲି ବ୍ଳକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗିତାଞ୍ଜଳୀ ସାହୁ ସଭାରେ ସୂଚନା ପ୍ରଦାନ କରିଥିଲେ। ସେଥିପାଇଁ ବର୍ତ୍ତମାନ ଠାରୁ ଭିତ୍ତିଭୂମି ପ୍ରସ୍ତୁତ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ସେହିପରି ଏହି ବ୍ଳକରେ ୨୩୦ ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କ ମଧ୍ୟରୁ ୧୨୧ କେନ୍ଦ୍ର ନିଜସ୍ଵ କୋଠା ଘରେ ଚାଲିଥିବାବେଳେ ୧୦୯ କେନ୍ଦ୍ର ବିଭିନ୍ନ ବିଦ୍ୟାଳୟ ଏବଂ ୪୪ କେନ୍ଦ୍ର ଗ୍ରାମ କୋଠଘରେ ଚାଲିଛି। ବର୍ତ୍ତମାନ ୬୫ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ୪୫ କେନ୍ଦ୍ର ପାଇଁ ଏପର୍ଯ୍ୟନ୍ତ ଅର୍ଥ ବ୍ୟବସ୍ଥା ହୋଇନାହିଁ ବୋଲି ବ୍ଳକ ଶିଶୁ ସୁରକ୍ଷା ଅଧିକାରୀ ଲହଡ଼ିମାଳା ପ୍ରଧାନ ତଥ୍ୟ ଉପସ୍ଥାପନା ଉପରେ ଆଲୋଚନା କରାଯାଇ ଆବଶ୍ୟକ ପଡ଼ିଲେ ପଞ୍ଚାୟତ ଅର୍ଥ ବ୍ୟୟ କରି କେନ୍ଦ୍ର ନିର୍ମାଣରେ ସହଯୋଗ କରିବାକୁ ପ୍ରସ୍ତାବ ଆସିଥିଲା। ଗ୍ରୀଷ୍ମପ୍ରବାହକୁ ଲକ୍ଷ୍ୟ ରଖି ଯୁଦ୍ଧ କାଳିନ ଭିତରେ ନଳକୂପ ମରାମତ କରିବା ସହିତ ଆବଶ୍ୟକ ପଡ଼ିଲେ ନୂଆ ନଳକୂପ ଖନନ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ଗୋଟିଏ ଗାଈ କିମ୍ବା ମଇଁଷି ପାଇଁ ୯୦ ହଜାର ଲେଖାଏଁ ୨ଟି ଗାଈ କିମ୍ବା ମଇଁଷି କିଣିବା ପାଇଁ ୧ଲକ୍ଷ ୮୦ ହଜାର ଟଙ୍କାରୁ ସରକାର ୧ ଲକ୍ଷ ୬୧ ହଜାର ଟଙ୍କା ରିହାତି ପ୍ରଦାନ କରୁଛନ୍ତି। ଏବଂ ଘାସ ଚାଷ ପାଇଁ ପ୍ରୋତ୍ସାହିତ କରୁଛନ୍ତି।ଯୋଗ୍ୟ ହିତାଧିକାରୀ ଏହାର ଲାଭ ଉଠାଇ ପାରିବେ ବୋଲି, ବ୍ଳକ ପ୍ରାଣୀ ଚିକିତ୍ସା ଅଧିକାରୀ କହିଥିଲେ।ଜୀବିକା ମିଶନ ବ୍ଳକ ସଂଯୋଜକ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବୀମା ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ହେଲେ ଓଡ଼ଗାଁ ବ୍ଳକର ଶରଣକୁଳ, ଗୋଡ଼ିପଡା ଏବଂ ଦର୍ପ ନାରାୟଣପୁରକୁ ନେଇ ନୂଆ ବ୍ଳକ ଗଠନ କରିବାକୁ ଜନପ୍ରତିନିଧିଙ୍କ ମଧ୍ୟରେ ତର୍କ ବିତର୍କ ହୋଇଥିଲା ବେଳେ ଗୃହ କିଛି ସମୟ ସରଗରମ ରହିଥିବାରୁ ଅଧ୍ୟକ୍ଷ ହସ୍ତକ୍ଷେପ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
Sign in
Sign in
Recover your password.
A password will be e-mailed to you.