ଝାରସୁଗୁଡ଼ା, ୩୦/୯: ଝାରସୁଗୁଡ଼ା ସହର ଓ ବିମାନବନ୍ଦରରେ ବୟନିକା ଶୋ’ରୁମ୍ ସହ ମହିଳା ବୁଣାକାର କେନ୍ଦ୍ର ଏବଂ କ୍ରାଫ୍ଟ ଫାସିଲିଟେସନ୍ ସେଣ୍ଟର ପ୍ରତିଷ୍ଠା ପାଇଁ ଦାବି ହୋଇଛି। ଏନେଇ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଭୁବନେଶ୍ୱରରେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଦାବିପତ୍ରରେ ଝାରସୁଗୁଡ଼ା ଜିଲ୍ଲାର ମହିଳା ବୁଣାକାରଙ୍କ ପାଇଁ କାର୍ଯ୍ୟସ୍ଥଳ, ପ୍ରଶିକ୍ଷଣ, ଡିଜାଇନ୍ ସହାୟତା, କଞ୍ଚାମାଲ ଏବଂ ବଜାର ସଂଯୋଗ ଉପଲବ୍ଧ କରାଇବା ନିମନ୍ତେ ଏକ ମହିଳା ବୁଣାକାର କେନ୍ଦ୍ର ସ୍ଥାପନ ପାଇଁ ପ୍ରସ୍ତାବ ରହିଛି।
ସେହିପରି ଜିଲ୍ଲାର ସ୍ଥାନୀୟ କାରିଗର ଓ ବୁଣାକାରଙ୍କ ଉତ୍ପାଦର ଗୁଣବତ୍ତା ବୃଦ୍ଧି, ଡିଜାଇନ୍ ବିକାଶ ଓ ଉତ୍ପାଦରେ ବିବିଧତା ଆଣିବା ଲକ୍ଷ୍ୟରେ କ୍ରାଫ୍ଟ ଫାସିଲିଟେସନ୍ ସେଣ୍ଟର ସ୍ଥାପନ କରିବାକୁ ଦାବି କରାଯାଇଛି।
ଏଥିସହ ଝାରସୁଗୁଡ଼ା ସହରରେ ଏକ ପୂର୍ଣ୍ଣାଙ୍ଗ ବୟନିକା ଶୋ’ରୁମ୍ ଏବଂ ଝାରସୁଗୁଡ଼ା ବିମାନବନ୍ଦରରେ ଆଉ ଏକ ଶୋ’ରୁମ୍ ପ୍ରତିଷ୍ଠା ପାଇଁ ବିଧାୟକ ଅନୁରୋଧ କରିଛନ୍ତି। ଏହାଦ୍ୱାରା ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ସ୍ଥାନୀୟ ଲୋକଙ୍କ ସମେତ ଶିଳ୍ପ କର୍ମଚାରୀ, ପର୍ଯ୍ୟଟକ ଓ ବିମାନ ଯାତ୍ରୀଙ୍କ ନିକଟରେ ସହଜରେ ପହଞ୍ଚିପାରିବ। ଏଥିସହ ବୁଣାକାର ଓ କାରିଗରଙ୍କ ପାଇଁ ନୂଆ ବଜାର ସୁଯୋଗ ସୃଷ୍ଟି ହେବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି।
ବିଧାୟକ ତ୍ରିପାଠୀ ଉକ୍ତ ପ୍ରସ୍ତାବଗୁଡ଼ିକୁ ଅନୁକୂଳ ଭାବେ ବିଚାର କରି ଶୀଘ୍ର ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।