ବ୍ଲକ୍ ପ୍ରଶାସନର ଚଞ୍ଚକତା : ଅସମ୍ପୂର୍ଣ ଏଏନ୍ଏମ୍ ଗୃହ ମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ

0 1

 

କୁଚିଣ୍ଡା ୫।୧(ଲିପନ ନାଏକ ) ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଜମନକିରା ବ୍ଲକର ଟିକିବା ପଞ୍ଚାୟତରେ ଏକ ନୂତନ ଏଏନ୍ଏମ୍ ଗୃହକୁ ଆନୁଷ୍ଠାନିକ ଭାବେ ଆଜି ରାଜ୍ଯ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକ ଉଦଘାଟନ କରିଛନ୍ତି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ବ୍ଲକ୍ ପ୍ରଶାସନର ପଦାଧିକାରୀ, କନିଷ୍ଠ ଯନ୍ତ୍ରୀ, ସ୍ଥାନୀୟ ରାଜନୈତିକ ନେତା ଓ ବହୁ ସଂଖ୍ୟାରେ କର୍ମୀମାନେ ଯୋଗ ଦେଇଥିଲେ । ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଶ୍ରୀ ନାଏକ ଦୀର୍ଘ ଦିନର ଅପେକ୍ଷା ପରେ ଏହି ଗୃହ ସଫଳତାର ସହ ହେବା ଓ ଏହାର ଆବଶ୍ୟକତା ସମ୍ପର୍କରେ ଭାଷଣ ଦେଇଥିଲେ । ହେଲେ ସବୁଠାରୁ ବଡ଼ କଥା ଏହି ନବ ନିର୍ମିତ ଏଏନ୍ଏମ୍ ଗୃହଟି ପୂର୍ଣ୍ଣାଙ୍ଗ ହେବା ପୂର୍ବରୁ ଅତି ତରବରିଆ ଭାବେ ମାନ୍ୟବର ମନ୍ତ୍ରୀ କାହିଁକି ଉଦଘାଟନ କଲେ, ଏବେ ତାକୁ ନେଇ ଚାଲିଛି ବିଭିନ୍ନ କଥା କଟାକଟି । ସୁଚନା ଯୋଗ୍ଯ ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ଏଏନ୍ଏମ୍ ଗୃହ ପାଇଁ ସରକାରଙ୍କ ପକ୍ଷରୁ ୩୨ ଲକ୍ଷ ୬୯ ହଜ଼ାର ୧୧୬ ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିଲା । ନିର୍ମାଣ କାର୍ଯ୍ୟ ୨୦୨୪ ମାର୍ଚ୍ଚ ୦୪ ତାରିଖରୁ ଆରମ୍ଭ ହୋଇ ୨୦୨୪ ସେପ୍ଟେମ୍ବର ୦୩ ତାରିଖ ସୁଦ୍ଧା ଶେଷ କରିବାକୁ ସମୟ ଧାର୍ଯ୍ୟ ରହିଥିଲା । ମାତ୍ର ଧାର୍ଯ୍ୟ ସମୟର ୫ମାସ ବିତି ଯାଇଥିଲେ ମଧ୍ୟ ଏହି ନବନିର୍ମିତ ଗୃହକୁ ପୂର୍ଣ୍ଣାଙ୍ଗ କରିବାରେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ବିଫଳ ରହିଛନ୍ତି । ରାଜନୈତିକ ଦାଓପେଞ୍ଚ ତଥା ନିର୍ଦ୍ଧିଷ୍ଟ ମନ୍ତ୍ରୀଙ୍କୁ ତୁଷ୍ଟିକରଣ କରିବାକୁ ଯାଇ ଏହି ଅସମ୍ପୂର୍ଣ୍ଣ ନବନିର୍ମିତ ଗୃହକୁ ଉଦଘାଟନ କରାଯାଇଛି ବୋଲି ନିର୍ଦ୍ଧିଷ୍ଟ ମହଲରୁ ଅଭିଯୋଗ ହେଉଛି । ଏବେ ବି ଏହି ଅସମ୍ପୂର୍ଣ କୋଠାରେ ପାଣି ଓ ବିଦ୍ୟୁତ ଯୋଗାଣ ସଂଯୋଗ ହୋଇନଥିବା ବେଳେ କୋଠରୀ ଗୁଡିକର କାନ୍ଥରେ ପୁଟ୍ଟୀ ଓ ରଙ୍ଗ କାର୍ଯ୍ୟ ବାକି ରହିଛି । ଉଦଘାଟନ ପୂର୍ବରୁ ବାହ୍ଯଦୃଶ୍ଯ ପାଇଁ ଯଦିଓ କୋଠାଟିକୁ ଆକର୍ଷଣୀୟ ରଙ୍ଗରେ ରଙ୍ଗୀନ କରାଯାଇଛି ମାତ୍ର କୋଠା ବାହାରେ ଲାଇଟ ଲଗାଯିବା ବ୍ୟବସ୍ଥା ଥିଲେ ମଧ୍ୟ ସାମାନ୍ୟ ଷ୍ଟ୍ରୀଟ ଲାଇଟ ଲଗାଯାଇ ନଥିବା ଦେଖାଯାଇଛି । ରାଜୀବ ଭବନରୁ ବିଦ୍ୟୁତ୍ ସଂଯୋଗ ନେଇ ଏହି କୋଠାରେ ବିଦ୍ୟୁତିକରଣ କରାଯାଇଛି। ଏହି ଅସମ୍ପୂର୍ଣ କୋଠାକୁ କାହିଁକି ଏତେ ତରବରିଆ ଭାବେ ମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ କରାଗଲା ସେନେଇ ପ୍ରଶ୍ନ ଉଠିଥିବା ବେଳେ ବ୍ଲକ ପ୍ରଶାସନ ମନ୍ତ୍ରୀଙ୍କୁ ଖୁସି କରାଇବାକୁ ଏହି ଅସମ୍ପୂର୍ଣ୍ଣ କୋଠାକୁ ଉଦଘାଟନ କରାଇଥିବା ନେଇ ବେଶ୍ ଚର୍ଚ୍ଚା ହେଉଛି । ଅପରପକ୍ଷେ ଅସମ୍ପୂର୍ଣ୍ଣ ନବନିର୍ମିତ କୋଠାକୁ ତରବରିଆ ଉଦଘାଟନ କରାଇ ପରବର୍ତ୍ତୀ ସମୟରେ ମନ୍ତ୍ରୀ ଶ୍ରୀ ନାଏକଙ୍କୁ କୈାଣସି ଅପବାଦରେ ଛନ୍ଦିବା ପାଇଁ ବ୍ଲକ୍ ପ୍ରଶାସନର ମନ୍ଦ ଉଦ୍ଦେଶ୍ୟ ନାହିଁତ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।

Leave A Reply

Your email address will not be published.