୧୮୦ ଫୁଟ ଗୁମ୍ଫା ମଧ୍ୟରେ ରାଜ ରାଜେସ୍ବରୀ ବେଶ ଦର୍ଶନ କଲେ ୧୫ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ

ଓଡଗାଁ, ୨।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ମଗରବନ୍ଧ ଓ ସରଧାପୁର ପଞ୍ଚାୟତ ମଧ୍ୟସ୍ଥ ଫାସିପଲ୍ଲୀ ଓ ଚୋରଖୋଲ ନିକଟ ଜାମୁକୋଣ ମୁଣ୍ଡିଆରେ ବିରାଜିତ ମା’ ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ରବିବାର ଦିନସାରା ୧୫ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ଜନଗହଳି ଲାଗିରହିଥିଲା । ଜାନୁଆରୀ ମାସ ୨୯ ତାରିଖ ବୁଧବାର ଠାରୁ ମା’ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଥିବା ବେଳେ ୫ମ ଦିବସ ଫ୍ରେବୃଆରୀ ମାସ ୨ ତାରିଖ ରବିବାର ଆଜି ଦିନର ଅପରାହ୍ଣରେ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପାଦନ ହୋଇଥିଲା । ପ୍ରାଣ ପ୍ରତିଷ୍ଠା ପରେ ୧୮୦ ଫୁଟର ଗୁମ୍ଫା ମଧ୍ୟ ଭାଗଭାଗ ଆସ୍ଥାନରେ ବିରାଜିତ ମା’ ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଭିଡ଼ ଲାଗିରହିଥିଲା । ଜଣେ ଭକ୍ତଙ୍କ ଅକୁଣ୍ଠ ଅନୁଦାନରେ ଦୀର୍ଘ ୪ ବର୍ଷ ତଳେ ନିର୍ମାଣ ଆରମ୍ଭ ହୋଇଥିବା ଜାମୁକୋଣସ୍ଥ ମା’ ବୈଷ୍ଣୋଦେବୀଙ୍କ ମନ୍ଦିର ଏବେ ସମସ୍ତଙ୍କ ପାଇଁ ପରିଚିତ ସ୍ଥାନରେ ପରିଣତ ହୋଇଯାଇଛି । ମା’ଙ୍କ ଭବ୍ୟ ମନ୍ଦିର, ଭୈରନାଥଙ୍କ ମନ୍ଦିର ଓ ଅନ୍ୟ ସମସ୍ତ ପାର୍ଶ୍ୱ ଦେବଦେବୀଙ୍କ ମନ୍ଦିର ପ୍ରତିଷ୍ଠା ସହିତ ମା’ ବୈଷ୍ଣୋଦେବୀଙ୍କ ପ୍ରାଣ ପ୍ରତିଷ୍ଠା ନୀତି ସମାପନ ପରେ ମା’ଙ୍କୁ ଆସ୍ଥାନରେ ବିଜେ କରାଯାଇଥିଲା । ସୁଡ଼ଙ୍ଗର ମଧ୍ୟ ଭାଗର ଥିବା ଆସ୍ଥାନ ଉପରେ ବିରାଜିତା ମା’ଙ୍କ ରାଜ ରାଜେସ୍ବରୀ ବେଶକୁ ଆଜି ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଥିଲେ । ପର୍ବତମାଳାର ପ୍ରାକୃତିକ ପରିବେଶ ପୂର୍ଣ୍ଣ ମଧ୍ୟସ୍ଥଳର ବିସ୍ତୃତ ସମତଳ କ୍ଷେତ୍ର ଶ୍ରଦ୍ଧାଳୁଙ୍କୁ ଅଧିକ ଆକର୍ଷିତ କରିଥିଲା । ଭୈରନାଥଙ୍କ ଦର୍ଶଶନ ବିନା ମା’ ବୈଷ୍ଣୋଦେବୀଙ୍କ ଦର୍ଶନ ଅଧୁରା ବୋଲି ଜନସୃତି ଅନୁସାରେ ଶ୍ରଦ୍ଧାଳୁ ମାନେ ମା’ଙ୍କ ଦର୍ଶନ ସହିତ ସେହି ପାହାଡ଼ର ଉତ୍ତର ପାର୍ଶ୍ବରେ ନିର୍ମିତ ଆସ୍ଥାନରେ ଭୈରନାଥଙ୍କୁ ଦର୍ଶନ କରିଥିଲେ । ଖୁବ୍ କମସମୟ ମଧ୍ୟରେ ଆୟୋଜିତ ମା’ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରେ ମଧ୍ୟ ପ୍ରଚାରିତ ହୋଇଥିବାରୁ ବାହାର ରାଜ୍ୟର ଅନେକ ଭକ୍ତ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଅଂଶଗ୍ରହଣ କରିଥିଲେ । ବୃଦ୍ଧା, ବୃଦ୍ଧ, ଭିନ୍ନକ୍ଷମଙ୍କ ସହିତ ସମ୍ବଳହୀନ ପ୍ରତ୍ୟେକ ମଣିଷ ଏବେ ମା’ଙ୍କ ସାନିଧ୍ୟ ଲାଭ କରିବା ସହଜ ସାଧ୍ୟ ହୋଇପାରିଛି ବୋଲି ଶ୍ରଦ୍ଧାଳୁମାନେ ଆଲୋଚନା କରିଥିଲେ । ସତରେ ଯେପରି ଜମୁରୁ ଏବେ ଜାମୁ କୋଣ ପର୍ଯ୍ୟନ୍ତ ମା’ ବିରାଜିତ ହୋଇଛନ୍ତି । ଏହା କେବଳ ଓଡ଼ିଶା ବାସୀଙ୍କ ପାଇଁ ନୁହେଁ, ସମଗ୍ର ଭାରତବର୍ଷର ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କୁ ଆକର୍ଷିତ କରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।