ନୟାଗଡ଼(ବିଶ୍ୱଜିତ ନାୟକ) :- ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ନୟାଗଡ ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳିନୀ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ଦାସ ଯୋଗ ଦେଇ ନୟାଗଡ ଜିଲ୍ଲାରେ ସମୁଦାୟ ୯୫୯ ଜଣ ଆଶା ୬୪ଟି ସ୍ଥିରିକୃତ କାର୍ଯ୍ୟରେ ନିୟୋଜିତ ହୋଇ କିପରି ନିଜ ଜୀବନକୁ ବିପନ୍ନକରି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି, ସେ ସମ୍ପର୍କରେ ବିଶଦ ବିବରଣୀ ପ୍ରଦାନ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଶା କର୍ମୀମାନେ ପ୍ରକୃତରେ ଗ୍ରାମ୍ୟ ଡାକ୍ତର ବୋଲି ଅଭିହିତ କରି ସ୍ୱାସ୍ଥ୍ୟ ବିଭାଗର କାମକୁ ସ୍ଵଚ୍ଛ, ସରଳ ଓ କ୍ରିୟାଶୀଳ ଭାବେ ଆଗେଇ ନେବାକୁ ପ୍ରତ୍ୟେକ ସ୍ତରରେ ପ୍ରଚେଷ୍ଟା ଜାରି ରଖିବାକୁ ମାର୍ଗଦର୍ଶନ କରିଥିଲେ । ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଯୋଗଦେଇ ଆଶାକର୍ମୀମାନଙ୍କୁ ଛାଡି କୌଣସି ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଚିନ୍ତା କରାଯାଇ ପାରିବ ନାହିଁ ବୋଲି ଦୃଢମତ ପୋଷଣ କରିଥିଲେ ତଥା ତୃଣମୂଳ ସ୍ତରରେ ଆଶାମାନଙ୍କ ମହନୀୟ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।
ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଲଗ୍ନଜିତ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦୁର୍ଗମ ଅଞ୍ଚଳରେ ଅନୁଷ୍ଠାନିକ ପ୍ରସବକୁ ଶତ ପ୍ରତିଶତ ଭାବେ ସଫଳ କରିବାକୁ ସର୍ବାଗ୍ର ଭୂମିକା ଗ୍ରହଣ କରିଥିବାରୁ ଧନ୍ୟବାଦ ଦେଇଥିଲେ । ଲିଙ୍ଗ ନିରୂପଣ, ଭୃଣହତ୍ୟା ଓ ବାଲ୍ୟବିବାହ ଭଳି ବଦନାମରୁ ଜିଲ୍ଲାକୁ ମୁକ୍ତକରିବା ପାଇଁ ପ୍ରୟାସ କରିବାକୁ ପ୍ରେରଣା ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଉପଆରକ୍ଷୀ ଅଧୀକ୍ଷକ ସୁକାନ୍ତ କୁମାର ପାତ୍ର ଯୋଗଦେଇ ଆଶାମାନଙ୍କର କାମ ହିଁ ସମାଜରେ ତାଙ୍କ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ଦେଶର ମେରୁଦଣ୍ଡ ସୁଦୃଢ କରିଛନ୍ତି ବୋଲି ଯୁକ୍ତି ବାଢିଥିଲେ । ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ସୁଭାଷ ଚନ୍ଦ୍ର ନାୟକ ଗୋଷ୍ଠୀ ସ୍ତରରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ତଥା ଟୀକାକରଣ କ୍ଷେତ୍ରରେ ଆଶା ଓ ଅଙ୍ଗନୱାଡି କର୍ମୀମାନଙ୍କ ଭୂମିକାକୁ ଭୂୟଶୀ ପ୍ରସଂଶା କରିଥିଲେ ।
ଜିଲ୍ଲାରେ ଭଲକାମ କରି ଗୋଷ୍ଠୀର ବିଶ୍ଵାସ ଭାଜନ ହୋଇପାରିଥିବାରୁ ପ୍ରତି ବ୍ଲକରୁ ଗୋଟିଏ ଶ୍ରେଷ୍ଠ ଗାଁ କଲ୍ୟାଣ ସମିତିକୁ ପୁରସ୍କାର ସହିତ ଅର୍ଥରାଶି ପ୍ରଦାନ କରାଯାଇଥିଲା । ବ୍ଲକ ୱାରି ଶ୍ରେଷ୍ଠ ଆଶା ଓ ମହିଳା ଆରୋଗ୍ୟ ସମିତିଗୁଡିକୁ ପୁରସ୍କାର ଓ ଅର୍ଥରାଶି ପ୍ରଦାନ କରାଯାଇଥିଲା ।
ପରିଶେଷରେ ଆଶାମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ଆଶା, ଗାଁ କଲ୍ୟାଣ ସମିତିର ସଭ୍ୟସଭ୍ୟା ଓ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀମାନେ ଯୋଗଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.