ହାତୀ ଲାଗି ଦୌଡ଼, ହାତୀ ବଞ୍ଚିଲେ ପରିବେଶ ରହିବ।

0

କେନ୍ଦୁଝର,ତା୨୧/୧/ ଦିଲ୍ଲୀପ ସାହୁ (ସ୍ୱତନ୍ତ୍ର ପ୍ରତିନିଧି)- ଆଜି କେନ୍ଦୁଝର ସହରରେ କେନ୍ଦୁଝର ଫରେଷ୍ଟ ଡିଭିଜନ, ୱାଇଲ୍ଡ ଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆ ଓ ସେଣ୍ଟ୍ରାଲ ଜିଏସଟି ପକ୍ଷରୁ ମିଳିତ ଭାବେ ହାତୀ ସୁରକ୍ଷା ଲାଗି ଏକ ଅଭିନବ ମିନି ମାରାଥନ ଅନୁଷ୍ଠିତ ହୋଇଥିଲା। କେନ୍ଦୁଝର ଷ୍ଟାଡିୟମରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ୍ ଏଚଡିଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ହାତୀ ସୁରକ୍ଷା ଲାଗି ଏହି ସଭାରେ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ, କେନ୍ଦୁଝରଗଡ଼ ପୌର ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ, ଉପ ନଗରପାଳ ଶ୍ରୀ ବରଦା ପ୍ରସନ୍ନ ଦାସ,ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଆଶିଷ ଚକ୍ରବର୍ତ୍ତୀଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। କେନ୍ଦୁଝର ଜିଲ୍ଲାରେ ହାତୀ ସଂଖ୍ୟା ବଢ଼ିଲେ ମଧ୍ୟ ଅନେକ ହାତୀ କ୍ରମାଗତ ଭାବେ ମରୁଛନ୍ତି। କେତେ ବେଳେ ଶିକାରୀ ଦ୍ଵାରା,ପୁଣି ବିଦ୍ୟୁତ୍ କରେଣ୍ଟ ଲାଗି ପୁଣି ରେଳ ଚକା ତଳେ ଏପରିକି ରାସ୍ତାରେ ସଡ଼କ ଦୁର୍ଘଟଣାରେ ମରୁଛନ୍ତି। ହାତୀର ଗତିବିଧିକୁ ଡ୍ରୋନ୍,ଇନଫ୍ରା ରେଡ୍ କ୍ୟାମେରା ଦ୍ଵାରା ଲକ୍ଷ୍ୟ କରାଯାଉଥିଲେ ମଧ୍ୟ ଅଘଟଣ ଘଟୁଛି। ତେଣୁ ହାତୀ ବଂଶ ବୃଦ୍ଧି ଲାଗି ସମସ୍ତଙ୍କ ସହଯୋଗ ଆଜି ଆବଶ୍ୟକ ହାତୀକୁ ବିରକ୍ତ ନକଲେ ଜମା ମଣିଷକୁ ଆକ୍ରମଣ କରିବନି ବୋଲି ମତ ପ୍ରକାଶ ପାଇଥିଲା। ହାତୀ ଆମର ସାଥୀ ପରିବେଶ ରକ୍ଷା କରୁଛି ଆଫ୍ରିକାରେ ହାତୀ ଦଳ ପଛରେ ମଇଁଷି,ହରିଣ,ଜେବ୍ରା ଦଳ ଚାଲନ୍ତି ହାତୀକୁ ଜଣା ପାଣି ମିଳିବ କେଉଁଠି। ସେହିପରି ତୃଣଭୋଜୀଙ୍କ ପଛରେ ବାଘ ସିଂହ ଯାଇ ପରିବେଶ ସନ୍ତୁଳନ ରକ୍ଷା କରନ୍ତି ଜୀବଜନ୍ତୁ ମଞ୍ଜି ପକାଇ ଚାଲନ୍ତି ଗଛ ଲତା ତେଣୁ ବଢେ। ଆମର ଏସୀୟ ହାତୀ ମଧ୍ୟ ସେହି ପ୍ରକାରେ ପରିବେଶ ରକ୍ଷା କରେ। ତେବେ ଜଙ୍ଗଲରେ ହାତୀର ଖାଦ୍ୟ ବୃକ୍ଷ ଲତା ଆମେ ଆଉ ନଷ୍ଟ କରିବା ନାହିଁ। ଅତୀତରେ ମ୍ୟାମଥ, ମାଷ୍ଟଡନ୍ ହାତୀ ଲୋପ ପାଇ ସାରିଛନ୍ତି ତେଣୁ ଏବେ ଆଫ୍ରିକୀୟ,ଏସୀୟ ଓ ବୋର୍ଣିଓ ପିଗମୀ ହାତୀ ବଞ୍ଚୁ ରହୁ ସମସ୍ତେ ଧ୍ୟାନ ଦେବା ଉଚିତ୍ ବୋଲି ଅତିଥିମାନେ କହିଥିଲେ। ସଭା ପରେ ଷ୍ଟାଡିୟମରୁ ବାହାରି ବିଶିଷ୍ଟ ଲୋକେ ଓ ଛାତ୍ରଛାତ୍ରୀ ମାନେ ୫ କିଲୋମିଟର ମାରାଥନ ଦୌଡ଼ି ଥିଲେ। ସେଥି ମଧ୍ୟରୁ ମହିଳା ଓ ପୁରୁଷ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଶିଷ୍ଟ ଆଥଲେଟ ସୁକମତି ଲାଗୁରି ଏହି ଦୌଡ଼ରେ ଭାଗ ନେଇଥିଲେ। କେନ୍ଦୁଝର ଜିଲ୍ଲାର ବିଭନ୍ନ ଆଦିବାସୀ ବାଦ୍ୟ ଦଳ ପାରମ୍ପରିକ ବାଦ୍ୟ ପରିବେଷଣ କରିଥିଲେ। ପୁଣି ଷ୍ଟାଡିୟମରୁ ଜିଲ୍ଲାପାଳଙ୍କ ଅଫିସ୍ ଯାଏ ଛାତ୍ରଛାତ୍ରୀ, ବନ କର୍ମଚାରୀ,ବାଦ୍ୟ ଦଳ ମାର୍ଚିଂ କରି ଯାଇ ହାତୀ ସୁରକ୍ଷା ବାର୍ତ୍ତାକୁ ପ୍ରଚାର କରିଥିଲେ।

Leave A Reply

Your email address will not be published.