ବିଜେପି କୃଷକ ମୋର୍ଚ୍ଚାର ସଚିବାଳୟ ଘେରାଓ ୮ରେ

0

ବାଲେଶ୍ୱର/ଉଜ୍ଜ୍ୱଳ କର : କୃଷି ଓ କୃଷକଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ ଜାନୁଆରୀ ୮ ତାରିଖରେ ନବୀନ ନିବାସ ସହ ସଚିବାଳୟ ଘେରିବାର ଚେତାବନୀ ଦେଇଛି ବିଜେପି କୃଷକ ମୋର୍ଚ୍ଚା । ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ସମୀର ପାତ୍ର ଯୋଗଦେଇ ସରକାରଙ୍କ ତ୍ରୁଟିପୂର୍ଣ୍ଣ କୃଷିନୀତିକୁ ତୀବ୍ର ସମାଲୋଚନା କରିଥିଲେ । ରାଜ୍ୟ ସରକାର ଓ ମିଲରମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ଧାନ ବିକ୍ରୟରୁ ବଞ୍ଚିତ ହେଉଛନ୍ତି ବୋଲି ସେ ଆରୋପ କରିଥିଲେ । ଦିନକୁ ଦିନ କୃଷକମାନଙ୍କ ସମସ୍ୟା ଜଟିଳ ହେବା ସହ ଜିଲ୍ଲାର କୃଷକ ମାନଙ୍କର ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡ଼ିଛି ବୋଲି ଶ୍ରୀ ପାତ୍ର ପ୍ରକାଶ କରିଥିଲେ । ୧୯ ବର୍ଷର ଶାସନରେ ନବୀନ ସରକାର କୃଷକଙ୍କ ସମସ୍ୟା ସମାଧାନର ସୂତ୍ର ବାହାର କରିବା ପରିବର୍ତ୍ତେ ‘କାଳିଆ’ ଯୋଜନା ପ୍ରସ୍ତୁତି ସହିତ ନାଟକବାଜି ଆରମ୍ଭ କରିଛନ୍ତି । କେନ୍ଦ୍ରସରକାରଙ୍କ ଦ୍ୱାରା ସ୍ଥରୀକୃତ ଧାନର ସର୍ବନିମ୍ନ ମୂଳ୍ୟ ୧୭୫୦ଟଙ୍କା ପ୍ରତିବଦଳରେ ଚାଷୀ ୧୦୦୦ ରୁ ୧୨୦୦ ଟଙ୍କାରେ ଯାନ ,ବିକ୍ରୟ କରିବାକୁ ବାଧ୍ୟ ହେଉଛନ୍ତି ବୋଲି କୃଷକ ମୋର୍ଚ୍ଚା  ଅଭିଯୋଗ କରିଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସହ ୧୦୦ ଟଙ୍କା ବୋନସ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା କେବଳ ଘୋଷଣାରେ ହି ରହିିଯାଇଛି । କୃଷି କମିଶନ ୨୦୧୨ରେ ଗଠିତ ହେବା ସତ୍ତେ୍ୱ  କୃଷକ କଲ୍ୟାଣ ରିପୋର୍ଟକୁ ରାଜ୍ୟ ସରକାର ସାର୍ବଜନୀନ କରିନାହାନ୍ତି । କୃଷଋଣ ଛାଡ଼, ଧାନ ଓଜନ ବେଳେ ଉଡ଼ାଣ କାଟ୍ ବନ୍ଦ କରି ସର୍ବନିମ୍ନ ୧୭୫୦ ଟଙ୍କା ପ୍ରଦାନ, ବାହାର ରାଜ୍ୟକୁ ଧାନ ଚାଲାଣ ବନ୍ଦ, ଫସଲ ବୀମାରେ ତୁରନ୍ତ ଚାଷୀକୁ କ୍ଷତି ପୂରଣ ପ୍ରଦାନ ଓ ଚାଷୀର ଗଚ୍ଛିତ ଧାନକୁ ତୁରନ୍ତ ମଣ୍ଡିରେ ବିକ୍ରୟ ପାଇଁ ବ୍ୟବସ୍ଥା କରିବା ପ୍ରଭୃତି ଦାବି ନେଇ କୃଷକ ମୋର୍ଚ୍ଚା ଆସନ୍ତା ୮ ତାରିଖ ଦିନ ନବୀନ ନିବାସ ହିତ ସଚିବାଳୟ ଘେରାଓ କରିବ ବୋଲି ସେ ଚେତାବନୀ ଦେଇଛନ୍ତି । ବିଜେପି ଜିଲ୍ଲା ସଭାପତି ମଦନ ମୋହନ ଦତ୍ତ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ମହେନ୍ଦ୍ର ନାଥ ଦାସ, ଆଞ୍ଚଳିକ  କ୍ଷେତ୍ର ମିଡିଆ ସଂଯୋଜକ ସତ୍ୟଜିତ୍ ମିଶ୍ର, କୃଷକ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଧର ପରିଡ଼ା, ଜିଲ୍ଲା ମିଡିଆ ସଂଯୋଜକ ଗୌରାଙ୍ଗ ଦାସ ପ୍ରମୁଖଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଏଥିରେ ଯୋଗ ଦେଇଥିଲେ । ଏହି ଘେରାଓ କାର୍ଯ୍ୟକ୍ରମରେ ବାଲେଶ୍ୱରରୁ ୫ ହଜାରରୁ ଉଦ୍ଧ୍ୱର୍ କର୍ମୀ ଯୋଗଦେବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

 

Leave A Reply

Your email address will not be published.