ନୟାଗଡ଼ ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ, କୃଷି, ପୁସ୍ତକ ମେଳା ଉଦଘାଟିତ

3

ନୟାଗଡ଼ (ବିଶ୍ୱଜିତ ନାୟକ):- ନୟାଗଡ଼ ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ, କୃଷି, ପୁସ୍ତକ ମେଳା ଷ୍ଟାଡିୟମ୍ ପଡ଼ିଆରେ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ  ବାଚସ୍ପତି ସୁରମା ପାଢ଼ୀ, ପୁରୀ ସାଂସଦ ସମ୍ବିତ ପାତ୍ର, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ଵରୀ ସିଂ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ସ୍ବାଗତ ଅଭିଭାଷଣ ରଖିଥିଲେ। ନୟାଗଡ଼ ଚିନିକଳ ପ୍ରସଙ୍ଗ ଉଠାଇ ବାଚସ୍ପତି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାର ଚାଷ ଓ ଜଳସେଚନ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ। ପୁରୀ ସାଂସଦ ଓଡ଼ିଶାକୁ ଆଗକୁ ନେବା ଉପରେ ଗୁରୁତ୍ବ ଦେଇଥିଲେ।

ସବୁ ଆରମ୍ଭର ଏକ ଆରମ୍ଭ ଥାଏ ତାହା ଅୟମାରମ୍ଭ। ସବୁ ଉତ୍ସବ ପରେ ଯେଉଁ ଉତ୍ସବ ଥାଏ ତାହା ମହୋତ୍ସବ ବୋଲି ବିଧାୟକ ଡ. ସାହୁ କହିଥିଲେ। ଲୋକକଳା, ଲୋକନୃତ୍ୟକୁ ଉଜ୍ଜୀବିତ କରିବା ପାଇଁ ମହୋତ୍ସବ ସୁଯୋଗ ଦିଏ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ଆଜି ମହୋତ୍ସବକୁ ପରିପକ୍ଵ କରିଛି ବୋଲି ବିଧାୟକ କହିଥିଲେ। ନୟାଗଡ଼ ମହୋତ୍ସବ ୪ଟି ଗଡ଼ ମଧ୍ୟରେ ଥିବା ମାତୃଭାବ ଓ ଭାଇଚାରା ବୋଲି ଦଶପଲ୍ଲା ବିଧାୟକ କହିଥିଲେ। ମହୋତ୍ସବ ମାଧ୍ୟମରେ କଳା, ସଂସ୍କୃତି ଉଜ୍ଜିବିତ ହେବ ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ନୟାଗଡ଼ର ସ୍ଵାଧୀନତା ସଂଗ୍ରାମୀଙ୍କ କଥା କହିବା ସହ ସାହିତ୍ୟିକଙ୍କ କଥା ମଧ୍ୟ କହିଥିଲେ। ଦାଶିଆ ଅଜା ତାଙ୍କ ପାଠାଗାର ମାଧ୍ୟମରେ ଓଡ଼ିଶାକୁ ରୁଦ୍ଧିମନ୍ତ କରିଛନ୍ତି ବୋଲି କହିଥିଲେ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ନୟାଗଡ଼କୁ ବାଦ ଦେଇ ଚିନ୍ତା କରି ହେବ ନାହିଁ ବୋଲି କହିଥିଲେ। ଚିନିକଳ ପ୍ରତିଷ୍ଠା କରିବା ପାଇଁ ମୋତେ ସାଂସଦ ଦାବି ଜଣାଇଛନ୍ତି। ଜିଲ୍ଲାପାଳ ଚେଷ୍ଟା ଚଳାଇଛନ୍ତି। ଚିନିକଳ ପାଇଁ ରାଜ୍ୟ ସ୍ତରରେ ଗୋଟେ ବୈଠକ କରିବି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଚିନିକଳ ପାଇଁ କ୍ଷେତ୍ର ପ୍ରସ୍ତୁତ ହେବ ବୋଲି କହିଥିଲେ। ନୟାଗଡ଼ରେ ଚିନିକଳ ସହ ଶିଳ୍ପ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମହୋତ୍ସବରେ ୩୧୩ ଟି ଷ୍ଟଲ ନିର୍ମାଣ କରାଯାଇଛି। ଖାଦ୍ୟ, ମିଶନ ଶକ୍ତି, କୃଷିଠାରୁ ଆରମ୍ଭ କରି ବିଭିନ୍ନ ପସରା ଖୋଲିଛି।

Leave A Reply

Your email address will not be published.