ସୋହେଲା :-ବରଗଡ଼ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ କଲଙ୍ଗାପାଲି ଗ୍ରାମରେ ଆଜି ଜଣେ ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକଙ୍କ ବାପା ମନବୋଧ ବାଗଙ୍କ ଲିଖିତ ଅଭିଯୋଗ କ୍ରମେ ସୋହେଲା ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଯେ, ଗତ ମାର୍ଚ୍ଚ ମାସରେ ସୋହେଲା ଥାନା ଅନ୍ତର୍ଗତ ଝର ପଞ୍ଚାୟତ ଶରଗୁଣାପାଲି ଗ୍ରାମର ମନବୋଧ ବାଗଙ୍କ ଝିଅ ମୋନାଲିସା (୨୦) କଲଙ୍ଗାପାଲି ଗ୍ରାମର ମଳୟ ନାଗଙ୍କୁ ବିବାହ କରିଥିଲେ। ଗତକାଲି ମୋନାଲିସା ତାଙ୍କ ପରିବାର ସହ ଫୋନ ଯୋଗେ କଥା ହୋଇଥିଲେ । ରାତି ୯ ଟାରେ ମଳୟଙ୍କ ପରିବାର ଲୋକେ ଫୋନ ଯୋଗେ ତମ ଝିଅର ଦେହ ଖରାପ ଅଛି ବୋଲି ମୋନାଲିସାଙ୍କ ବାପଘର ଲୋକଙ୍କୁ କହିଥିଲେ l ପରେ ବାପା ଓ ତାଙ୍କ ପରିବାର ଲୋକ କଲଙ୍ଗାପାଲି ଗାଁକୁ ଆସିବାରୁ ଝିଅ ମୋନାଲିସାଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ଘଟଣାକୁ ନେଇ ମନବୋଧ ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଥିବା ନେଇ ସୋହେଲା ଥାନାରେ ଅଭିଯୋଗ କରିବା ପରେ ପୁଲିସ କଲଙ୍ଗାପାଲି ଗାଁକୁ ଯାଇ ଘଟଣାର ତଦନ୍ତ କରିଥିଲା । ସୋହେଲା ଅତିରିକ୍ତ ତହସିଲଦାର ଅଂଶୁମାନ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଶବର ମାଇନା କରାଯାଇଥିଲା ଓ ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଯାଇଥିଲା lସେହିପରି ସମ୍ବଲପୁରରୁ ସାଇଣ୍ଟିଫିକ୍ ଟିମ ମଧ୍ୟ ଆସି ଘଟଣାର ତଦନ୍ତ କରିଥିଲେ। ଘଟଣାର ଗୁରୁତ୍ଵକୁ ଦୃଷ୍ଟିରେ ରଖି ଆଇଆଇସି ଶଶୀଭୂଷଣ ମିଶ୍ର ତଦନ୍ତ ଜାରି ରଖିଛନ୍ତି ।