୧୦ ମିନିଟ୍ରେ ୯୦%ରୁ ଅଧିକ ଫ୍ଲୋରାଇଡ୍ ଦୂର
ରାଉରକେଲା, ୧୪/୧୦ (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ ): ପାନୀୟ ଜଳରୁ ଅତ୍ୟଧିକ ଫ୍ଲୋରାଇଡ୍ ଦୂର କରିବା ପାଇଁ ଏକ କମ୍ ଖର୍ଚ୍ଚର ନୂତନ ସାମଗ୍ରୀ ବିକଶିତ କରିଛନ୍ତି ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନ୍ଆଇଟି) ରାଉରକେଲାର ଗବେଷକମାନେ। ଫିଙ୍ଗା ଯାଉଥିବା କଠାଳ ଚୋପାରୁ ପ୍ରସ୍ତୁତ ସକ୍ରିୟ କାର୍ବନ୍ରେ ଜିର୍କୋନିୟମ୍ ମିଶାଇ ଏହି ସାମଗ୍ରୀ ତିଆରି କରାଯାଇଛି। ଏହା ପରୀକ୍ଷାଗାରରେ ମାତ୍ର ୧୦ ମିନିଟ୍ ମଧ୍ୟରେ ଦୂଷିତ ଜଳରୁ ୯୦ ପ୍ରତିଶତରୁ ଅଧିକ ଫ୍ଲୋରାଇଡ୍ ଦୂର କରିବାରେ ସଫଳ ହୋଇଛି।
ଏହି ନୂତନ ଜ୍ଞାନକୌଶଳ ପାଇଁ ଗବେଷକ ଦଳ ପେଟେଣ୍ଟ ହାସଲ କରିଛନ୍ତି। ଫ୍ଲୋରାଇଡ୍ ପ୍ରଭାବିତ ଅଞ୍ଚଳରେ କମ୍ ଖର୍ଚ୍ଚରେ ପାନୀୟ ଜଳ ବିଶୋଧନ ପାଇଁ ଏହା ଏକ ଆଶାଜନକ ପଦକ୍ଷେପ ବୋଲି କୁହାଯାଉଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ରିପୋର୍ଟ ଅନୁଯାୟୀ, ପାନୀୟ ଜଳରେ ଅତ୍ୟଧିକ ଫ୍ଲୋରାଇଡ୍ ରହିଲେ ମଣିଷର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିପାରେ। ଏହାଦ୍ୱାରା ଦାନ୍ତ ଓ ହାଡ଼ ସମ୍ବନ୍ଧୀୟ ଫ୍ଲୋରୋସିସ୍ ରୋଗ ହେବାର ଆଶଙ୍କା ରହିଥାଏ। ଭାରତର ବିଭିନ୍ନ ଅଞ୍ଚଳର ଭୂତଳ ଜଳରେ ଫ୍ଲୋରାଇଡ୍ ପ୍ରଦୂଷଣ ଦେଖାଯାଉଥିବାରୁ ଏହାର ସୁଲଭ ଓ ପରିବେଶ ଅନୁକୂଳ ଚିକିତ୍ସା ପଦ୍ଧତିର ଆବଶ୍ୟକତା ରହିଛି।
ବର୍ତ୍ତମାନ ଫ୍ଲୋରାଇଡ୍ ଦୂର କରିବା ପାଇଁ ରିଭର୍ସ ଓସ୍ମୋସିସ୍ (RO), ଆୟନ୍ ଏକ୍ସଚେଞ୍ଜ୍ ଓ ଆକ୍ଟିଭେଟେଡ୍ ଆଲୁମିନା ଭଳି ପଦ୍ଧତି ବ୍ୟବହାର କରାଯାଉଛି। କିନ୍ତୁ ରିଭର୍ସ ଓସ୍ମୋସିସ୍ ପଦ୍ଧତିରେ ଅଧିକ ପରିମାଣର ଜଳ ନଷ୍ଟ ହେବା ସହିତ କ୍ୟାଲସିୟମ୍ ଓ ମ୍ୟାଗ୍ନେସିୟମ୍ ଭଳି ଉପକାରୀ ଖଣିଜ ପଦାର୍ଥ ମଧ୍ୟ ଦୂର ହୋଇଯାଏ। ଅନ୍ୟ କେତେକ ପଦ୍ଧତିରେ ରାସାୟନିକ ପଦାର୍ଥର ବ୍ୟବହାର ହେତୁ ପରିବେଶ ଉପରେ ପ୍ରଭାବ ପଡ଼ିପାରେ।
ଏହି ସମସ୍ୟାର ସମାଧାନ ପାଇଁ ଏନ୍ଆଇଟି ରାଉରକେଲାର କେମିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ସୁସ୍ମିତା ମିଶ୍ର ଓ ଗବେଷଣାରତ ଛାତ୍ରୀ ଡ. ପ୍ରତିମା ମିଞ୍ଜ ଏହି ଗବେଷଣା କରିଛନ୍ତି।
ପ୍ରଫେସର ସୁସ୍ମିତା ମିଶ୍ର କହିଛନ୍ତି, କୃଷିଜାତ ବର୍ଜ୍ୟବସ୍ତୁକୁ ଜଳ ବିଶୋଧନ ପାଇଁ ଉପଯୋଗୀ ସମ୍ପଦରେ ପରିଣତ କରିବା ହେଉଛି ଏହି ଗବେଷଣାର ମୁଖ୍ୟ ଉଦ୍ଦେଶ୍ୟ। ଫିଙ୍ଗା ଯାଉଥିବା କଠାଳ ଚୋପାରୁ ସକ୍ରିୟ କାର୍ବନ୍ ପ୍ରସ୍ତୁତ କରି ସେଥିରେ ଜିର୍କୋନିୟମ୍ ମିଶାଯାଇଛି। ଏହା ଜଳରୁ ଫ୍ଲୋରାଇଡ୍କୁ ଅଧିକ ଦକ୍ଷତାର ସହ ଆକର୍ଷିତ କରି ଅଲଗା କରିପାରୁଛି।
ପରୀକ୍ଷାଗାରରେ ପ୍ରତି ଲିଟର ଜଳରେ ୧ରୁ ୫ ମିଲିଗ୍ରାମ୍ ଫ୍ଲୋରାଇଡ୍ ଥିବା ନମୁନା ଉପରେ ପରୀକ୍ଷା କରାଯାଇଥିଲା। ଏଥିରେ ୧୦ରୁ ୨୦ ମିନିଟ୍ ମଧ୍ୟରେ ୯୦ରୁ ୯୭ ପ୍ରତିଶତରୁ ଅଧିକ ଫ୍ଲୋରାଇଡ୍ ଦୂର କରାଯାଇପାରିଥିଲା।
ଏହି ଗବେଷଣା ପାଇଁ ୨୫ ଅଗଷ୍ଟ ୨୦୨୫ରେ ପେଟେଣ୍ଟ ଆବେଦନ ନମ୍ବର ୨୦୨୫୩୧୦୮୦୨୪୨ ଅନୁଯାୟୀ ପେଟେଣ୍ଟ ହାସଲ କରାଯାଇଛି। ଏହି ପ୍ରଯୁକ୍ତିର ବିକାଶ ପରୀକ୍ଷାଗାର ସ୍ତରରେ ଟେକ୍ନୋଲୋଜି ରେଡିନେସ୍ ଲେଭଲ୍-୪ (TRL-4)ରେ ପହଞ୍ଚିଛି।
ଗବେଷକଙ୍କ ଆକଳନ ଅନୁଯାୟୀ, ବ୍ୟବହୃତ ବିଦ୍ୟୁତ୍ ଓ ରାସାୟନିକ ପଦାର୍ଥର ଖର୍ଚ୍ଚକୁ ଆଧାର କରି ଏହି ସାମଗ୍ରୀ ପ୍ରସ୍ତୁତିର ଖର୍ଚ୍ଚ ପ୍ରତି ଗ୍ରାମ୍ ପିଛା ପ୍ରାୟ ୩୭ ଟଙ୍କା ହେବ। ଏହା ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳରେ ସମୁଦାୟଭିତ୍ତିକ ଜଳ ବିଶୋଧନ ବ୍ୟବସ୍ଥା ପାଇଁ ଉପଯୋଗୀ ହୋଇପାରେ।
ତେବେ ଏହି ପ୍ରଯୁକ୍ତିକୁ ବାସ୍ତବ କ୍ଷେତ୍ରରେ ବ୍ୟବହାର କରିବା ପୂର୍ବରୁ ଏକ ପ୍ରୋଟୋଟାଇପ୍ ପ୍ରସ୍ତୁତି, ଦୀର୍ଘକାଳୀନ କାର୍ଯ୍ୟଦକ୍ଷତା, ବ୍ୟବହାରିକ ଉପଯୋଗିତା ଓ ପରିଚାଳନା ଖର୍ଚ୍ଚର ଆକଳନ କରାଯିବ। ଏହାପରେ ହିଁ ଏହାର ବ୍ୟାପକ ବ୍ୟବହାର ସମ୍ଭାବନା ସ୍ପଷ୍ଟ ହୋଇପାରିବ।