କେନ୍ଦ୍ରାପଡ଼ା:୧୪,୧୦ (ପ୍ରଫୁଲ୍ଲ କୁମାର ମଲ୍ଲ) ଦୀର୍ଘ ଆଠ ବର୍ଷର ବ୍ୟବଧାନ ପରେ କଲେଜ କ୍ୟାମ୍ପସରେ ପୁଣି ଦେଖିବାକୁ ମିଳିଛି ଛାତ୍ର ରାଜନୀତିର ଉଷ୍ମତା। ଛାତ୍ର ସଂସଦ ନିର୍ବାଚନକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ମହା ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉତ୍ସାହ। ଛାତ୍ରନେତାଙ୍କ ରାଲି, ସ୍ଲୋଗାନ୍ ଓ ଶକ୍ତି ପ୍ରଦର୍ଶନରେ ମୁଖରିତ ହୋଇଉଠିଛି କଲେଜ ପରିସର। ଆସନ୍ତା ୧୫ ତାରିଖରେ ହେବାକୁ ଥିବା ମତଦାନକୁ ନେଇ ଏବେ ସମସ୍ତଙ୍କ ନଜର। ଜିଲ୍ଲାର ହୃଦାନନ୍ଦ ନାୟକ ସ୍ମାରକୀ ମହାବିଦ୍ୟାଳୟ, ଚାନ୍ଦୋଳ, କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ କୋରୁଆସ୍ଥିତ ଲୋକନାଥ ମହାବିଦ୍ୟାଳୟରେ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଦୀର୍ଘ ବର୍ଷ ପରେ ନିର୍ବାଚନ ହେଉଥିବାରୁ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ଛାତ୍ରନେତା ଓ ସମର୍ଥକମାନେ ଜୋରଦାର ପ୍ରଚାରରେ ଲାଗିପଡ଼ିଛନ୍ତି। ରାଲି ଓ ନାରାବାଜି ମାଧ୍ୟମରେ ପ୍ରାର୍ଥୀମାନେ ନିଜ ନିଜର ସମର୍ଥନ ପ୍ରଦର୍ଶନ କରିଛନ୍ତି।
ଏହି ଅବସରରେ ଆୟୋଜିତ ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର୍’ (Why I Stand For) କାର୍ଯ୍ୟକ୍ରମରେ ପ୍ରତିଦ୍ୱନ୍ଦ୍ୱୀ ଛାତ୍ରନେତାମାନେ ନିଜ ନିଜର ମତାମତ, ଯୋଜନା ଓ ଭବିଷ୍ୟତର ରୂପରେଖା ଉପସ୍ଥାପନ କରିଥିଲେ। କଲେଜର ବିକାଶ, ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଏବଂ ଛାତ୍ର ସମାଜର ଅଧିକାର ଓ ସ୍ୱାର୍ଥର ସୁରକ୍ଷାକୁ ନେଇ ପ୍ରାର୍ଥୀମାନେ ନିଜ ନିଜର ପକ୍ଷ ରଖିଥିଲେ। ଏହି ମଞ୍ଚ ପ୍ରାର୍ଥୀମାନଙ୍କୁ ନିଜର ଚିନ୍ତାଧାରା ଓ ନେତୃତ୍ୱ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ଦେଇଥିଲା।
ତେବେ ପ୍ରଚାର ଓ ପ୍ରତିଶ୍ରୁତିର ପର୍ବ ଶେଷ ହେବାକୁ ଯାଉଥିବାବେଳେ ଏବେ ମତଦାନ ଉପରେ ସମସ୍ତଙ୍କ ନଜର ରହିଛି। କେବଳ ରାଲି, ସ୍ଲୋଗାନ୍ କିମ୍ବା ମଞ୍ଚରେ ଦିଆଯାଇଥିବା ଭାଷଣ ନୁହେଁ, ବରଂ ଭୋଟରଙ୍କ ସମର୍ଥନ ହିଁ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ। କେଉଁ ପ୍ରାର୍ଥୀଙ୍କ ଉପରେ ଛାତ୍ରଛାତ୍ରୀ ଅଧିକ ଭରସା ପ୍ରକଟ କରୁଛନ୍ତି ଏବଂ କାହାକୁ ନେତୃତ୍ୱର ଦାୟିତ୍ୱ ଦେଉଛନ୍ତି, ତାହା ମତଦାନ ପରେ ସ୍ପଷ୍ଟ ହେବ। ଦୀର୍ଘ ଆଠ ବର୍ଷର ବ୍ୟବଧାନ ପରେ ହେଉଥିବା ଏହି ନିର୍ବାଚନ କଲେଜ କ୍ୟାମ୍ପସରେ ଛାତ୍ର ରାଜନୀତିକୁ ପୁଣି ସକ୍ରିୟ କରିଛି। ଏବେ ଅପେକ୍ଷା ଆସନ୍ତାକାଲିର ମତଦାନକୁ। ଛାତ୍ରଛାତ୍ରୀଙ୍କ ରାୟ କାହା ସପକ୍ଷରେ ଯିବ ଏବଂ କେଉଁ ପ୍ରାର୍ଥୀଙ୍କ ମୁଣ୍ଡରେ ବିଜୟର ମୁକୁଟ ପିନ୍ଧାଇବ, ତାହା ଜାଣିବାକୁ ଉତ୍ସୁକତା ବଢ଼ିଛି।
Sign in
Sign in
Recover your password.
A password will be e-mailed to you.