ରାଉରକେଲା ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣର ନିର୍ଭରଯୋଗ୍ୟତାକୁ ଅଧିକ ସୁଦୃଢ଼ କରିବା ପାଇଁ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ୨.୧୧ କୋଟି ଟଙ୍କା ନିବେଶ

3

ନେଟୱର୍କର ସ୍ଥିରତା, ନିରାପଦ ବିଦ୍ୟୁତ୍ ବିତରଣ ଓ ବର୍ଦ୍ଧିତ ଶିଳ୍ପ ଚାହିଦାକୁ ଦୃଷ୍ଟିରେ ରଖି ୯ଟି ଭିତ୍ତିଭୂମି ପ୍ରକଳ୍ପ ସମ୍ପନ୍ନ ହେବା ସହ କାର୍ଯ୍ୟକ୍ଷମ ।

ବୁର୍ଲା, ୧୪ ଅକ୍ଟୋବର ୨୦୨୬: ରାଉରକେଲା ସହର ସହ ଏହାର ଆଖପାଖ ଅଞ୍ଚଳରେ ଘରୋଇ ଉପଭୋକ୍ତା, ଶିଳ୍ପ ଓ ଖଣି କ୍ଷେତ୍ରକୁ ଅଧିକ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ଲକ୍ଷ୍ୟରେ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ପ୍ରାୟ ୨.୧୧ କୋଟି ଟଙ୍କା ବ୍ୟୟରେ ୯ଟି ବିଦ୍ୟୁତ୍ ଭିତ୍ତିଭୂମି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ସହ କାର୍ଯ୍ୟକ୍ଷମ କରାଯାଇଅଛି । ଏହି କାର୍ଯ୍ୟଗୁଡ଼ିକ ମାଧ୍ୟମରେ ପୁରୁଣା ବିଦ୍ୟୁତ୍ ଲାଇନ୍‌ର ଉନ୍ନତୀକରଣ, ବିକଳ୍ପ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ଏବଂ ଖୋଲା ତାର ବଦଳରେ ଅଧିକ ସୁରକ୍ଷିତ ଏବି କେବଲ୍ ବିଛାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହାଦ୍ୱାରା ହଜାର ହଜାର ଉପଭୋକ୍ତା ଉପକୃତ ହେବା ସହ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାର ସ୍ଥିରତା ଓ ଜନସୁରକ୍ଷାରେ ଉନ୍ନତି ଆସିବ ।

ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ ସର୍ବାଧିକ ୧.୪ କୋଟି ଟଙ୍କା ବ୍ୟୟରେ ଯୋଡ଼ା–ଟେନ୍ସା–ବରସୁଆଁ ଖଣି ଅଞ୍ଚଳର ବିଦ୍ୟୁତ୍ ଭିତ୍ତିଭୂମିକୁ ଆଧୁନିକୀକରଣ କରାଯାଇଛି । ଏଥିରେ ପୁରୁଣା ୩୩ କେଭି ଓଭରହେଡ୍ ଲାଇନ୍‌ର ପରିବର୍ତ୍ତନ, ପୋଲ୍ ଓ କଣ୍ଡକ୍ଟରର ଉନ୍ନତୀକରଣ, ଏକ ଶିଳ୍ପ ସୁଡ଼ଙ୍ଗ ଦେଇ ୧୧ କେଭି ଅଣ୍ଡରଗ୍ରାଉଣ୍ଡ କେବଲ୍ ସ୍ଥାପନ ଏବଂ ବରସୁଆଁ ପାୱାର ଷ୍ଟେସନ୍‌କୁ ଟେନ୍ସା ପାୱାର ସବ୍‌ଷ୍ଟେସନ୍ ସହ ବିକଳ୍ପ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାରେ ସଂଯୋଗ କରାଯାଇଛି । ପ୍ରାୟ ୬୦ ବର୍ଷ ପୁରୁଣା ଲାଇନ୍‌ର ଦୁର୍ବଳ ଅବସ୍ଥା ଏବଂ ଶିଳ୍ପ ଓ ଖଣି କ୍ଷେତ୍ରରେ ବଢ଼ୁଥିବା ବିଦ୍ୟୁତ୍ ଚାହିଦାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟ କରାଯାଇଛି । ସେଲ୍ ମାଇନ୍ସ ଏବଂ ଅନ୍ୟ ସହଯୋଗୀ ସଂସ୍ଥାଙ୍କ ସମନ୍ୱୟରେ ଜଙ୍ଗଲ ଅନୁମତି ସମ୍ବନ୍ଧୀୟ ସମସ୍ୟାର ସମାଧାନ କରି ପ୍ରକଳ୍ପଟି ସମ୍ପନ୍ନ ହୋଇଛି । ଏହାଦ୍ୱାରା ଖଣି, ଶିଳ୍ପ, ଆବାସିକ କଲୋନୀ ଓ ଆଖପାଖ ଅଞ୍ଚଳର ବିଦ୍ୟୁତ୍ ଯୋଗାଣ ଅଧିକ ନିର୍ଭରଯୋଗ୍ୟ ହେବ ।

ସେହିପରି ବାସନ୍ତୀ କଲୋନୀରେ ୩୧.୧ ଲକ୍ଷ ଟଙ୍କାର ବ୍ୟୟରେ ୬ଟି ପ୍ରକଳ୍ପ ଅଧୀନରେ ପ୍ରାୟ ୭.୫ ସର୍କିଟ୍ କିଲୋମିଟର ଖୋଲା ଲୋ-ଟେନ୍ସନ୍ ତାରକୁ AB କେବଲ୍‌ରେ ପରିବର୍ତ୍ତନ କରାଯାଇଛି । ଏହି ଉନ୍ନତୀକରଣ କାର୍ଯ୍ୟ ଦ୍ୱାରା ପ୍ରାୟ ୧,୪୩୦ ଜଣ ଉପଭୋକ୍ତା ଉପକୃତ ହେବେ । ଏହା ସ୍ଥାନୀୟ ବିଦ୍ୟୁତ୍ ନେଟୱର୍କକୁ ଅଧିକ ସୁଦୃଢ଼ କରିବା ସହ ବାହ୍ୟ କ୍ଷତିର ଆଶଙ୍କା ହ୍ରାସ ଓ ଜନସୁରକ୍ଷାରେ ସହାୟକ ହେବ ।
ରାଉରକେଲାରେ ପ୍ରାୟ ୨୫ ଲକ୍ଷ ବ୍ୟୟରେ ୧୧ କେ.ଭି. ଶକ୍ତିନଗର ଅଣ୍ଡରଗ୍ରାଉଣ୍ଡ ଫିଡର୍ ନିର୍ମାଣ ଏବଂ ଜାମସେରା ଓ ଝିରପାଣି ଫିଡର୍ ମଧ୍ୟରେ ବିକଳ୍ପ ସଂଯୋଗ ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ବିଦ୍ୟୁତ୍ ତ୍ରୁଟି କିମ୍ବା ରକ୍ଷଣାବେକ୍ଷଣ ସମୟରେ ବିକଳ୍ପ ମାର୍ଗରେ ଯୋଗାଣ ଜାରି ରଖିବା ସମ୍ଭବ ହେବ । ଶକ୍ତିନଗର, ଝିରପାଣି, ଜାମସେରା, ଜଗଦା ଓ ଆଖପାଖ ଅଞ୍ଚଳର ପ୍ରାୟ ୩,୦୦୦ ଉପଭୋକ୍ତା ଏହାଦ୍ୱାରା ଉପକୃତ ହେବେ। ଗ୍ରୀଷ୍ମ ଋତୁରେ ଆସିଥିବା କାଳବୈଶାଖୀ ଝଡ଼ ସମୟରେ ଏହି ଅଣ୍ଡରଗ୍ରାଉଣ୍ଡ ଫିଡର୍ କାର୍ଯ୍ୟକ୍ଷମ ରହିଥିଲା, ଯାହା ବିଦ୍ୟୁତ୍ ବାଧାକୁ ସୀମିତ ରଖିବା ଓ ଯୋଗାଣ ପୁନଃସ୍ଥାପନରେ ସହାୟତା କରିଥିଲା ।

ଏହାବ୍ୟତୀତ, ରାଉରକେଲାର କଳିଙ୍ଗ ବିହାରରେ ପ୍ରାୟ ୧୫ ଲକ୍ଷ ବ୍ୟୟରେ ୧.୭ କିଲୋମିଟର ଏବି କେବଲ୍ ସ୍ଥାପନ କରାଯାଇଛି । ଏହା ସ୍ଥାନୀୟ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ଼ କରିବା, ବୈଷୟିକ କ୍ଷତି ହ୍ରାସ କରିବା ଓ ଜନସୁରକ୍ଷା ବୃଦ୍ଧିରେ ସହାୟକ ହେବ। କୋ-ଅପରେଟିଭ୍ କଲୋନୀର ପ୍ରାୟ ୭୫୦ ଉପଭୋକ୍ତା ଏହାର ସୁଫଳ ପାଇବେ ।

ଏହି ବିକାଶ ସମ୍ପର୍କରେ ଟିପିଡବ୍ଲୁଓଡିଏଲର ସିଇଓ ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି, “ବିଦ୍ୟୁତ୍ ଯୋଗାଣର ନିର୍ଭରଯୋଗ୍ୟତା ବୃଦ୍ଧି ଓ ଉପଭୋକ୍ତାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଆମର ନେଟୱର୍କ ଆଧୁନିକୀକରଣ ପ୍ରୟାସର ମୁଖ୍ୟ ଲକ୍ଷ୍ୟ। ଲକ୍ଷ୍ୟଭିତ୍ତିକ ଭିତ୍ତିଭୂମି ନିବେଶ, ଉନ୍ନତ ସଂଯୋଗ ବ୍ୟବସ୍ଥା ଓ ଆବଶ୍ୟକ ନେଟୱର୍କ ଉନ୍ନତୀକରଣ ମାଧ୍ୟମରେ ଆମେ ଏକ ଅଧିକ ସୁରକ୍ଷିତ ଓ ସ୍ଥିର ବିଦ୍ୟୁତ୍ ବ୍ୟବସ୍ଥା ଗଢ଼ି ତୋଳୁଛୁ, ଯାହା ଉପଭୋକ୍ତାଙ୍କ ବଢ଼ୁଥିବା ଆବଶ୍ୟକତା ପୂରଣ କରିବା ସହ ଶିଳ୍ପର ବିକାଶ ଓ ପଶ୍ଚିମ ଓଡ଼ିଶାର ସାମାଜିକ-ଆର୍ଥିକ ପ୍ରଗତିରେ ଯୋଗଦାନ କରିବ।”

ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ଟିପିଡବ୍ଲୁଓଡିଏଲ୍ ନିଜର ବିଦ୍ୟୁତ୍ ବିତରଣ ଭିତ୍ତିଭୂମିକୁ ଆଧୁନିକ କରିବା, ସ୍ଥାନୀୟ ନେଟୱର୍କ ସମସ୍ୟାର ସମାଧାନ କରିବା ଓ ଅଞ୍ଚଳର ଉପଭୋକ୍ତା ଏବଂ ଶିଳ୍ପାନୁଷ୍ଠାନଙ୍କ ପରିବର୍ତ୍ତିତ ବିଦ୍ୟୁତ୍ ଆବଶ୍ୟକତା ପୂରଣ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି ।

ଟିପିଡବ୍ଲୁଓଡିଏଲ୍ ସମ୍ବନ୍ଧରେ: ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ହେଉଛି ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ଯୌଥ ଉଦ୍ୟୋଗ, ଯେଉଁଥିରେ ଉଭୟଙ୍କ ଅଂଶଧନ ଯଥାକ୍ରମେ ୫୧:୪୯ ଅଟେ । ଟିପିଡବ୍ଲୁଓଡିଏଲ୍ ସମଗ୍ର ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ ବିତରଣ ଏବଂ ଖୁଚୁରା ଯୋଗାଣ ଦାୟିତ୍ୱରେ ୯ଟି ଜିଲ୍ଲା ଏବଂ ପ୍ରାୟ ୪୮,୦୦୦ ବର୍ଗ କିଲୋମିଟର ବିତରଣ କ୍ଷେତ୍ରରେ ୨୧ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଅଛି । କମ୍ପାନୀ ନିର୍ଭରଯୋଗ୍ୟ, ସୁରକ୍ଷିତ ଏବଂ ଗ୍ରାହକ-କେନ୍ଦ୍ରିକ ବିଦ୍ୟୁତ ସେବା ପ୍ରଦାନ ସହିତ ବିଦ୍ୟୁତ ଭିତ୍ତିଭୂମିର ଆଧୁନିକୀକରଣ, କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷତା, ଡିଜିଟାଲ ରୂପାନ୍ତରଣ, ସ୍ଥାୟୀ ବିକାଶ ଏବଂ ସମ୍ପ୍ରଦାୟ ବିକାଶ ପଦକ୍ଷେପକୁ ଆଗେଇ ନେବା ପାଇଁ ପ୍ରତିବଦ୍ଧ ଅଟେ । ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା ଏବଂ ଗ୍ରାହକ ସେବାରେ ନିରନ୍ତର ନିବେଶ ମାଧ୍ୟମରେ, ଟିପିଡବ୍ଲୁଓଡିଏଲ୍ ପଶ୍ଚିମ ଓଡ଼ିଶାର ସାମାଜିକ-ଆର୍ଥିକ ଅଭିବୃଦ୍ଧିକୁ ସମର୍ଥନ କରିବା ସହିତ ଏହି ଅଞ୍ଚଳର ଶକ୍ତି ରୂପାନ୍ତରଣ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବାକୁ ଲକ୍ଷ୍ୟ ରଖିଛି ।

Leave A Reply

Your email address will not be published.