ଭୁବନେଶ୍ୱର, ୨୩: ବଙ୍ଗୋପ ସାଗରରେ ଘୂର୍ଣ୍ଣିଝଡ଼ ‘ଦାନା’ ତୀବ୍ର ଗତିରେ ଓଡ଼ିଶା ଉପକୂଳ ମୁହାଁ ହେଉଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ଏହି ବିପଦପୂର୍ଣ୍ଣ ପରିସ୍ଥିତି ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ନିମନ୍ତେ ସୂଚନା ପ୍ରଦାନ କରିବା ଜାରି ରଖିଛି ।
ଏଭଳି ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ ବିପଦ ବିଷୟରେ ସଚେତନ କରାଇବା ସହ ସେମାନେ କ’ଣ କରିବେ ବା କ’ଣ ନ କରିବେ ସେ ଦିଗରେ ମଧ୍ୟ ଉପଦେଶ ଦେବାର ଆବଶ୍ୟକତା ରହିଛି ବୋଲି କମ୍ୟୁନିଟି ରେଡ଼ିଓ ସେଂଟରର ଇନ୍ଚାର୍ଜ ଶ୍ରୀମତି ହନି ପଟ୍ଟନାୟକ କହିଛନ୍ତି ।
ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ନିମନ୍ତେ ସଚେତନତା ସୃଷ୍ଟି କରାଇବା ନିମନ୍ତେ ସୋଆ କମ୍ୟୁନିଟି ରେଡ଼ିଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ଗତ ୨୦୧୯ ମେ ୩ ତାରିଖରେ ଘୂର୍ଣ୍ଣିବାତ୍ୟା ‘ଫନି’ ଯେତେବେଳେ ଓଡ଼ିଶା ଉପକୂଳରେ ପ୍ରଳୟ ରଚିଥିଲା ସେହି ସମୟରେ ସୋଆ କମ୍ୟୁନିଟି ରେଡ଼ିଓର ଆର୍ଜେ ଏବଂ ଅନ୍ୟାନ୍ୟ ବୈଷୟିକ କର୍ମକର୍ତାମାନେ ଦିନ ରାତି କାର୍ଯ୍ୟ କରି ଜନସାଧାରଣଙ୍କୁ ସୂଚନା ପ୍ରଦାନ କରିଥିଲେ ।
ସମ୍ଭାବିତ ବାତ୍ୟା ଗୁରୁବାର ରାତିରେ ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନା ଥିବା ବେଳେ ଆର୍ଜେମାନେ ରେଡ଼ିଓ ଷ୍ଟେସନ୍ରେ ପାଣିପାଗ ସମ୍ପର୍କିତ ସୂଚନା, ଗୁରୁତ୍ୱପୂର୍ଣ୍ଣ ସୂଚନା ଏବଂ ଜରୁରୀକାଳୀନ ନିୟମାବଳୀ ଜନସାଧାରଣଙ୍କୁ ପ୍ରଦାନ କରୁଛନ୍ତି । ଜନସାଧାରଣ ଭୟଭୀତ ନ ହେବା ପାଇଁ ଆମେ ଉପଦେଶ ଦେଉଛୁ ବୋଲି ସେ କହିଛନ୍ତି ।
ଆବଶ୍ୟକୀୟ ଖାଦ୍ୟ, ପିଇବା ପାଣି, ଔଷଧ, ଫ୍ଲାସ୍ ଲାଇଟ୍, ବ୍ୟାଟେରୀ ପ୍ରଭୃତି ପ୍ରସ୍ତୁତ ରଖିବା ପାଇଁ ଲୋକମାନଙ୍କୁ ଉପଦେଶ ଦିଆଯାଉଥିବା ସେ କହିଛନ୍ତି ।
ସାମାଜିକ ଗଣମାଧ୍ୟମ ୟୁଟ୍ୟୁବ୍, ଏକ୍ସ, ଫେସବୁକ ଏବଂ ଇନ୍ଷ୍ଟାଗ୍ରାମ୍ ମାଧ୍ୟମରେ ସୋଆ କମ୍ୟୁନିଟି ରେଡ଼ିଓ ଜସାଧାରଣଙ୍କୁ ସଚେତନ କରାଉଛି ବୋଲି ଶ୍ରୀମତି ପଟ୍ଟନାୟକ କହିଛନ୍ତି ।
ଲୋକମାନେ ବାତ୍ୟା ସମୟରେ ଘର ଭିତରେ ରହିବା ସହ କାଚ କବାଟ, ଝରକା ଇତ୍ୟାଦି ଠାରୁ ଦୂରରେ ରହି ଆବଶ୍ୟକ କ୍ଷେତ୍ରରେ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ରହୁଥିବା ସ୍ଥାନଗୁଡ଼ିକୁ ଛାଡ଼ି ଯିବାକୁ ସୋଆ ରେଡ଼ିଓ ମାଧ୍ୟମରେ ଉପଦେଶ ଦିଆଯାଉଛି ।
ଏହା ବ୍ୟତୀତ ବିଦ୍ୟୁତ କାଟ ହେବାର ସମ୍ଭାବନା ଥିବାରୁ ମୋବାଇଲ ଫୋନ୍ ଏବଂ ପାୱାରବ୍ୟାଙ୍କ ଗୁଡ଼ିକୁ ସଂପୂର୍ଣ୍ଣ ଭାବେ ଚାର୍ଜ କରି ରଖିବା ସହ ଗ୍ୟାସ୍ ଏବଂ ବିଦ୍ୟୁତ୍ କନେକ୍ସନ୍କୁ ବନ୍ୟା ପରିସ୍ଥିତି ଏବଂ ତୀବ୍ର ଗତିରେ ପବନ ବହୁଥିବା ସମୟରେ ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି ।
Sign in
Sign in
Recover your password.
A password will be e-mailed to you.