ବାଲୁଗାଁ ଏବଂ ନୂଆଗାଁ ବ୍ଲକ ମହିପୁରକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କାଯ୍ୟ ଅଧପନ୍ତରିଆ ଅବସ୍ଥାରେ

0

ନୟାଗଡ଼ (ବିଶ୍ୱଜିତ ନାୟକ) – ନୟାଗଡ଼ ବ୍ଲକ ବାଲୁଗାଁ ଏବଂ ନୂଆଗାଁ ବ୍ଲକ ମହିପୁରକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କାଯ୍ୟ  ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛ । ଏହି ରାସ୍ତା ନିର୍ମାଣ ଅବଧି ଦେଢ଼ ମାସ ତଳୁ ଶେଷ ହୋଇଥିବା ବେଳେ କାମ କିନ୍ତୁ ୪୦ ପ୍ରତିଶତ ଶେଷ ହୋଇନି । ଏହି ରାସ୍ତା ନିର୍ମାଣ ପାଇଁ ୨୦୨୩ ମସିହା ଜାନୁୟାରୀ ମାସ ୨୫ ତାରିଖରେ ଶିଳାନ୍ୟାସ ହୋଇଥିଲା । ନୟାଗଡ଼ ଓ ଦଶପଲ୍ଲା ନିର୍ବାଚନ ମଣ୍ଡଳୀକୁ ସଂଯୋଗ କରୁଥିବା ଏହି ରାସ୍ତା ନିର୍ମାଣ ଶିଳାନ୍ୟାସ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଓ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ସାମିଲ ହୋଇଥିଲେ । କ୍ରିଦାଶପୁର ପଞ୍ଚାୟତ ଯଉତୁକପାଟଣା ଆମ୍ବତୋଟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉକ୍ତ ରାସ୍ତା ନିର୍ମାଣ ଯଥାଶୀଘ୍ର ଶେଷ ହେବ ବୋଲି ଉଭୟ ବିଧାୟକ ଘୋଷଣା କରିଥିଲେ । ମାତ୍ର ପୂର୍ତ୍ତ ବିଭାଗର ଅବହେଳା ଏବଂ ଠିକାସଂସ୍ଥାର ମନମାନୀ ପାଇଁ ରାସ୍ତା ନିର୍ମାଣ ଅଧା ଅଧୁରା ଅବସ୍ଥାରେ ରହିଛି । ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ବାଲୁଗାଁ, କ୍ରିଦାଶପୁର, ମାଳିସାହି, ଢେଙ୍କେଣା, ଚାହାଳୀ, ବଡ଼ଗୋଠ, ଦୁରଦୁରା, ମହୀପୁର ପଞ୍ଚାୟତବାସୀ ନିର୍ଭର କରୁଛନ୍ତି । ୮ ପଞ୍ଚାୟତର ୪୦ରୁ ଉର୍ଦ୍ଧ୍ୱ ଗ୍ରାମ ଏହି ରାସ୍ତା ଉପରେ ନିର୍ଭରଶୀଳ ଥିବା ବେଳେ ଅଧପନ୍ତରିଆ ରାସ୍ତା ନିର୍ମାଣ ଦ୍ୱାରା ବ୍ୟାପକ ସମସ୍ୟା ସୃଷ୍ଟି ହେଉଛି । ବିଭିନ୍ନ ସ୍ଥାନରେ କଂକ୍ରିଟ ରାସ୍ତା ଅଧା ନିର୍ମାଣ ଦ୍ୱାରା ବଡ଼ ଗାଡ଼ି ଗୁଡ଼ିକ ଯାତାୟତରେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ୧୯ କୋଟି ୯୯ ଲକ୍ଷ ଟଙ୍କ ବ୍ୟୟରେ ୧୩ କୋଲୋମିଟର ୭୪୦ ମିଟର ରାସ୍ତା ନିର୍ମାଣ ପାଇଁ ରଘୁନାଥ କନଷ୍ଟ୍ରକସନ୍ ନାମକ ଠିକାସଂସ୍ଥା କାମ ହାତେଇଥିଲା ।

ଉକ୍ତ ଠିକାସଂସ୍ଥା ୧୬ କୋଟି ୮୦ ଲକ୍ଷ ବ୍ୟୟରେ ରାସ୍ତା ନିର୍ମାଣ କରିବାକୁ ବିଭାଗ ସହ ଚୁକ୍ତି କରୁଥିବା ବେଳେ ନିର୍ମାଣ କାମ ପେଟି ଠିକାଦାରଙ୍କ ହାତକୁ ଟେକି ଦେଇଥିବା ଦେଖାଯାଇଛି । ଯାହା ଦ୍ୱାରା ରାସ୍ତା ନିର୍ମାଣରେ ବ୍ୟାପକ ମନ୍ଥରତା ସୃଷ୍ଟି ହୋଇଛି । ଅଗଷ୍ଟ ୩୧ ତାରିଖ ନିର୍ମାଣ ଶେଷ କରିବାର ଧାର୍ଯ୍ୟ ସମୟ ରହିଥିବା ବେଳେ କାମ ଶେଷ କରିବାକୁ ଆହୁରି ୬ ମାସ ଲାଗିବ ବୋଲି ଅନୁମାନ କରାଯାଉଛି । ନୟାଗଡ଼ ପୂର୍ତ୍ତ ବିଭାଗ ଅବହେଳା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦୁର୍ଦ୍ଦଶା ଭୋଗୁଥିବା ବେଳେ ରାସ୍ତା ନିର୍ମାଣ ତ୍ୱରାନ୍ୱିତ ନହଲେ ରାସ୍ତାରୋକ କରାଯିବାକୁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.