-
ଜିଲ୍ଲା ସଦର ମହକୁମାରେ ଯୋଡି ହେବେ ଜିଲ୍ଲାର ସମସ୍ତ ନେତୃବୃନ୍ଦ
-
ସଭ୍ୟ ସଂଗ୍ରହରେ ଛାତ୍ର ଓ ଯୁବ ରହିବେ ଫୋକସରେ
-
ବିଜେଡି ଜନ ସମ୍ପର୍କ ପଦଯାତ୍ରାକୁ ରାଜ୍ୟବାସୀଙ୍କ ବିପୁଳ ସମର୍ଥନ
ଭୁବନେଶ୍ୱର, ୦୮/୧୦/୨୦୨୪: ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆସନ୍ତାକାଲି ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମତିଥିରେ ଶୁଭାରମ୍ଭ ହେବ। ଏହାକୁ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶଙ୍ଖ ଭବନ ଠାରେ ଶୁଭାରମ୍ଭ କରିବେ। ଏହା ସହିତ ଜିଲ୍ଲା ସଦର ମହକୁମାରେ ଜିଲ୍ଲାର ସମସ୍ତ ନେତୃବୃନ୍ଦ ଭରଚ୍ୟୁଆଲ ମାଧ୍ୟମରେ ଶଙ୍ଖ ଭବନ କାର୍ଯ୍ୟକ୍ରମ ସହିତ ଯୋଡି ହେବେ। ଆଜି ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସମନ୍ବୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ସଭ୍ୟ ସଂଗ୍ରହ ଅଭିଯାନ କମିଟିର ଆବାହକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଓ କାର୍ଯ୍ୟକ୍ରମ ରୂପାନ୍ତରଣ କମିଟିର ଆବାହକ ଶ୍ରୀ ସଞ୍ଜୟ ଦାସବର୍ମା ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ ।
ସମନ୍ଵୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ବିଜେଡି ଏକ ଆଞ୍ଚଳିକ ଦଳ ହୋଇଥିବା ବେଳେ ଜନ ସମ୍ପର୍କକୁ ସବୁବେଳେ ଗୁରୁତ୍ୱ ଦେଇଆସିଛି। ସଭ୍ୟ ସଂଗ୍ରହ ଅଭିଯାନ ଦଳର ଏକ ନିୟମିତ କାର୍ଯ୍ୟକ୍ରମ। ବିଜେଡିର ସମୁଦାୟ ସଭ୍ୟ ସଂଖ୍ୟା ଏକ କୋଟିରୁ ଉର୍ଦ୍ଧ୍ବ ରହିଛି ଓ ସକ୍ରିୟ ସଭ୍ୟ ସଂଖ୍ୟା ପ୍ରାୟ ଚାରି ଲକ୍ଷ ରହିଛି ।
ସଭ୍ୟ ସଂଗ୍ରହ ଅଭିଯାନ କମିଟିର ଆବାହକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ଏହି ସଭ୍ୟ ସଂଗ୍ରହ ଅଭିଯାନରେ ସମସ୍ତ ବର୍ଗର ଲୋକ ମାନଙ୍କୁ ଯୋଡା ଯିବା ସହ ବିଶେଷ କରି ଛାତ୍ର ଓ ଯୁବ ବର୍ଗ ଉପରେ ଫୋକସ ରହିବ। ଆସନ୍ତାକାଲି ଶଙ୍ଖ ଭବନ କାର୍ଯ୍ୟକ୍ରମ ସହିତ ସମସ୍ତ ଜିଲ୍ଲା ସଦର ମହକୁମା ଯୋଡି ହେବାର କାର୍ଯ୍ୟକ୍ରମ ରହିଛି। ପରବର୍ତ୍ତୀ ଦିନ ମାନଙ୍କରେ ଅନ୍ୟ ବିଧାନସଭା କ୍ଷେତ୍ର ଗୁଡିକରେ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ କରାଯିବ ।
ସେହିପରି କାର୍ଯ୍ୟକ୍ରମ ରୂପାନ୍ତରଣ କମିଟିର ଆବାହକ ଶ୍ରୀ ସଞ୍ଜୟ ଦାସବର୍ମା କହିଥିଲେ, ନିକଟରେ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରାରେ ଜନ ସାଧାରଣଙ୍କ ବିପୁଳ ସମର୍ଥନ ମିଳିଛି। ସେଥିପାଇଁ ଓଡିଶାବାସୀଙ୍କ ନିକଟରେ ଆମେ କୃତଜ୍ଞତା ଜ୍ଞାପନ କରୁଛୁ। ଓଡ଼ିଶାବାସୀ ବିଜୁ ଜନତା ଦଳକୁ ବିରୋଧୀ ଦଳର ଦାୟିତ୍ୱ ପ୍ରଦାନ କରିଛନ୍ତି। ଗଣତନ୍ତ୍ରରେ ସରକାରୀ ଦଳର ଯେତିକି ଆବଶ୍ୟକତା ଅଛି, ବିରୋଧୀ ଦଳର ମଧ୍ୟ ସେତିକି ଆବଶ୍ୟକତା ଅଛି । ତେଣୁ ଗୋଟିଏ ଦାୟିତ୍ଵ ସମ୍ପନ୍ନ ବିରୋଧୀ ଦଳ ଭାବେ ଆମେ ଜନ ସାଧାରଣଙ୍କ ଆବଶ୍ୟକତାକୁ ପୁରା କରିବୁ ଏବଂ ଓଡ଼ିଶାର ସ୍ଵାର୍ଥ ପାଇଁ ଲଢେଇ ଜାରି ରଖୁବୁ ବୋଲି ଶ୍ରୀ ଦାସବର୍ମା କହିଥିଲେ।