ଭୁବନେଶ୍ୱର, ୨୭ । ୯: ଶିକ୍ଷାବିତ୍, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ନୂଆଦିଲ୍ଲୀସ୍ଥିତ ଇନ୍ଷ୍ଟିଚ୍ୟୁସନ୍ ଅଫ୍ ଫାୟାର୍ ଇଞ୍ଜିନିୟର୍ସ ଇଣ୍ଡିଆ ପକ୍ଷରୁ ସମ୍ମାନସୂଚକ ଫେଲୋସିପ ପ୍ରଦାନ କରାଯାଇଛି। ସେପ୍ଟେମ୍ବର ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀଠାରେ ଇନ୍ଷ୍ଟିଚ୍ୟୁସନ୍ ଅଫ୍ ଫାୟାର୍ ଇଞ୍ଜିନିୟର୍ସ ଇଣ୍ଡିଆ ପକ୍ଷରୁ ଚାଲିଥିବା ଅନ୍ତର୍ଜାତୀୟ ସମ୍ମିଳନୀ ଓ ପ୍ରଦର୍ଶନୀ ‘ଫାୟାର ଇଣ୍ଡିଆ ୨୦୨୪’ ଅବସରରେ ଶୁକ୍ରବାର ଶ୍ରୀ ସାମନ୍ତଙ୍କୁ ଏହି ଫେଲୋସିପ ପ୍ରଦାନ କରାଯାଇଛି। ଦୀର୍ଘ ୩ ଦଶନ୍ଧୀ ଧରି ଶିକ୍ଷା, ସ୍ୱାସ୍ଥ୍ୟ ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଶ୍ରୀ ସାମନ୍ତଙ୍କୁ ଏହି ଫେଲୋସିପ ପ୍ରଦାନ କରାଯାଇଛି । ଗତ ମାର୍ଚ୍ଚ ମାସରେ ଇନ୍ଷ୍ଟିଚ୍ୟୁସନ୍ ଅଫ୍ ଫାୟାର୍ ଇଞ୍ଜିନିୟର୍ସ କାର୍ଯ୍ୟକାରିଣୀ ପରିଷଦର ଜୁରି ସଦସ୍ୟଙ୍କ ଦ୍ୱାରା ଶ୍ରୀ ସାମନ୍ତଙ୍କ ନାମ ଚୟନ କରାଯାଇଥିଲା । ଆଜି ଶ୍ରୀ ସାମନ୍ତ ଏହି ଫେଲୋସିପ ଗ୍ରହଣ କରି ଇନ୍ଷ୍ଟିଚ୍ୟୁସନ୍ ଅଫ୍ ଫାୟାର୍ ଇଞ୍ଜିନିୟର୍ସକୁ କୃତଜ୍ଞତା ଜଣାଇବା ସହ ଏହାର ମହାନିର୍ଦ୍ଦେଶକ ଡ. ୟୁ ଏସ୍ ଛିଲ୍ଲାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ହେଉଛି ଶ୍ରୀ ସାମନ୍ତଙ୍କର ୬ଷ୍ଠ ଫେଲୋସିପ । ଏହା ପୂର୍ବରୁ ଶ୍ରୀ ସାମନ୍ତ ଆଇଏସ୍ଟିଇ, ସିଏସ୍ଆଇ, ଆଇସିଏ, ଏପିଏସିଏଚ୍ ଓ ଲଣ୍ଡନର ରୟାଲ ସୋସାଇଟି ଅଫ୍ କେମିଷ୍ଟ୍ରି ଭଳି ଦେଶ ବିଦେଶର ଖ୍ୟାତି ସମ୍ପନ୍ନ ୫ଟି ଅନୁଷ୍ଠାନରୁ ଫେଲୋସିପ ପାଇସାରିଛନ୍ତି। ଏହି ଅବସରରେ କିସ୍ ଓ ଇନ୍ଷ୍ଟିଚ୍ୟୁସନ୍ ଅଫ୍ ଫାୟାର୍ ଇଞ୍ଜିନିୟର୍ସ ଇଣ୍ଡିଆ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏହି ବୁଝାମଣା ଫଳରେ କିସ୍ର ୧ଶହ ଛାତ୍ରଛାତ୍ରୀ ଫାୟାର୍ ଇଞ୍ଜିନିୟରିଂ ତାଲିମ୍ ପାଇପାରିବେ। ଏହା ଦ୍ୱାରା କିସ୍ର ବହୁ ଛାତ୍ରଛାତ୍ରୀ ଭବିଷ୍ୟତରେ ଉପକୃତ ହୋଇପାରିବେ ବୋଲି ଶ୍ରୀ ସାମନ୍ତ ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.