ପୁରୀ (ଅନିମେଶ ପଟ୍ଟନାୟକ): ଗୁରୁ ବା ଶିକ୍ଷକ ହେଉଛନ୍ତି ଏ ସମାଜର କର୍ଣ୍ଣଧାର। କାରଣ ସେମାନେ ହିଁ ଏ ସମାଜକୁ ଶୃଙ୍ଖଳିତ ତଥା ସୁସଂଯତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି। ହେଲେ ଆଜି ସେହି ଗୁରୁ ସଂସ୍କୃତିର ଅବକ୍ଷୟ ଘଟୁଛି ବୋଲି ମତ ପ୍ରକାଶ ପାଇଛି ।
ଗୁରୁବାର ସ୍ଥାନୀୟ ଦେବୀଘାଟ ସ୍ଥିତ ଫକୀରମୋହନ ବିଦ୍ୟାମନ୍ଦିର ପରିସରରରେ ଶ୍ରୀରାଧାରମଣ ଫାଉଣ୍ଡେସନ ପକ୍ଷରୁ ଗୁରୁଦିବସ ଅବସରସରେ ” ଗୁରୁ ହିଁ ସାକ୍ଷାତ ଈଶ୍ୱର” ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଅଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜି ଏହି ସଂସ୍କୃତି ର ଅବକ୍ଷୟ ଘଟୁଛି । ଫଳରେ ଆମ ସମାଜ ଅଧୋଗତି ଆଡକୁ ଗତି କରୁଛି । ତେଣୁ ଏଥିପ୍ରତି ସଚେତନ ହେବା ନିହାତି ଆବଶ୍ୟକ ବୋଲି ଆଲୋଚନାରେ ମତ ପ୍ରକାଶ ପାଇଛି ।
ଫାଉଣ୍ଡେସନର ସମ୍ପାଦକ ଗୁରୁଚରଣ ଦାସ ଙ୍କ ସଂଯୋଜନା ରେ ଆୟୋଜିତ ଏହି ଉତ୍ସବର ଉଦଘାଟକ ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ର ପୂର୍ବତନ କୁଳପତି ଡ଼ଃ ହରିହର ହୋତା ଯୋଗ ଦେଇ ପ୍ରାଚୀନ ଗୁରୁ ପରମ୍ପରା ଉପରେ ଆଲୋକପାତ କରିଥିଲେ। ମୁଖ୍ୟଅତିଥି ଭାବରେ ବରିଷ୍ଠ ପ୍ରଶାସକ ପଦ୍ମନାଭ ପଣ୍ଡା ନିଜର ମତ ରଖି ଗୁରୁଙ୍କ ଈଶ୍ୱରତ୍ୱ ଉପରେ ଗୁରୁତ୍ୱ ଦେଇଥିଲେ।ଅନ୍ୟତମ ଅତିଥି ଭାବରେ ପିପୁଲ ଫର ଆକ୍ସନ ର ଚେୟାରମ୍ୟାନ ଦେବୀ ପ୍ରସାଦ ଦାସ, ପୂର୍ବତନ କଲେଜ ଅଧ୍ୟକ୍ଷ ଡ଼ଃ କାର୍ତ୍ତିକ ଚନ୍ଦ୍ର ଦାସ, ବରିଷ୍ଠ ଅଧିବକ୍ତା ସୂର୍ଯ୍ୟ ନାରାୟଣ ରଥ, ବ୍ୟାଙ୍କ ଅଧିକାରୀ କୈଳାଶ ଚନ୍ଦ୍ର ସାହୁ, ଅଭୟ ରାଉତ ଯୋଗ ଦେଇ ନିଜ ନିଜର ମତ ରଖିଥିଲେ। ଉକ୍ତ ଆଲଚନାରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ହରିଶଙ୍କର ମିଶ୍ର ସଭାପତିତ୍ବ କରିଥିବା ବେଳେ, ଉପସଭାପତି ପ୍ରମୋଦ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।ଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହିତ ଗୁରୁ ମାନଙ୍କୁ ସମ୍ମାନିତ କରାଯାଇଥିଲା ।