ରୁନିପାନି ଗାଁ : ଏଠିକି ବାଟ ହୁଡ଼ିଛି ବିକାଶ

3

 ଭୋଟ ପାଇଁ ନେତାଙ୍କ ଅୟସ, ପ୍ରତାରଣା ପାଲଟୁଛି ଲୋକଙ୍କ ବିଶ୍ୱାସ

ସୁନ୍ଦରଗଡ଼ :ବଣ ପାହାଡ ଘେରା ତଥା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଗାଁ ହେଉଛି ” ରୁନିପାନି ” ।ଗାଁ କୁ ଦେଖିଲେ ଲାଗେ ସତେ ଯେମିତି ପ୍ରକୃତି ରାଣୀ ବିଶ୍ଵର ସମସ୍ତ ଶୋଭାରାଜି କୁ ଏହି ଗାଁ ରେ ଅଜାଡ଼ି ଦେଇଛି। ଦଶନ୍ଧି ପରେ ଦଶନ୍ଧି ଆଉ ସରକାର ପରେ ସରକାର ବଦଳି ଚାଲିଛି ,ହେଲେ ଆଜି ବି ଏପରି ଅନେକ ଗାଁ ରହିଛି ଯେଉଁଠି ବିକାଶର ଛାଇ ପଡିନି।ବିକାଶ କଣ ଏହି ଦୁର୍ଗମ ଗାଁ ଲୋକେ ଜାଣି ନାହାଁନ୍ତି।ଯୋଜନାର ବ୍ୟକ୍ତିଗତ ଲାଭ ପାଇବା ତ ଦୂରର କଥା ଗାଁ ର ସାମୁହିକ ବିକାଶ କେବେ ଉପଲବ୍ଧ ହେବ ଅନାଇ ବସିଛନ୍ତି ରୁନିପାନି ଗାଁ ଲୋକେ।ସରକାରୀ ବାବୁଙ୍କ ଉଦାସୀନତା ଓ ଜନ ପ୍ରତିନିଧିଙ୍କ ହଁ ଦେଖିବା, ହଁ କରିବା ନୀତିରେ ଅଟକି ରହିଛି ଏହି ଗାଁର ବିକାଶ।ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକ ଟାଙ୍ଗରଗାଁ ପଞ୍ଚାୟତ ରୁନିପାନି ଗାଁ।ସତେ ଯେମିତି ତଥାକଥିତ ସଭ୍ୟତା ଠାରୁ ବହୁ ପଛରେ ରହିଛି ଏହି ଗାଁ।

Imageଏହି ଦୁର୍ଗମ ଗାଁ ଟି ଜଙ୍ଗଲ ଏବଂ ଦୁର୍ଗମ ଘାଟି ଭିତରେ ରହିଥିବା ବେଳେ ପ୍ରାୟ ୧୦୦ ପରିବାର ବସବାସ କରନ୍ତି।ସମୁଦାୟ ଜନସଂଖ୍ୟା ପାଞ୍ଚ ଶହ ପାଖାପାଖି ତନ୍ମଧ୍ୟରୁ ୩୦୦ ଭୋଟର ରହିଛନ୍ତି।ଗାଁ ର ସମୁଦାୟ ଜନସଂଖ୍ୟା ରୁ ଅଧିକ ରାଉତିଆ ସମ୍ପ୍ରଦାୟର।ଗାଁ ଟି ସମ୍ପୂର୍ଣ ଆଦିବାସୀ ଅଧ୍ୟୁଷିତ ଗାଁ ହୋଇଥିବା ବେଳେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରିବା ଛଡ଼ା ରୋଜଗାରର ଅନ୍ୟ ଉତ୍ସ ନାହିଁ।ବର୍ଷ ବର୍ଷ ଧରି ପାଦଚଲା ମାଟି ରାସ୍ତାରେ ଯା ଆସ କରୁଛନ୍ତି,ଗାଁ କୁ ଆଜି ପର୍ଯ୍ୟନ୍ତ ସ୍ଥାୟୀ ରାସ୍ତା ଟିଏ ନାହିଁ ଫଳରେ ରୋଗୀ ତଥା ପ୍ରସୂତୀ ମହିଳାଙ୍କୁ ତିନି କିଲୋମିଟର ବାଟ ଖଟରେ ବୋହି ନେଲା ପରେ ମୁଖ୍ୟ ରାସ୍ତାରୁ ଆମ୍ବୁଲାନ୍ସ ଯୋଗେ ନେଇଥାନ୍ତି ସବଡେଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର।ଅନେକ ପରିବାରକୁ ରନ୍ଧନ ଗ୍ୟାସ ସୁବିଧା ମିଳି ନାହିଁ କି ଭତ୍ତା,ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ନାହିଁ।ବିଜୁଳି ଖୁଣ୍ଟ ପୋତା ଯାଇଛି ,କେତେକଙ୍କ ଘରେ ମିଟର ମଧ୍ୟ ବସିଛି କିନ୍ତୁ ବିଜୁଳିର ଦେଖା ନାହିଁ।ଗାଁ ରେ ରହିଛି ଅଙ୍ଗନୱାଡ଼ି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ କିନ୍ତୁ ବର୍ଷା ଦିନେ ରାସ୍ତା ଖରାପ ଶିକ୍ଷକ ଆସି ପାରନ୍ତି ନାହିଁ।ଗାଁ ରେ ଦୁଇଟି ନଳକୂଅ ରହିଛି ସେଥିରୁ ଗୋଟିଏ ନଳକୂଅ ଦୀର୍ଘ ଦିନ ରୁ ଅଚଳ ଥିବା ବେଳେ ଅନ୍ୟଟି ପଞ୍ଚାୟତ ରେ ନିୟୋଜିତ ଥିବା ନଳକୂଅ ମରାମତି ବାଲା ଉପାଡ଼ି ନେଇ ଯାଇଛନ୍ତି ,ଫଳରେ ଗାଁ ଲୋକେ ପାଖ ଜଙ୍ଗଲରେ ଚୁଆ ଖୋଲି ସେଥିରୁ ପାଣି ନେଇ ଚଲିଥାନ୍ତି ।ଆଦିବାସୀ ଉନ୍ନୟନ,ଶିଶୁ ଓ ମହିଳା ବିକାଶ,ସ୍ଵାସ୍ଥ୍ୟ,ଶିକ୍ଷା,ଗମନାଗମନ ଆଦି ଯୋଜନା ଅତି ନିମ୍ନଗାମୀ ହୋଇଯାଇଛି।ଅନ୍ତୋଦୟ,ଅନ୍ନପୂର୍ଣ୍ଣା,ତଥା ଖାଦ୍ୟ ନିରାପତ୍ତା ଯୋଜନା,ପ୍ରଧାନ ମନ୍ତ୍ରୀ ଆବାସ,ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଅନେକ ତ୍ରୁଟି ଦେଖିବାକୁ ମିଳିଛି।ପାନୀୟ ଜଳ ଓ ସ୍ଥାୟୀ ରାସ୍ତା ପାଇଁ ଗାଁ ଲୋକେ ବାରମ୍ବାର ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ ବୋଲି କହିଛନ୍ତି ଗ୍ରାମବାସୀ |

Imageସତେଯେମିତି ଏଠିକି ବାଟ ହୁଡ଼ିଛି ବିକାଶ | ହାତ ଯୋଡି ଭୋଟ ଜିତି ନେତା ଅୟସରେ ଥିବା ବେଳେ ଓ ପ୍ରଶାସନ ଉଦାସୀନ ରହୁଥିବା ଜରଣରୁ ପ୍ରତାରଣା ପାଲଟୁଛି ଲୋକଙ୍କ ବିଶ୍ୱାସ |  ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ପାଇଁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଆସୁଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ଲୋକେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି।ଯଥାଶୀଘ୍ର ସରକାର ଓ ଜିଲ୍ଲା ପ୍ରଶାସନ ଏହି ରୁନିପାନି ଗାଁ ପ୍ରତି ଦୃଷ୍ଟି ମୌଳିକ ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ ଜଣାଇଛନ୍ତି।

Leave A Reply

Your email address will not be published.