ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ସାମାଜିକ ସଙ୍ଗଠନ କର୍ମୀଙ୍କ ମଧ୍ୟରେ ପ୍ରସ୍ତୁତି ବୈଠକ
ବରଗଡ଼:- ରାଜ୍ୟର କର୍କଟ ପ୍ରବଣ ସ୍ଥାନ ଭାବେ ପରିଚିତ ବରଗଡ଼ ଜିଲ୍ଲାରେ କର୍କଟ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ମାର୍ଗ ଦର୍ଶନରେ ଜିଲ୍ଲା ପ୍ରଶାସନ ଦ୍ୱାରା ଏକ ନିଜସ୍ୱ କର୍କଟ ନିୟନ୍ତ୍ରଣ ଅଭିଯାନ ଆରମ୍ଭ ହେବାକୁ ଯାଉଅଛି । ଏହି ପରିପ୍ରେକ୍ଷୀରେ ଅଭିଯାନର ଶୁଭାରମ୍ଭ ପୂର୍ବରୁ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ସ୍ଥାନୀୟ ସାମାଜିକ ସଙ୍ଗଠନର କର୍ମକର୍ତ୍ତାଙ୍କ ମଧ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବୈଠକର ସମସ୍ତ ଅଂଶଗ୍ରହଣକାରୀ କର୍କଟ ରୋଗର ଭୟାବହତା ତଥା ଏହି ରୋଗ ଦ୍ୱାରା ସୃଷ୍ଟ ଆର୍ଥିକ ଏବଂ ମାନସିକ କ୍ଷତି ସଙ୍ଗେ ସଙ୍ଗେ ପାରିବାରିକ ଓ ମାନସିକ କ୍ଷେତ୍ରରେ ଏହାର ବ୍ୟାପକ ପ୍ରଭାବ ବିଷୟରେ ଆଲୋଚନା କରାଯାଇଥିଲା । ବରଗଡ ଜିଲ୍ଲାରେ କର୍କଟ ରୋଗକାରୀ ସମ୍ଭାବ୍ୟ କାରକ ଯଥା ଘରୋଇ, ମେଡିକାଲ ଏବଂ କଳକାରଖାନା ଆବର୍ଜନା, ମାତ୍ରାଧିକ କୀଟନାଶକ ଓ ରାସାୟନିକ ପଦାର୍ଥର ବ୍ୟବହାରର କୁପ୍ରଭାବ ଜଳ, ବାୟୁ, ମୃତ୍ତିକା ତଥା ମନୁଷ୍ୟ ସ୍ୱାସ୍ଥ୍ୟ ଉପରେ ଜଟିଳ ଭାବେ ରହି ନିଜ କାୟା ବିସ୍ତାର କରୁଛି । ତେଣୁ ସାମାଜିକ ସ୍ତରରେ କ୍ଷତିକାରକ ବସ୍ତୁର ବହୁଳ ବ୍ୟବହାର ରୋକିବା ସହ ଲୋକଙ୍କ ଜୀବନ ଶୈଳୀ ଓ ଖାଦ୍ୟାଭ୍ୟାସ ରେ ପରିବର୍ତ୍ତନ ଏବଂ ବର୍ଜ୍ୟ ବସ୍ତୁର ସଠିକ ପ୍ରକ୍ରିୟାକରଣ ମାଧ୍ୟମରେ ଏହି ରୋଗର ପ୍ରଭାବକୁ ହ୍ରାସ କରାଯାଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା । ଏତଦବ୍ୟତୀତ କର୍କଟ ରୋଗର ଭୟାବହତା ଏବଂ ଜଟିଳତାକୁ ଦୃଷ୍ଟିରେ ରଖି ଏହାର ପ୍ରାକ ନିଦାନ ସହ ସଠିକ ଚିକିତ୍ସା ପାଇଁ ଲୋକଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତାକୁ ଗୁରୁତ୍ଵ ଦେଇ ସ୍ଥାନୀୟ କର୍କଟ ରୋଗୀ, ସାମାଜିକ ସଂଗଠନ ଏବଂ ଜିଲ୍ଲା ପ୍ରଶାସନର ସମସ୍ତ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ଵୟର ଆବଶ୍ୟକତା ବିଷୟରେ ମଧ୍ୟ ଉକ୍ତ ବୈଠକରେ ଆଲୋଚନା କରଯାଇଥିଲା । ସୂଚନାଯୋଗ୍ୟକି, ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ନିଜ ବିଭାଗର ଫ୍ଲାଗସିପ୍ ପ୍ରୋଗ୍ରାମ୍ / ଯୋଜନା ଗୁଡିକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବା ସମୟରେ ଲୋକଙ୍କୁ ସଚେତନ କରିବେ ଏବଂ ସ୍ଵାସ୍ଥ୍ୟ ବିଭାଗ ବ୍ଲକ୍ ୱାରୀ କର୍କଟ ରୋଗୀଙ୍କ ତାଲିକା ପ୍ରସ୍ତୁତ କରିବା ସହ ନିର୍ଦ୍ଧିଷ୍ଟ ବ୍ଲକରେ ବ୍ୟାପୁଥିବା କର୍କଟ ରୋଗର ପ୍ରକାରଭେଦ ଅନୁଯାୟୀ ବ୍ଲକ ଚିହ୍ନଟ କରିବ । ସେହିଭଳି କୃଷି ବିଭାଗ ମୃତ୍ତିକା ପରୀକ୍ଷା କରି କୀଟନାଶକ ବ୍ୟବହାର କମ କରିବା ପାଇଁ କୃଷକଙ୍କୁ ସଚେତନ କରିବେ । ଖାଉଟି ଓ ଯୋଗାଣ ବିଭାଗ ବଜାରରେ ବିକ୍ରି ହେଉଥିବା ଖାଦ୍ୟ, ଫଳମୂଳ ଆଦିରେ ପେଷ୍ଟିସାଇଡ୍ ଏବଂ ରାସାୟନିକ ପଦାର୍ଥ ବ୍ୟବହାର କମ୍ କରିବା ପାଇଁ ଲୋକଙ୍କୁ ସଚେତନ କରିବେ । ସେହିଭଳି ଜିଲ୍ଲାର ଅନ୍ୟ ବିଭାଗ ନିଜ ନିଜ ଯୋଜନାର କାର୍ଯ୍ୟକାରିତା ସମୟରେ କର୍କଟ ରୋଗର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବେ ଏବଂ ଜିଲ୍ଲା ପ୍ରଶାସନ ସ୍ଥାନୀୟ ସାମାଜିକ ସଙ୍ଗଠନର ସହଯୋଗରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ସଚେତନ କରାଯିବ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ ନିରୂପମା ଷଡଙ୍ଗୀ, ଡିପିଏଚଓ ଡ଼ ସୁଶାନ୍ତ କର, ଜରୁରୀକାଳିନ ବିଭାଗ ଡେପୁଟି କଲେକ୍ଟର ଶ୍ରୀ ଅଭିଳାଷ ପୁରୋହିତ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ମିଶ୍ର, ଉଦ୍ୟାନ ଭିବାଗ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ପରମେଶ୍ଵର ନାୟକ, ଏଏମଏନସିଡି ଶ୍ରୀ ସିତେଶ କୁମାର ତ୍ରିପାଠୀ, ଡ୍ରଗ୍ସ ଇନ୍ସପେକ୍ଟର ସୁନିତା ନାଗ, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଶ୍ରୀମତୀ ସନ୍ଧ୍ୟାରାଣୀ ନେପାକ ଏବଂ ଆର୍ ଡବ୍ଲୁ ଏସ ଏସ ନିର୍ବାହୀ ଯନ୍ତ୍ରୀ ବିଶ୍ଵନାଥ ମେହେରଙ୍କ ସମେତ ଅନ୍ୟାନ୍ୟ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇ ଅଭିଯାନରେ ସକ୍ରିୟ ଅଂଶ ଗ୍ରହଣ କରି ଜିଲ୍ଲାରେ କର୍କଟ ରୋଗର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ସ୍ଥାନୀୟ ସାମଜିକ ସଙ୍ଗଠନ ନିଷ୍ଠା ପରିବାର ଉପଦେଷ୍ଟା ଶ୍ରୀ ଅଶ୍ଵିନୀ କୁମାର, କ୍ୟାନସର ଫାଇଟର୍ଷ ଗୃପ ଅଧ୍ୟକ୍ଷ ଶ୍ରୀ ପ୍ରସନ୍ନ ମିଶ୍ର ଏବଂ ଅନ୍ୟ ସହଯୋଗୀଙ୍କ ସହ ବୈଠକରେ ଉପସ୍ଥିତ ରହି ଉକ୍ତ ଅଭିଯାନକୁ ସଫଳ କରିବା ପାଇଁ ସହମତି ପ୍ରକାଶ କରିଥିଲେ । ଆଗାମୀ ଦିନରେ କର୍କଟ ରୋଗର ନିରାକରଣ ତଥା ନିୟନ୍ତ୍ରଣ ଦିଗରେ ଏହି ଉଦ୍ୟମ ଫଳପ୍ରଦ ହେବ ବୋଲି ଆଶାବ୍ୟକ୍ତ କରି ବୈଠକ ସମାପ୍ତ ହୋଇଥିଲା ।