ଶ୍ୟାମ ବାର ଆଣ୍ଡ ରେଷ୍ଟୁରାଣ୍ଟ ବିକ୍ରୟ ପରିଚାଳକ ଗିରଫ
ଓଡ଼ଗାଁ,୫।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ସିନେମା ହଲ ଛକ ବାହାଡ଼ାପିଠା ଶ୍ୟାମ ବାର ଆଣ୍ଡ ରେଷ୍ଟୁରାଣ୍ଟର ବିକ୍ରୟ ପରିଚାଳକ ଦିଲ୍ଲୀପ କୁମାର ପୃଷ୍ଟିଙ୍କୁ ବେଆଇନ ମଦ କାରବାର ଅଭିଯୋଗରେ ଓଡ଼ଗାଁ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛନ୍ତି। ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।ସୂଚନା ଥାଉକି ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଗତ ୨ ତାରିଖ ଗାନ୍ଧୀ ଜୟନ୍ତୀ ସନ୍ଧ୍ୟାରେ ନନ୍ଦିଘୋର ବରମୁଣ୍ଡା ଛକରେ ଅତର୍କିତ ଚଢ଼ାଉ କରି ଗୋଟିଏ ଘରୁ ୧୫୧ ଲିଟର ବିଦେଶୀ ମଦ ଜବତ କରିଥିବା ବେଳେ ଅଭିଯୁକ୍ତ ପ୍ରକାଶ ନାୟକ(୪୩)କୁ ଗିରଫ କରି ପର ଦିନ କୋର୍ଟ ଚାଲାଣ କରିଥିଲେ। ଜାମିନ ଖାରଜ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ତେବେ ଏତେ ଗୁଡ଼ିଏ ବିଦେଶୀ ମଦ କେଉଁଠାରୁ ଆସିଥିବା ନେଇ ପୋଲିସ ତଦନ୍ତ ଚାଲୁ ରଖିଥିବା ବେଳେ ଉକ୍ତ ମଦ ଗୁଡ଼ିକ ସିନେମା ହଲ ଛକ ବାହାଡ଼ାପିଠା ଶ୍ୟାମ ବାର ଆଣ୍ଡ ରେଷ୍ଟୁରାଣ୍ଟରୁ ବିଭିନ୍ନ ସମୟରେ ଆଣି ପ୍ରକାଶ ନାୟକ ନିଜ ଘରେ ଜମା ରଖିଥିବା ପୋଲିସ ତଦନ୍ତରୁ ଜଣା ପଡ଼ିଲା।ଏନେଇ ସମସ୍ତ ପ୍ରମାଣ ଯୋଗାଡ଼ କରିବା ପରେ ଓଡ଼ଗାଁ ପୋଲିସ ବାହାଡ଼ାପିଠା ଶ୍ୟାମ ବାର ଆଣ୍ଡ ରେଷ୍ଟୁରାଣ୍ଟର ବିକ୍ରୟ ପରିଚାଳକ ଦିଲ୍ଲୀପ କୁମାର ପୃଷ୍ଟିଙ୍କୁ ଗିରଫ କରି ଆବଶ୍ୟକ ପ୍ରକ୍ରିୟା ସାରି ସୋମବାର କୋର୍ଟ ଚାଲାଣ କରିଥିଲେ।