ନୂତନ ସି.ଆର.ସି.ସି ଭାବେ ଯୋଗଦେଲେ ବିଭୂତି ଭୂଷଣ ହରିଜନ

9

ଭବାନୀପାଟଣା/ରୋହିତ କୁମାର ନାଏକ(ଶାସକ ପ୍ରଶାସକ) : ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ହରେକୃଷ୍ଣପୁର କ୍ଲଷ୍ଟରରେ ନୂତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ (ସି.ଆର.ସି.ସି) ଭାବେ ବିଧିବଦ୍ଧ ଭାବେ ଯୋଗଦେଲେ ଶିକ୍ଷକ ଓ ସମାଜସେବୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ହରିଜନ।
ଶ୍ରୀ ହରିଜନ ଜବାହର ନବୋଦୟ ବିଦ୍ୟାଳୟ, ନର୍ଲା, କଳାହାଣ୍ଡିର ପ୍ରଥମ ବ୍ୟାଚର ଛାତ୍ର। ୨୦୦୦ ମସିହାରେ ଯେତେବେଳେ କଳାହାଣ୍ଡି ଜିଲ୍ଲାରେ ଜିଲ୍ଲା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ (DPEP) ଆରମ୍ଭ ହେଲା, ସେଥିରେ ସେ ନିଜକୁ ସାମିଲ କରି “ନିନାଦ” ଓ “କଳାପଟା ଅଭିଯାନ” ପରି ଶୈକ୍ଷିକ ସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
ପ୍ରଥମେ ସେ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଭୁର୍ତ୍ତିଗଡ ପଞ୍ଚାୟତର ଘଞ୍ଚ ଜଙ୍ଗଲରେ ଅବସ୍ଥିତ “ଆମ ସ୍କୁଲ” ସାଇଭଟାରେ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକ ଭାବେ ଯୋଗଦେଇ ଆଦିବାସୀ ପିଲାଙ୍କୁ ଶିକ୍ଷାର ଆଲୋକ ଦେଖାଇବାରେ ୬ ବର୍ଷ ବିତାଇଥିଲେ। ଗାଁ ଠାରୁ ପାଞ୍ଚ କିଲୋମିଟର ଦୂର ଘଞ୍ଚ ଜଙ୍ଗଲ ଭିତରକୁ ପାଦରେ ଚାଲି ଚାଲି ଯାଇ ସେ ଆଦିବାସୀ ପିଲାଙ୍କୁ ଶିକ୍ଷାଦାନ କରୁଥିଲେ।
ପରବର୍ତ୍ତୀ ସମୟରେ ୨୦୦୮ ମସିହାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମୁଣ୍ଡାଗାଁରେ ଗଣଶିକ୍ଷକ ଭାବେ ଯୋଗଦେଇ ୨୦୧୭ ମସିହାରେ ନିୟମିତ ଶିକ୍ଷକ ମାନ୍ୟତା ପାଇଥିଲେ। ୨୦୧୬ ରୁ ୨୦୨୩ ପର୍ଯ୍ୟନ୍ତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ କରିଥିଲେ।
କୋଭିଡ-୧୯ ସମୟରେ ଯେତେବେଳେ ସେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିଲେ, ବିଶ୍ୱନାଥପୁର ମେଡିକାଲ ଟିମ୍ ସହାୟତାରେ ଗାଁରେ ସ୍କ୍ରିନିଂ କରାଇ ୫୧ ଜଣଙ୍କୁ କୋଭିଡ ଆକ୍ରାନ୍ତ ଭାବେ ଚିହ୍ନଟ କରି ଉପଯୁକ୍ତ ଚିକିତ୍ସା କରାଇ ଗାଁକୁ କୋଭିଡ ମୁକ୍ତ କରାଇଥିଲେ।
ଦୀର୍ଘ ୧୮ ବର୍ଷକାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମୁଣ୍ଡାଗାଁରେ ଶିକ୍ଷକତା କଲା ପରେ ୨୦୨୬ ଫେବୃୟାରୀ ମାସରୁ ଗୋବର୍ଦ୍ଧନପୁର କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କଦମଗୁଡାରେ କାର୍ଯ୍ୟରତ ଥାଇ ବିଭାଗୀୟ ପ୍ରକ୍ରିୟାରେ ସି.ଆର.ସି.ସି ଭାବେ ଚୟନ ହୋଇ ହରେକୃଷ୍ଣପୁର କ୍ଲଷ୍ଟରରେ ନୂତନ ସି.ଆର.ସି.ସି ଭାବେ ଯୋଗ ଦେଇଛନ୍ତି।
ବି.ଏଲ୍.ଓ ଭାବେ SIR କାମରେ ଉତ୍ତମ ପ୍ରଦର୍ଶନକୁ ନେଇ ଭୋଟର ଦିବସ ୨୦୨୫ ରେ ଜିଲ୍ଲାର ଉତ୍ତମ ବି.ଏଲ୍.ଓ (Best BLO Of District) ଭାବେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି। ଶିକ୍ଷକତା ସହିତ ସମାଜ ସେବାରେ ନିଜକୁ ସାମିଲ କରି ସମାଜ ପ୍ରତି ନିଜକୁ ଉତ୍ସର୍ଗୀକୃତ କରିଥିବାରୁ ଓଡ଼ିଶାର ସାମ୍ବିଧାନିକ ବୈଚାରିକ ଅନୁଷ୍ଠାନ “ଅଲ ଓଡିଶା ସିଡ୍ୟୁଲ କାଷ୍ଟ ଫେଡେରେସନ” ଦ୍ୱାରା ସେ “ସମାଜ ରତ୍ନ” ସମ୍ମାନରେ ସମ୍ମାନିତ ହୋଇଛନ୍ତି।
ଏହିପରି ଦୀର୍ଘ ୨୬ ବର୍ଷ ହେଲା ସେ ଶିକ୍ଷକତା ସହିତ ସମାଜ ସେବାରେ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି। ସମ୍ମାନନୀୟ ଲାଞ୍ଜିଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରୁଷିଆ ମେହେରଙ୍କ ମାର୍ଗଦର୍ଶନରେ ହରେକୃଷ୍ଣପୁର କ୍ଲଷ୍ଟରରେ ଗୁଣାତ୍ମକ ଶିକ୍ଷାର ପ୍ରଚାର ପ୍ରସାରରେ ନିଜକୁ ଉତ୍ସର୍ଗୀକୃତ କରି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସୁଚାରୁ ରୂପେ ସମ୍ପାଦନ କରିବାକୁ ଶ୍ରୀଯୁକ୍ତ ହରିଜନ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.