ନୟାଗଡ଼ (ବିଶ୍ୱଜିତ ନାୟକ) – ନୟାଗଡ଼ ବ୍ଲକ ଅନ୍ତର୍ଗତ ମାଛିପଡ଼ା ଶ୍ୟାମବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଅଘଟଣ । ମିଳିତ ହୋଇ ଦୁଇ ଛାତ୍ରଙ୍କୁ କ୍ଲାସରୁମରୁ ଟାଣି ଆଣି ନିର୍ଦ୍ଧୁମ ମାଡ଼ ଦେଇଛନ୍ତି କିଛି ଯୁବକ । ସୁଚନାନୁସାରେ ଗତ ୨୪ ତାରିଖରେ ଉକ୍ତ ବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠିଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା । ଯାହାକୁ ନେଇ ସମାଧାନ କରିବା ନିମନ୍ତେ ନିଷ୍ପତି ହୋଇଥିଲା । ଆଜି କିନ୍ତୁ ଉକ୍ତ ଘଟଣାକୁ ନେଇ ସ୍କୁଲ ପରିଷରରେ ଦେଖାଯାଇଛି ତୁମୁଳ କାଣ୍ଡ । ମାଡ଼ରେ ଦୁଇ ଛାତ୍ର ନୟାଗଡ଼ ମେଡିକାଲରେ ଚିକିତ୍ସିତ ହୋଇଛନ୍ତି । ଏହି ଘଟଣାକୁ ନେଇ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଫକୀର ପ୍ରଧାନ ସଦର ଥାନାରେ ମାମଲା ରୁଜୁ କରିଛନ୍ତି । ଏତଲାନୁସାରେ ଆଜି ସକାଳ ୧୦ ଘଟିକା ସମୟରେ ବେଲବଣି ଗ୍ରାମର ରାହୁଲ ନାୟକ, ସୁରେଶ ଚନ୍ଦ୍ର ନାୟକ ଓ ୨୦ ଯୁବକ ବେଲବଣି ଗ୍ରାମର ଗ୍ରାମ୍ୟ ସଭାପତିଙ୍କ କୁ ପରାମର୍ଶ କ୍ରମେ ବିଦ୍ୟାଳୟକୁ ଆସି ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିଥିଲେ । ଜିତୁ ସାହୁଙ୍କ ପୁଅ ଅନିଲ ସାହୁ ଓ ସନ୍ତୋଷ କୁମାର ବାଡ଼ତିଆଙ୍କ ପୁଅ ଶୁଭମ୍ ବାଡ଼ତିଆଙ୍କୁ ଶ୍ରେଣୀ ଗୃହରୁ ବାହାର ବାରଣ୍ଡାକୁ ଘୋଷାଡି ଆଣି ବିଧା ଗୋଇଠା ମାରିଥିଲେ । ସ୍କୁଲ ପରିଷରରେ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହିତ ଦୁଇ ଛାତ୍ରଙ୍କୁ ତଡି ତଡି ପିଟିଥିଲେ । ଏହାକୁ ଦେଖି ସ୍କୁଲର ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ଶିକ୍ଷକ ମାନେ ଛଡ଼ାଇବା ପାଇଁ ଚେଷ୍ଟା କରିଥିଲେ । ମାଡ଼ରୁ ବର୍ତିନାହାନ୍ତି ସ୍କୁଲର ଶିକ୍ଷକ ମାନେ । ଏଥି ସହିତ ଆମ୍ଭେମାନେ ହରିଜନ ଆଦିବାସୀ ଲୋକ ମକଦ୍ଦମା କରି ଫସେଇ ଦେବାର ଧମକ ଦେଇଥିଲେ । ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଭିନ୍ନ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଧାନ ଶିକ୍ଷକ ସଦର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।